କୁମାରଖୁଣ୍ଟିରେ ହାତୀ ଥଇଥାନ କେନ୍ଦ୍ର, ହାତୀ ଉଦ୍ଧାର ଓ ପୁନର୍ବାସ କ୍ଷେତ୍ରରେ ସହାୟକ ହେବ

Advertisment

ଭିତ୍ତିପ୍ରସ୍ତର ସ୍ଥାପନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭିତ୍ତିପ୍ରସ୍ତର ସ୍ଥାପନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

କୁମାରଖୁଣ୍ଟିରେ ହାତୀ ଥଇଥାନ କେନ୍ଦ୍ର, ହାତୀ ଉଦ୍ଧାର ଓ ପୁନର୍ବାସ କ୍ଷେତ୍ରରେ ସହାୟକ ହେବ

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା କୁମାରଖୁଣ୍ଟିଠାରେ ହାତୀ ଥଇଥାନ କେନ୍ଦ୍ର ପ୍ରତିଷ୍ଠା ହେବ। ସାଢ଼େ ୧୦ ହେକ୍ଟର ପରିମିତ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଥଇଥାନ କେନ୍ଦ୍ର ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ପ୍ରକଳ୍ପ ମଞ୍ଜୁରି ପାଇସାରିଛି। ଉଦ୍ଧାର କରାଯାଇଥିବା ହାତୀମାନଙ୍କୁ ସେଠାରେ ଆଶ୍ରୟ ଦେଇ ସେମ‌ାନଙ୍କ ସେବା, ଶୁଶ୍ରୁଷା ଓ ଚିକିତ୍ସା କରାଯିବ। ମା'ଠାରୁ ପୃଥକ ହୋଇଯାଇଥିବା ହାତୀ ଶାବକଙ୍କୁ ମଧ୍ୟ ଏଠାରେ ରଖାଯିବ। ସେମାନଙ୍କ ପାଇଁ ଅଭିଜ୍ଞ ମାହୁନ୍ତମାନେ ନିୟୋଜିତ ହେବେ। ହାତୀ ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକମାନଙ୍କୁ ନିୟୋଜିତ କରାଯାଇ ହାତୀ ଚିକିତ୍ସାକୁ ତ୍ବରାନ୍ବିତ କରାଯିବ। ମାହୁନ୍ତଙ୍କ ପାଇଁ ବ୍ୟବସ୍ଥା, ପ୍ରାଣୀ ଚିକିତ୍ସା ପ୍ରୟୋଗଶାଳା, ରନ୍ଧନଶାଳା ଆଦି ବ୍ୟବସ୍ଥା ହେବ। ହାତୀଙ୍କ ଖାଇବା ପାଇଁ ଘାସ, ଗଛ ପତ୍ର ଆଦିର ସ୍ବତନ୍ତ୍ର ଓ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ। ଏବେ ଏଠାରେ ୩ଟି ହାତୀ ରହିଛନ୍ତି। ଆଉ ଗୋଟିଏ ରହିବାର କ୍ଷମତା ରହିଛି। ଆବଶ୍ୟକସ୍ଥଳେ ଏଭଳି ୪ଟି ଅସ୍ଥାୟୀ ହାତୀ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପକ୍ଷରେ ହାତୀ-ମଣିଷ ଲଢ଼େଇ ରୋକିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି। ବିଶେଷକରି ଜନବସତି ମଧ୍ୟରେ ପ୍ରବେଶ କରି ହାତୀ କ୍ଷତି ଘଟାଇବା ସମସ୍ୟାର ସମାଧାନ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି। ଯାହା ଆଧାରରେ ସାରା ଦେଶରେ 'ପ୍ରକଳ୍ପ ହାତୀ' କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ହାତୀ ଉଦ୍ଧାର ଓ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ଅନ୍ୟତମ। ଏଥିରେ ଆହତ ହାତୀମାନଙ୍କୁ ରଖାଯାଇ ସେମାନଙ୍କ ଚିକିତ୍ସା କରାଯାଇପାରିବ। ହାତୀ ଗଣନା ଅନୁଯାୟୀ ଓଡ଼ିଶାରେ ପାଖାପାଖି ଦୁଇ ହଜାର ହାତୀ ରହିଛନ୍ତି। ମଣିଷ-ହାତୀ ସଂଘର୍ଷରେ ପ୍ରତିବର୍ଷ ୮୦ଟି ହାତୀ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ହାରାହାରି ଶହେ ଲୋକଙ୍କ ଜୀବନ ଯାଉଛି। ଏଥିସହ ବନ ବିଭାଗର କର୍ମଚାରୀ ଓ ସାଧାରଣ ଲୋକଙ୍କ ଧନଜୀବନ ହାନି ଘଟୁଛି। ସମୟ ସମୟରେ ହାତୀ ଜନବସତି ମଧ୍ୟକୁ ପଶି ଆସିବାରୁ ବହୁ କ୍ଷତି ହେଉଛି। କିଛି ଦିନ ତଳେ ଯାଜପୁର, ଢେଙ୍କାନାଳ ଓ ଖୋର୍ଧା ବନ ଡିଭିଜନ୍‌ରେ ଏଭଳି ଘଟଣା ଦୃଷ୍ଟିଗୋଚର ହୋଇଛି। ବ୍ୟାପକ ଭିତ୍ତିଭୂମି ଉନ୍ନୟନ, ଜନବସତିର ବୃଦ୍ଧି ଓ ଜଙ୍ଗଲ ଜମିର ପରିବର୍ତନ ଯୋଗୁଁ ହାତୀ ଆଶ୍ରୟସ୍ଥଳ କମୁଛି। ଏହି ସମସ୍ୟାର ମୂଳ କାରଣ ଓ ସମାଧାନ ଅତ୍ୟାବଶ୍ୟକ ହୋଇପଡ଼ିଛି। ହାତୀମାନଙ୍କ ପାଇଁ ଏହି ଥଇଥାନ କେନ୍ଦ୍ର ବା ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରତିଷ୍ଠା ହାତୀ ଉଦ୍ଧାର ଓ ପୁନର୍ବାସ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ରୂପେ ସାବ୍ୟସ୍ତ ହେବ ଏବଂ 'ପ୍ରକଳ୍ପ ହାତୀ' ଯୋଜନାକୁ ସମୁଚିତ ଭାବେ ରୂପାୟନ କରିବ ବୋଲି ଥଇଥାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ଏହି ଉତ୍ସବରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ, ଚନ୍ଦକା ଡିଏଫ୍‌ଓ କେଦାରନାଥ ସ୍ବାଇଁଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe