ହାତୀ ଉପଦ୍ରବ : ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

୩ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବୁ: ଗ୍ରାମବାସୀ, ଫରେଷ୍ଟରଙ୍କ ବଦଳି ଦାବି

ହାତୀ ଉପଦ୍ରବ : ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର : ହାତୀ ଉପଦ୍ରବରେ ଅତିଷ୍ଟ ହୋଇ ଗୁରୁବାର ଯୁଜୁମୁରା ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ଶତାଧିକ ଗ୍ରାମପଞ୍ଚାୟତବାସୀ ସମ୍ବଲପୁର ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ପଞ୍ଚାୟତରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନ ବିଭାଗ ଚୁପ୍‌ ହୋଇ ବସି ରହିଛି। ହାତୀ ପଞ୍ଚାୟତରେ ବହୁ ଲୋକଙ୍କ ଘର ଭାଙ୍ଗିବା ସହ ପନିପରିବା, ଧାନ ଚାଉଳ ଆଦି ଖାଉଦେଉଛି। ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏଭଳି ଅଭିଯୋଗ କରି ପଞ୍ଚାୟତବାସୀ ଡିଏଫଓଙ୍କ କାର୍ଯ୍ୟାଳୟ ପରିସରରେ ହୋହାଲ୍ଲା କରିଥିଲେ। ଏହା ସହିତ ଫରେଷ୍ଟର୍‌ଙ୍କ ବଦଳି ମଧ୍ୟ ଦାବି କରିଥିଲେ।

ପଞ୍ଚାୟତର ଲୋକଙ୍କ କହିବା ଅନୁଯାୟୀ ହାତୀ ଭୟରେ ନା ଦିନ ନା ରାତି, କେତେବେଳେ ବି ଘରେ ରହିପାରୁନୁ। ସନ୍ଧ୍ୟା ହେଲେ ହାତୀ ଭୟରେ ଗଛ ଉପରେ ରହୁଛୁ। ପରିବାର ଭରଣପୋଷଣ ପାଇଁ ଯାହା ପନିପରିବା ଚାଷ କରିଛୁ ତାକୁ ମଧ୍ୟ ହାତୀ ଖାଇ ଦେଉଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଫରେଷ୍ଟର କିଛି କାମ କରୁନାହାନ୍ତି, କ୍ଷତିପୂରଣ ଦେବା ପାଇଁ କେବଳ ଫର୍ମ ପୂରଣ କରି ନେଇଯାଉଛନ୍ତି। ୩ ମାସ ପରେ ତାକୁ ପୁଣି ଫେରାଇ ଦେଉଛନ୍ତି। କୌଣସି କ୍ଷତିପୂରଣ ମିଳୁନାହିଁ। ତେଣୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ସହ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ପଞ୍ଚାୟତ ଅଧୀନ ମାରଵାଡିବନ୍ଧ, ମୁଣ୍ଡେର, ଭବାନୀପାଲି, ଠଲଁ ଓ ଖଇରାପଡ଼ା ଗ୍ରାମବାସୀ ଦାବି କରିଛନ୍ତି।

ଆଶା ଭୋଇ(ମାରଵାଡିବନ୍ଦ): ଗାଁଠୁ ଟିକେ ଦୂରରେ ଆମ ଘର। ସନ୍ଧ୍ୟା ନ ହେଉଣୁ ହାତୀ ଆସି ଗାଁରେ ବୁଲୁଛି। ଆମେ ହାତୀ ଭୟରେ ମାସେ ହେବ ଗଛ ଉପରେ ମଞ୍ଚା ମାରି ରହୁଛୁ। ବୁଧବାର ଗଛ ଉପରେ ଗୋଟିଏ ସାପ ରହିଥିବାରୁ ଆମେ ବାଧ୍ୟ ହୋଇ ଗାଁ ଭିତରକୁ ଆସି ଆଉ ଜଣଙ୍କ ଘରେ ଶୋଇଥିଲୁ। ହାତୀ ପାଇଁ ବହୁତ ଅସୁବିଧା ହେଉଛି।

ମୋହନ ଭୋଇ(ଖଇରାପଡ଼ା): ହାତୀ ଆମ ଘର ଭାଙ୍ଗି ଦେଇଛି। ଧାନ ଚାଉଳ ଖାଇ ଦେଇଛି। ବହୁତ ଅସୁବିଧାରେ ଚଳୁଛୁ। ଆମର ଯାହା କ୍ଷତି ହୋଇଛି ସେସବୁ ଦେବେ ବୋଲି ଦାବି କରିବାକୁ ଆସିଛି। ଏହା ସହିତ ସବୁଦିନ ଯେମିତି ବିନା ଭୟରେ ରହିବୁ ସେ ଦିଗରେ ସୁବିଧା କରିବେ ବୋଲି ଅନୁରୋଧ କରୁଛୁ।

ଦେବରାଜ କର(ମୁଣ୍ଡେର): ଆଜ୍ଞା ହାତୀ ଘର ଦ୍ବାର ଭାଙ୍ଗି ଦେଉଛି। ଘରେ ରହିବାକୁ ଭୟ ଲାଗୁଛି। କେବଳ ସେତିକି ନୁହେଁ ସରକାର ଲୋକଙ୍କୁ ଚାଉଳ ବାଣ୍ଟୁଛନ୍ତି, କିନ୍ତୁ ସେଇ ଚାଉଳ ବି ହାତୀ ଖାଉଛି। ରାସନକାର୍ଡ ଏବେ ଲୋକଙ୍କର ନ ହଇ ହାତୀଙ୍କର ହୋଇଗଲାଣି। ସବୁଦିନ ମରିମରି ବଞ୍ଚିବା ଭଳି ମନେହେଉଛି। ତେଣୁ ସରକାର ଯଥାଶୀଘ୍ର ଏହାର ସମାଧାନ କରିବା ଜରୁରୀ।

ଅନ୍ୟପଟେ ବନ ବିଭାଗ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ୩ ଦିନ ସମୟ ମାଗିଛନ୍ତି। ୩ ଦିନ ଭିତରେ ଲୋକଙ୍କ ସୁରକ୍ଷା ପାଇଁ କାମ ଆରମ୍ଭ କରାଯିବ ବୋଲି କହିବା ସହ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି କହାଯାଇଥିବା ଗ୍ରାମବାସୀ କହିଛନ୍ତି। ତେବେ ୩ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe