ମହେନ୍ଦ୍ର, ରାଜକୁମାରକୁ ଛାଡ଼ିଲେନି

Advertisment

୨୦ କିଲୋମିଟର ପଛକୁ ଫେରିଲେ ଶିମିଳିପାଳର ୨ ହାତୀ

୨୦ କିଲୋମିଟର ପଛକୁ ଫେରିଲେ ଶିମିଳିପାଳର ୨ ହାତୀ

ମହେନ୍ଦ୍ର, ରାଜକୁମାରକୁ ଛାଡ଼ିଲେନି

କରଞ୍ଜିଆ/ଯଶିପୁର: ମହେନ୍ଦ୍ର ଓ ରାଜକୁମାରଙ୍କୁ ଆଜି ବି ଲୋକ ଛାଡ଼ିଲେନି। ସାତକୋଶିଆ ଅଭୟାରଣ୍ୟ ଅଭିମୁଖେ ଏହି ଦୁଇ ପୋଷା ହାତୀ ୨୦ କିଲୋମିଟର ପଥ ଅତିକ୍ରମ କରିସାରିଥିଲେ। ଲୋକମାନେ ବିରୋଧ କରିବାରୁ ପୁଣିଥରେ ଶିମିଳିପାଳ ଫେରିଆସିଲେ। ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ମହାବଳ ବାଘ ଉପରେ ନଜର ରଖିବା ପାଇଁ ଶିମିଳିପାଳର ଏହି ଦୁଇ ପୋଷା ହାତୀଙ୍କୁ ସ୍ଥାନାନ୍ତର ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ତେଣୁ ଗତ ମାସ ୨୪ ତାରିଖରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତୃପକ୍ଷ ଯଶିପୁରଠାରେ ଏଥିପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ମୟୂରଭଞ୍ଜର ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରିଆଙ୍କ ସମେତ ଯଶିପୁର କଂଗ୍ରେସ ନେତୃବୃନ୍ଦ ଏହାକୁ ଦୃଢ ବିରୋଧ କରିଥିଲେ। ହାତୀମାନଙ୍କୁ କସ୍ମିନ କାଳେ ଶିମିଳିପାଳରୁ ସାତକୋଶିଆକୁ ସ୍ଥାନାନ୍ତର କରାଯାଇ ପାରିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଥିଲେ।

ଲୋକମାନଙ୍କ ବିରୋଧକୁ ଦୃଷ୍ଟିରେ ରଖି ବନ ବିଭାଗର କର୍ମଚାରୀମାନେ ସମସ୍ତଙ୍କ ଅଗୋଚରରେ ରାତି ୩ଟା ବେଳେ ହାତୀମାନଙ୍କୁ ଚଲାଇ ଚଲାଇ ନେଇଯାଇଥିଲେ। ତେବେ ହାତୀ ଦୁଇଟି ଯଶିପୁରରୁ ୧୦/୧୨ କିମି ବାଟ ଯିବା ପରେ ଏ ଖବର ପ୍ରଚାର ହୋଇ ଯାଇଥିଲା। ହାତୀ ଦୁଇଟି ଯଶିପୁରରୁ ସିଙ୍ଗଡ଼ା ଅତିକ୍ରମ କରି ୧ କିମି ଦୂର ଫୁଲଗୁନ୍ଥା ଛକରେ ପହଞ୍ଚିିଥିବା ବେଳେ ଯଶିପୁରର କଂଗ୍ରେସ ନେତୃବୃନ୍ଦ ଓ ଗ୍ରାମବାସୀ ସେଠାରେ ପହଞ୍ଚି ବନବିଭାଗର କର୍ମଚାରୀଙ୍କୁ ଅଟକାଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେବା ସହ ପ୍ରାୟ ଏକ ଘଣ୍ଟା କାଳ ରାସ୍ତାରୋକ କରାଯାଇଥିଲା। ଏପରିକି ଜାତୀୟ ରାଜପଥରେ ଅଟକିଥିବା ଗାଡ଼ିମଟରରୁ ଶତାଧିକା ଯାତ୍ରୀ ବାହାରି ଆନ୍ଦୋଳନକାରୀଙ୍କୁ ସମର୍ଥନ କରି ହାତୀମାନଙ୍କୁ ଆଗକୁ ଯିବାକୁ ବାରଣ କରିଥିଲେ। ଲୋକମାନଙ୍କ ବିରୋଧାଭାସକୁ ଦୃଷ୍ଟିରେ ରଖି ବନବିଭାଗ କର୍ତ୍ତୃପକ୍ଷ ହାତୀଙ୍କୁ ଫେରାଇ ଆଣିଛନ୍ତି। ରାତି ୯ଟା ସୁଦ୍ଧା ମହେନ୍ଦ୍ର ଓ ରାଜକୁମାର ଶିମିଳିପାଳରେ ପହଞ୍ଚଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe