ଲକଡାଉନ୍‌ ପ୍ରଭାବରେ ସହରମୁହାଁ ବନ୍ୟପ୍ରାଣୀ! ବିଳମ୍ବିତ ରାତିରେ ବାରିପଦା ନିକଟସ୍ଥ ରାଜପଥରେ ଝାଡଖଣ୍ଡ ହାତୀ

Advertisment
ଲକଡାଉନ୍‌ ପ୍ରଭାବରେ ସହରମୁହାଁ ବନ୍ୟପ୍ରାଣୀ!  ବିଳମ୍ବିତ ରାତିରେ ବାରିପଦା ନିକଟସ୍ଥ ରାଜପଥରେ ଝାଡଖଣ୍ଡ ହାତୀ

ବାରିପଦା: ଲକଡାଉନ୍ ପ୍ରଭାବ ବନ୍ୟପ୍ରାଣୀଙ୍କ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଲକଡାଉନ୍ ସୃଷ୍ଟି ହୋଇଥିବା ଶୂନ୍ୟତା କାରଣରୁ ବନ୍ୟପ୍ରାଣୀମାନେ ସହରମୁହାଁ ହେଉଥିବା ଦେଖିବାକୁ ମିଳିଛି। ଏମିତି କିଛି ଦୃଶ୍ୟ ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ବାରିପଦାରେ।

ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏକ ୫ଜଣିଆ ହାତୀ ପଲ ଗତକାଲି ରାତି ପ୍ରାୟ ୨ଟା ସମୟରେ ଦେଉଳି ରେଞ୍ଜରୁ ଆସି ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ପାର୍ଶ୍ବରେ ଥିବା ଦାରୋଗାଡ଼ାହି ଶ୍ମଶାନ ନିକଟରେ ପହଞ୍ଚିଥିଲେ । ଖବରପାଇ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକଙ୍କ ସହିତ ବନ କର୍ମଚାରୀମାନେ ହାତୀ ପଲ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ କରିବା ସଂଗେସଂଗେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଫଳରେ ଭୋର ୪ଟା ସୁଦ୍ଧା ବନ ବିଭାଗର କର୍ମଚାରୀମାନଙ୍କର ଉଦ୍ୟମ ଫଳରେ ହାତୀ ପଲ ବାରିପଦା ସହର ମଧ୍ୟକୁ ପ୍ରବେଶ କରି ନ ପାରି ସେହି ଶ୍ମଶାନ ନିକଟରୁ ଫେରିଯାଇଥିଲା। ବର୍ତ୍ତମାନ ସମୟରେ ଉକ୍ତ ହାତୀ ପଲ ଦେଉଳି ରେଞ୍ଜ ଅଧୀନ ବାଙ୍କିଶୋଳ ସଂରକ୍ଷିତ ଶାଗୁଆନ ଜଙ୍ଗଲ ମଧ୍ୟରେ ରହିଥିବାର ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ ସୂଚନା ଦେଇଛନ୍ତି। ଏହି ସମୟରେ ବନ ବିଭାଗ ନିକଟରୁ ସୂଚନା ପାଇବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଇ ଥିଲା ।

ସେହିପରି ରବିବାର ସନ୍ଧ୍ୟାରେ ରାସଗୋବିନ୍ଦପୁର ରେଞ୍ଜ ଅଧୀନରେ ଚିତ୍ରଡ଼ା ଅଞ୍ଚଳ ପାଟପୁର ବୈଷୟିକ ଶିକ୍ଷାନୁଷ୍ଠାନ ନିକଟରେ ପ୍ରାୟ ୧୫ରୁ ଅଧିକ ଅନ୍ୟ ଏକ ଝାଡ଼ଖଣ୍ଡୀ ହାତୀ ପଲ ଜନବସତି ମୁହାଁ ହୋଇଥିଲେ। ବନ କର୍ମଚାରୀଙ୍କ ଉଦ୍ୟମ ପରେ ସେମାନେ ଫେରିଯାଇଥିଲେ । ଲକଡାଉନକୁ  ଅଣଦେଖା କରି ହାତୀମାନଙ୍କୁ ଦେଖିବା ନିମନ୍ତେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଗ୍ରାମବାସୀମାନେ ଏକତ୍ରିତ ହୋଇ ଭିଡ଼ ଜମାଇବାରୁ ବନ କର୍ମଚାରୀମାନେ ପୁଲିସର ସହାୟତା ନେଇଥିଲେ । ପ୍ରାୟ ଏକ ମାସ ହେବ ହାତୀପଲ ଦଲମା ଜଙ୍ଗଲକୁ ଫେରି ନ ଯାଇ ରାସଗୋବିନ୍ଦପୁର ଓ ଦେଉଳି ରେଞ୍ଜ ମଧ୍ୟରେ ଘୁରି ବୁଲୁଥିବାର ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe