ବାଲେଶ୍ବର: ବାତ୍ୟା 'ୟାସ୍ ପ୍ରଭାବରେ ବାଲେଶ୍ବରରେ ଗତକାଲିଠାରୁ ବର୍ଷାପବନ ଲାଗି ରହିଥିବାବେଳେ ଆଜି ମଧ୍ୟରାତ୍ରିରୁ ଏହାର ବେଗ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ତେବେ, ବାତ୍ୟାର ୨୪ ଘଣ୍ଟା ଭିତରେ ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇଦିଆଯିବ ବୋଲି ଗୃହ ଓ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ଜିଲ୍ଲାର ସମୁଦାୟ ୧୪୦ଟି ଗାଁ ବାତ୍ୟା ପ୍ରଭାବିତ ହେବାକୁ ଥିବାବେଳେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କୋଭିଡ୍ ଆକ୍ରାନ୍ତଙ୍କ ନିମନ୍ତେ ସ୍ବତନ୍ତ୍ର ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଥିବା ବେଳେ ସେଠାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ୬୦୦ ଆସନ୍ନ ପ୍ରସବାଙ୍କୁ ସ୍ଥାନୀୟ ସିଏଚ୍ସି ଓ ପିଏଚ୍ସିରେ ଭର୍ତ୍ତି କରାଯାଇଛି। ବାତ୍ୟା ମୁକାବିଲା ନିମନ୍ତେ ବାଲେଶ୍ବରରେ ୯ ଏନ୍ଡିଆର୍ଏଫ୍ ଟିମ୍, ୧୯ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀର ୨୮ଟି ଟିମ୍ ପ୍ରସ୍ତୁତ ରହିଛି। ଗୃହ ଓ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି। ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତସେବା ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ୨୪ ଘଣ୍ଟା ମଧ୍ୟରେ ଲୋକମାନେ ଯେଭଳି ବିଦ୍ୟୁତ ସେବା ପାଇବେ ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଥିଲେ। ପୂର୍ବରୁ ବି ବାଲେଶ୍ବରବାସୀ ଅନେକ ଥର ବାତ୍ୟାକୁ ସାମ୍ନା କରିଛନ୍ତି ଏବଂ ପ୍ରଶାସନକୁ ସବୁବେଳେ ସହଯୋଗ କରି ଆସିଛନ୍ତି। ଏଥର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ସୁଧାଂଶୁଶେଖର ପରିଡ଼ା, ଆଇଏଏସ୍ ପ୍ରୋବେସନର କୁନାଲ୍ ଚୌହାନ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ, ବାତ୍ୟାର ତୀବ୍ରତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ବୁଧବାର) ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲିଠାରୁ ୬୦ ନମ୍ବର ରାଜପଥ ଲକ୍ଷ୍ମଣନାଥ ତନଖି ଫାଟକ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ବାଲେଶ୍ବର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି। ଯଦି କୌଣସି ଗାଡ଼ି ଚାଳକ ଏହାକୁ ଅବମାନନା କରନ୍ତି ତେବେ ଗାଡ଼ି ଚାଳକଙ୍କ ସହ ମାଲିକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ବାତ୍ୟା ଯୋଗୁଁ ବାଲେଶ୍ବର-ଭଦ୍ରକ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ତେଣୁ ଜିରୋ କାଜୁଆଲଟି ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।
Follow Us