ଆଠମଲ୍ଲିକ ବନଖଣ୍ଡରେ ହାତୀଙ୍କୁ ବିପଦ! ଆଉ ଏକ ଦନ୍ତା ମୃତ

Advertisment

ଦେଢ଼ ମାସରେ ମଲେଣି ୩

ଦେଢ଼ ମାସରେ ମଲେଣି ୩

ସଙ୍କଟରେ ଗଜରାଜ: କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ

The Indian Express

ମାଧପୁର : ଆଠମଲ୍ଲିକ ବନଖଣ୍ଡରେ ହାତୀଙ୍କୁ ବିପଦ। ଗତ ଅକ୍ଟୋବର ମାସରେ ଏହି ବନଖଣ୍ଡ ମାଧପୁର ରେଞ୍ଜ୍‌ କିଆକଟା ସେକ୍ସନରେ ଦୁଇଟି ହାତୀ ମରିଥିବାବେଳେ ଆଜି ଆଉ ଗୋଟିଏ ଦନ୍ତାହାତୀର ମୃତଦେହ ଜବତ ହୋଇଛି। ଗତ ପ୍ରାୟ ଦେଢ଼ମାସ ମଧ୍ୟରେ ଅଞ୍ଚଳରେ ୩ଟି ହାତୀଙ୍କର ମୃତ୍ୟୁ ଘଟିଲାଣି। ପରିବେଶବିତ୍‌ ମହଲରେ ଏହି ଘଟଣା ଉଦ୍‌ବେଗ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତକାଲି ଭୋଇପଡ଼ା ଗାଁର କିଛିଲୋକ କିଆକଟା ସେକ୍ସନ ଘୋଡ଼ାଗାଡ଼ି ବିଟ୍‌ ଅନ୍ତର୍ଗତ ରାମିଆଖୋଡ଼ା ଖେସରା ଜଙ୍ଗଲରେ ଗୋରୁ ଚରାଉଥିଲେ। ପ୍ରବଳ ଦୁର୍ଗନ୍ଧ ହେବାରୁ ପାଖକୁ ଯାଇ ଦେଖିଲେ ଏକ ଦନ୍ତାହାତୀ ମରିପଡ଼ିଛି। ଏ ସଂପର୍କରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଆଠମଲ୍ଲିକ ଡିଏଫ୍ଓ ଏସ୍. ଆନନ୍ଦ, ଏସିଏଫ୍ ଗୌରୀ ଶଙ୍କର ଦାଶ, ମାଧପୁର ରେଞ୍ଜର ସନ୍ତୋଷ ଭୋଇ ଘଟଣାସ୍ଥଳରେ ସଦଳବଳ ପହଞ୍ଚିଥିଲେ। କିଆକଟା ଥାନା ଏସ୍‌ଆଇ ଲଲାଟେନ୍ଦୁ ନାଏକ ମଧ୍ୟ ସଦଳବଳ ସେଠାକୁ ଯାଇଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭୁବନେଶ୍ବର ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ଜେଟିଏଫ୍‌(ଯୁଗ୍ମ ଟାସ୍କଫୋର୍ସ), ଅନୁଗୁଳ ଆର୍‌ସିସିଏଫ୍‌ ଏମ୍‌. ଯୋଗାଜୟାନନ୍ଦ, ସାତକୋଶିଆର ସ୍ବତନ୍ତ୍ର ପ୍ରାଣୀ ଚିକିତ୍ସକ ଦଳ ସେଠାରେ ପହଞ୍ଚିଥିଲେ। ହାତୀଟି ପ୍ରାୟ ୩ଦିନ ତଳେ ମରିଥିବା ଅନୁମାନ କରାଯାଉଛି। ରିପୋର୍ଟ ଲେଖାହେବା ସୁଦ୍ଧା (ସଂଧ୍ୟା ସାଢ଼େ ୬ଟା) ମୃତହାତୀର ବ୍ୟବଚ୍ଛେଦ ଚାଲିଥିଲା। ଏ ସଂପର୍କ‌ରେ ବିଧିବଦ୍ଧ ତଦନ୍ତ ପରେ ଦନ୍ତାହାତୀଟି ମରିବାର କାରଣ ଜଣାପଡ଼ିବ ବୋଲି ଡିଏଫ୍‌ଓ ଶ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି।

‌ତେବେ, ମୃତହାତୀର ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିବାବେଳେ ଶରୀରର ବିଭିନ୍ନ ଜାଗାରେ କ୍ଷତ ଥିବା ଦେଖାଯାଇଛି। ହାତୀର ଡାହାଣପାଖ ଆଗ ଓ ପଛପାଖ ଜଙ୍ଘ ପାଖରେ ଛୋଟ କଣା ହୋଇ ମାଂସ, ରକ୍ତ ବାହାରିଥିବା ଜଣାପଡ଼ିଛି। ଯେଉଁଠି ହାତୀଟି ପଡ଼ିଛି ସେଠାରୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରକ୍ତ ପଡ଼ିଥିବା ଦେଖାଯାଇଛି। ଦୁଇ ଦନ୍ତାହାତୀ ମାଡ଼ ଲାଗି ଏହା ଘଟିଥାଇ ପାରେ ବୋଲି ବନ ବିଭାଗ ପକ୍ଷରୁ ଅନୁମାନ କରାଯାଇଥିବାବେଳେ କୌଣସି ଦୁର୍ବୃତ୍ତ ଏହାକୁ ମାରିଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୫ ତାରିଖରେ ଘୋଡ଼ାଗାଡ଼ି ବିଟ୍ ଅନ୍ତର୍ଗତ ମୁଣ୍ଡାପଡ଼ା ଖେସରା ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତଦେହ ଜବତ ହୋଇଥିଲା। ସେହିପରି ଅକ୍ଟୋବର ୨୮ ତାରିଖରେ ମାଧପୁର ଓ ବାମୁର୍ ରେଞ୍ଜ ସୀମାନ୍ତ ଶାନ୍ତିପୁର ସଂରକ୍ଷିତ ଜଙ୍ଗଲରେ ଗୋଟିଏ ମାଈହାତୀର ମୃତ୍ୟୁ ଘଟିଥିଲା। ଅଞ୍ଚଳରେ ଗୋଟିଏ ପ‌ରେ ଗୋଟିଏ ହାତୀଙ୍କ ଜୀବନ ଯାଉଥିବାରୁ ବନ୍ୟପ୍ରାଣୀ ଅନୁରାଗୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe