ଆଜିଠୁ ଖୋଲିବ ପ୍ରାଥମିକ ସ୍କୁଲ: ୧୮ ମାସ ପରେ ଖୋଲିବ ୮ମ ଶ୍ରେଣୀ, ପ୍ରଥମ ଦୁଇଦିନ ପାଠପଢ଼ା ହେବନି

Advertisment

୨୭ରୁ ୨୯ ଯାଏ ଶିକ୍ଷଣସ୍ତରର ଆକଳନ ହେବ

୨୭ରୁ ୨୯ ଯାଏ ଶିକ୍ଷଣସ୍ତରର ଆକଳନ ହେବ

ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ  ଡି ଶିବୁଲାଲଙ୍କ ଫାଉଣ୍ଡେସନର ଶିକ୍ଷା ବୃତ୍ତି

Sambad English

ଭୁବନେଶ୍ବର: ୧୮ ମାସ ପରେ ସୋମବାର ଖୋଲିବ ପ୍ରାଥମିକ ବିଦ୍ୟାଳୟ। ପ୍ରଥମେ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ। ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ବିଦ୍ୟାଳୟ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ସ୍କୁଲ ଖୋଲିବା ପୂର୍ବରୁ ଗତ ୮ ଦିନ ହେଲା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତି(ଏସ୍‌ଏମ୍‌ସି)ର ବୈଠକ ବସି ଅଷ୍ଟମ ଶ୍ରେଣୀର ପିଲାମାନଙ୍କର ପାଠପଢ଼ା ସମ୍ପର୍କିତ ଆଲୋଚନା କରାଯାଇଛି।
ଇତିମଧ୍ୟରେ ସ୍କୁଲଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ସହ ବିଶୋ‌ଧନ କରାଯାଇଛି। ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ଯଥା ଅକ୍ଟୋବର ୨୫ ଓ ୨୬ରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍‌ ସମୟରେ କିପରି ବିତାଇଲ ତା’ ଉପରେ ଆଲୋଚନା ଅନୁଷ୍ଠିତ ହେବ। ଏହି ଦୁଇଦିନ କୌଣସି ପାଠପଢ଼ା ହେବ ନାହିଁ। ପିଲାମାନେ ମୁକ୍ତ ଭାବେ ବିଦ୍ୟାଳୟ ଭିତରେ ବୁଲିବା, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା, ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ଆଲୋଚନା ଇତ୍ୟାଦି କାର୍ଯ୍ୟକ୍ରମ କରିବେ।

ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନେ ଚେଷ୍ଟା କରିବେ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ୭ମ ଶ୍ରେଣୀରେ କିଛି ପଢ଼ିନାହାନ୍ତି। ଷଷ୍ଠ ଶ୍ରେଣୀର ପାଠ ଉପରେ ସେମାନଙ୍କର କିଛି ଧାରଣା ରହିଛି। ତେଣୁ ସବୁ ପିଲାଙ୍କ ଶିକ୍ଷଣସ୍ତରର ଏକ ଆକଳନ କରାଯିବ। ୨୭ ତାରିଖରେ ଓଡ଼ିଆ, ୨୮ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ଆକଳନରେ ଅଂଶଗ୍ରହଣ କରିବେ। ଏହାର ସମୟସୀମା ମାତ୍ର ୧ଘଣ୍ଟା ରହିବ। ପ୍ରଶ୍ନପତ୍ର ଓସେପା ଓ ଏସ୍‌ସିଇଆରଟି ପକ୍ଷରୁ ଯୋଗାଇ ଦିଆଯିବ। ପ୍ରଧାନ ଶିକ୍ଷକମାନେ ପ୍ରଶ୍ନପତ୍ରକୁ ଜେରକ୍ସ କରି ସବୁ ଛାତ୍ରଛାତ୍ରୀମାନଙ୍କୁ ଦେବେ। ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବେ, ପ୍ରଧାନଶିକ୍ଷକ/ଶିକ୍ଷକ ସେମାନଙ୍କ ଘରକୁ ବା ଗାଁକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଫଳାଫଳ ଲିପିବଦ୍ଧ କରାଯାଇ ଏହାର ବିଶ୍ଳେଷଣ ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯିବ।

୧୮ ମାସ ପରେ କ୍ଲାସରୁମ୍‌ ଶିକ୍ଷା ଆରମ୍ଭ ହେଉଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସପ୍ତମ ଶ୍ରେଣୀର ସହଜ ବିଷୟବସ୍ତୁ ପ୍ରଥମେ ପଢ଼ାଇବେ। ଯେଉଁ ବିଷୟଗୁଡ଼ିକ ଉଭୟ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ରହିଛି, ସେଗୁଡ଼ିକୁ ପ୍ରଥମେ ପଢ଼ାଇ ପିଲାଙ୍କ ମନରୁ ପାଠ ପ୍ରତି ଭୟ ଦୂର କରିବା ଉଚିତ୍। ବିଦ୍ୟାଳୟ ତ୍ୟାଗ କରିଥିବା ଛାତ୍ରଛାତ୍ରୀଙ୍କ ସର୍ଭେ ଶେଷ ହୋଇଛି। ସେମାନଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ଏସ୍‌ଏମ୍‌ସି/ପିଟିଏ ଓ ଗୋଷ୍ଠୀ ସହ ଯୋଗାଯୋଗ କରାଯିବାକୁ କୁହାଯାଇଛି। ସେହି ଛାତ୍ରଛାତ୍ରୀଙ୍କର ବିଦ୍ୟାଳୟରେ ନାମଲେଖା ଅତ୍ୟନ୍ତ ଜରୁରୀ। ବିଦ୍ୟାଳୟ ବନ୍ଦ ରହିବା ଯୋଗୁଁ ପିଲାମାନେ କୌଣସି ଲିଖିତ କାର୍ଯ୍ୟ କରିନାହାନ୍ତି। ସେଥିପାଇଁ ଶିକ୍ଷକ ପ୍ରତିପିଲାଙ୍କୁ ସବୁଦିନ କିଛି ଲିଖିତ କାର୍ଯ୍ୟ ଦେବେ ଏବଂ ସେହି କାର୍ଯ୍ୟକୁ ମଧ୍ୟ ସଂଶୋଧନ କରାଇବେ। ମାତାପିତା ଓ ଅଭିଭାବକଙ୍କ ସହ ଏବିଷୟରେ ଆଲୋଚନା କରିବେ। ଶିକ୍ଷକମାନେ ପ୍ରତ୍ୟେକ ଦିନ ଯେଉଁ ବିଷୟ ପଢ଼ାଇବେ, ତାର ଲେସନ୍ ନୋଟ୍ ତିଆରି କରି ଶ୍ରେଣୀକୁ ଯିବେ। ସେହି ଅନୁଯାୟୀ ପାଠ ପଢ଼ାଇବେ ଓ ପିଲାଙ୍କର ଦକ୍ଷତା ମାପିବେ। ପ୍ରଧାନଶିକ୍ଷକମାନେ ନିଶ୍ଚିତ ଭାବେ ଶ୍ରେଣୀରେ ପଢ଼ାଇବେ। ଅନ୍ୟ ଶିକ୍ଷକମାନଙ୍କର ପାଠପଢ଼ାକୁ ଶ୍ରେଣୀର ପଛବେଞ୍ଚରେ ବସି ପ୍ରଧାନଶିକ୍ଷକ ନିରୀକ୍ଷଣ କରିବେ। ସେହି ଅନୁଯାୟୀ ପ୍ରଧାନଶିକ୍ଷକ ଶିକ୍ଷକଙ୍କୁ ଉଚିତ୍ ମାର୍ଗଦର୍ଶନ ଦେଇପାରିବେ। ପ୍ରତି ଦିନ ପାଠପଢ଼ା ଶେଷ ହେବା ପରେ ପ୍ରଧାନଶିକ୍ଷକ ୩୦ମିନିଟ୍‌ର ଏକ ବୈଠକ କରି ପାଠପଢ଼ାର ଅଗ୍ରଗତି ବିଷୟରେ ସମୀକ୍ଷା କରିବେ। ପରଦିନ ପାଇଁ ମଧ୍ୟ ପାଠପଢ଼ାର ଯୋଜନା ତିଆରି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe