The Northern Miner
କେନ୍ଦୁଝର : କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ଖଣି ଲିଜ୍ ପାଇଁ ଆରମ୍ଭ ହୋଇଥିବା ନିଲାମ ପ୍ରକ୍ରିୟାରେ ଗତକାଲି କାଶିଆ ଲୁହାପଥର ଖଣିକୁ ଜେଏସ୍ପିଏଲ୍ ସର୍ବାଧିକ ୧୧୮.୧ ପ୍ରତିଶତ ପ୍ରମିୟମରେ ହାତେଇଥିବା ବେଳେ ଆଜି ନଦୀଡିହି ଲୁହାପଥର ଖଣି (ବାଇକୋ)କୁ ଇଲେକ୍ଟ୍ରୋ ଷ୍ଟିଲ୍ ଲିମିଟେଡ ହାତେଇଛି। ନିଲାମ ପ୍ରକ୍ରିୟାରେ ମୋଟ ୭ଟି କମ୍ପାନି ସାମିଲ ହୋଇଥିଲେ। ସର୍ବାଧିକ ୯୫.୬ ପ୍ରତିଶତ ପ୍ରମିୟିମ ଦେଇ ନଦୀଡିହି ଲୁହାପଥର ଖଣିକୁ ଇଲେକ୍ଟ୍ରୋ ଷ୍ଟିଲ୍ ହାତେଇବାରେ ସଫଳ ହୋଇଛି।
ନଦୀଡିହି ଆଇରନ ବ୍ଲକ୍ (ବାଇକୋ) ମୋଟ ୭୪.୫ ହେକ୍ଟର ଅଞ୍ଚଳରେ ରହିଛି। ଏଠାରେ ୨୨.୨୨୮ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଏହି ଲୁହାପଥର ଖଣି ନେବାପାଇଁ ଏକାଧିକ କମ୍ପାନି ଆବେଦନ କରିଥିଲେ। ପ୍ରାଇସ୍ ବିଡିଂରେ ୭ଟି କମ୍ପାନି ଉତ୍ତୀର୍ଣ୍ଣ ହୋଇଥିଲେ। ଆର୍ସେଲର ମିତ୍ତଲ, ଇଲେକ୍ଟ୍ରୋ ଷ୍ଟିଲ୍ ଲିମିଟେଡ, ଜଗନ୍ନାଥ ଷ୍ଟିଲ୍, ରାମଗଡ଼ ମିନେରାଲ ଆଣ୍ଡ ମାଇନିଂ, ରୁଙ୍ଗଟା ମାଇନ୍ସ, ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍, ଓଡ଼ିଶା ମେଟାଲିକ୍ସ ଭଳି କମ୍ପାନି ଗୁଡ଼ିକ ଶେଷ ପର୍ଯ୍ୟାୟ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲା। ଏହି ଖଣିର ବେସ୍ ପ୍ରାଇସ୍ ୭୬ ପ୍ରତିଶତ ଥିବାବେଳେ ଇଲେକ୍ଟ୍ରୋ ଷ୍ଟିଲ୍ ଲିମିଟେଡ ୯୫ .୬ ପ୍ରତିଶତ ପ୍ରିମିୟମରେ ଏହି ଖଣିକୁ ହାତେଇବାରେ ସଫଳ ହୋଇଛି।
ନଦୀଡିହିରେ ଦୁଇଟି ଖଣି ରହିଛି। ନଦୀଡିହି ଲୁହାପଥର ଖଣି (ବାଇକୋ)ର ନିଲାମ ଶେଷ ହୋଇଥିବାବେଳେ ନଦୀଡିହି ଆଇରନ ଆଣ୍ଡ ମାଙ୍ଗାନିଜ ଖଣି (ଫିଗ୍ରେଡ୍) ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି। ମୋଟ ୧୧୭.୨୦୬ ହେକ୍ଟର ଅଞ୍ଚଳରେ ଥିବା ଏହି ଖଣିରେ ୨୩.୬୯ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ଅଛି। ଏହି ଖଣି ପାଇଁ ୫ଟି କମ୍ପାନି ନିଲାମ ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ସାମିଲ ହୋଇଛନ୍ତି। ସେଗୁଡ଼ିକ ହେଲେ ଆର୍ସେଲର ମିତ୍ତଲ, ଇଲେକ୍ଟ୍ରୋ ଷ୍ଟିଲ୍ ଲିମିଟେଡ, ରାମଗଡ଼ ମିନେରାଲ ଆଣ୍ଡ ମାଇନିଂ, ରୁଙ୍ଗଟା ମାଇନ୍ସ ଏବଂ ଓଡ଼ିଶା ମେଟାଲିକ୍ସ।
Follow Us