Kerala Kaumudi
ରାସଗୋବିନ୍ଦପୁର/ମାଣିଦା : ହାତୀ ଭଳି ବିଶାଳ ଜନ୍ତୁକୁ ପୋଷା ମନାଇପାରୁଛି ମଣିଷ। ହେଲେ ସମୟ ପଡ଼ିଲେ ଏହି ବନ୍ୟଜନ୍ତୁ କେତେ ହିଂସ୍ର ହୋଇପଡ଼େ, ତାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅଞ୍ଚଳରେ। ଜଣେ ବୃଦ୍ଧାଙ୍କୁ କଚାଡ଼ି ମାରିବା ପରେ ବି ଶାନ୍ତ ହୋଇନି ହାତୀ। ଶବ ସତ୍କାର ବେଳେ ପହଞ୍ଚି ଉକ୍ତ ମହିଳାଙ୍କ ମୃତଦେହକୁ ପାଦରେ ଦଳିମକଚି ଖିନ୍ଭିନ୍ କରିଦେଇଛି।
ରାସଗୋବିନ୍ଦପୁର ବ୍ଲକ୍ ଛାତନା ପଞ୍ଚାୟତ ରାଇପାଳ ଗ୍ରାମର ଚାମରୁ ମୁର୍ମୁଙ୍କ ପତ୍ନୀ ମାୟା (୫୯) ଗତକାଲି ହାତୀ ଆକ୍ରମଣର ଶିକାର ହୋଇଥିଲେ। ଭୋର୍ ସମୟରେ ଗାଁ ମୁଣ୍ଡ ନଳକୂଅ ପାଖକୁ ପାଣି ଆଣିବାକୁ ଯାଇଥିବାବେଳେ ପାଖ ଜଙ୍ଗଲରୁ ଚାଲି ଆସିଥିବା ଏକ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା। ଗ୍ରାମବାସୀ ବହୁକଷ୍ଟରେ ହାତୀକୁ ଘଉଡ଼ାଇବା ପରେ ମାୟାଙ୍କୁ ଉଦ୍ଧାର କରି ବାରିପଦା ପିଆର୍ଏମ୍ ମେଡିକାଲ କଲେଜ ହାସ୍ପାତାଳକୁ ଆଣିଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଶବ ବ୍ୟବଚ୍ଛେଦ ପରେ ରାତି ପ୍ରାୟ ୮ଟା ସମୟରେ ଗାଁରେ ପହଞ୍ଚିଥିଲା ମୃତଦେହ। ଆଦିବାସୀ ପରମ୍ପରା ଅନୁଯାୟୀ ଗାଁ ମୁଣ୍ଡରେ ଗାତ ଖୋଳି ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚଳାଇଥିଲେ ଆତ୍ମୀୟସ୍ବଜନ। ଗାତ ଭିତରେ ଶବ ମଧ୍ୟ ରଖାସରିଥିଲା। ହଠାତ୍ ଏହି ସମୟରେ ଜଙ୍ଗଲରୁ ବାହାରି ଆସିଥିଲା ସକାଳୁ ଆକ୍ରମଣ କରିଥିବା ଦନ୍ତା। ହାତୀକୁ ଦେଖି ଯେ ଯୁଆଡ଼େ ଜୀବନ ବିକଳରେ ଦୌଡ଼ିଥିଲେ। ଦନ୍ତା ଅନ୍ୟକୁଆଡ଼େ ନଯାଇ ଗାତ ପାଖକୁ ଆସି ମୃତଦେହକୁ ଗାତରୁ ଟେକି ଆଣିଥିଲା। ପରେ ଶବକୁ ପାଦରେ ଦଳିଚକଟି ଅନ୍ତବୁଜୁଳା ବାହାର କରିଦେଇଥିଲା। ଏହି ସମୟରେ ଦନ୍ତା ଏତେ ହିଂସ୍ର ହୋଇ ଉଠିଥିଲା ଯେ, ତା ଗର୍ଜନରେ ପୂରା ଗାଁ ଥରି ଉଠିଥିଲା।
ହାତୀ ଫେରିବା ପରେ ଆଜି ସକାଳେ ଗ୍ରାମବାସୀ ମାୟାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।
Follow Us