photo by : tamil.samayam.com
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ତେବେ ଏସଂପର୍କରେ ବନ ବିଭାଗକୁ ଜଣାଇଥିଲେ ମଧ୍ୟ ଦୃଷ୍ଟି ଦେଉନଥିବା ଡଙ୍ଗରିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ କିଛି ମାସ ହେବ ନିୟମଗିରି ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଥିବା ଏକ ପଲ ଗାଁ ଗାଁ ବୁଲି ଫସଲ ନଷ୍ଟ କରୁଥିବାରୁ ଡଙ୍ଗରିଆମାନେ ବ୍ୟାପକ କ୍ଷତି ସହୁଛନ୍ତି। ଏହି ପଞ୍ଚାୟତର ଲାଖପଦର ଠାରୁ କାଣସୁର ଏବଂ ଚାଟିକୋଣା ଠାରୁ ବୁଡୁଣି ପର୍ଯ୍ୟନ୍ତ ହାତୀ ପଲ ବ୍ୟାପକ ଫସଲ ନଷ୍ଟ କରୁଥିଲେବି ବନପାଳ ଉକ୍ତ ଅଞ୍ଚଳ ଗସ୍ତ ନକରି ପାରାଗାର୍ଡ, ହାତୀ ସ୍କ୍ଵାର୍ଡଙ୍କୁ ପଠାଇ ଦେଇ କାମ ସାରି ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି।
ତେବେ କ୍ଷତି ହୋଇଥିବା ଫସଲର ଆକଳନ ଏବଂ ହାତୀକୁ ଘଉଡାଇବା ବ୍ୟବସ୍ଥା କରିବା ନେଇ ଚିନ୍ତା କରୁନଥିବାରୁ ଗାଁ ଲୋକେ ରାତି ହେଲେ ଶୋଇପାରୁନଥିବା ପ୍ରକାଶ କରିଛନ୍ତି। କେତେକ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଏସଂପର୍କରେ ଡଙ୍ଗରିଆମାନେ ବନପାଳଙ୍କୁ ଜଣାଇବା ପାଇଁ ବନ ବିଭାଗ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ କେହି ରହୁନଥିବାରୁ ନିରାଶ ଫେରିବାକୁ ପଡୁଥିବା ଅଭିଯୋଗ କରିଛନ୍ତ। ଏହି ହାତୀ ପଲ ପାର୍ସାଲି ନିକଟସ୍ଥ ତୁଟା, ଭାଲେରି, କାଣଶୁର ଗ୍ରାମକୁ ଆସି ପ୍ରାୟ ପଚାଶ ଏକର ପାହାଡିଆ ଜମିରେ କାନ୍ଦୁଲ, ଝୁଡୁଙ୍ଗ, କାଙ୍ଗୁ, ଖସଳା, ଗାଣ୍ଟିଆ, ବିରି, ଲଙ୍ଗଳ କନ୍ଦାକୁ ନଷ୍ଟ କରିଦେଇଥିବାରୁ କେମିତି ଚଳିବେ ବୋଲି ଟୁଷୁ ସିକକା, ପାଲ ସିକକା, କାରୁମୁ ପୁଷିକା, ହାକି ସିକକା, ମାଝିବାଣି ସିକକା ଅଭିଯୋଗ କରିଥିବା ବେଳେ ଫରେଷ୍ଟର ଘଟଣାର ତଦନ୍ତ କରିବାକୁ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ରେଞ୍ଜର ପ୍ରଫୁଲ୍ଲ କୁମାର ନାୟକଙ୍କୁ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି।
Follow Us