୧୧ କେଭି ବିଦ୍ୟୁତ୍‌ ତାର ଆଘାତରେ ମାଈ ହାତୀର ମୃତ୍ୟୁ

ହାତୀ ମୃତ୍ୟୁ ପଛରେ ସାହାଣା ରୋଗ

image source--the news minute

ଯୁଯୁମୁରା: ୨୦୨୦ ଶେଷ ମାସ ଅର୍ଥାତ ଡିସେମ୍ବରରେ ଟ୍ରେନ୍‌ ଧକ୍କାରେ ଦୁଇଟି ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ୨୦୨୧ର ପ୍ରଥମ ମାସରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳ ଯୁଯୁମୁରା ସେକ୍‌ସନ୍‌ ଅଧୀନ କଂସର ଜଙ୍ଗଲରେ। ଗୁରୁବାର ପୂର୍ବାହ୍ନରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ହାତୀର ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ଦେଇ ହାତୀବାରିରୁ ଯୁଯୁମୁରା ଯାଇଥିବା ୧୧ କେଭି ତାର ଉପରେ ଡାଳ ପଡ଼ିଥିଲା। ଫଳରେ ବିଦ୍ୟୁତ୍‌ ତାର ତଳକୁ ନଇଁ ଯାଇଥିଲା। ହାତୀଟି ଡାଳ ଖାଇ ଆଗକୁ ଯାଉଥିବା ବେଳେ ଏହି ତାର ସଂସ୍ପର୍ଶରେ ଆସିଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଖବରପାଇ ଡିଏଫ୍‌ଓ ଡା. ସଂଜୀବ କୁମାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ଶୁକ୍ରବାର ହାତୀର ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଜଙ୍ଗଲ ଭିତରେ କେତେ ତଳେ ୧୧ କେଭି ତାର ଯାଇଥିଲା ଯେ ହାତୀ ଏହାର ସଂସ୍ପର୍ଶରେ ଆସିବାରୁ ତାର ମୃତ୍ୟୁ ହେଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାରଟି ଯଦି  ତଳେ ଯାଇଥିବ ତେବେ ତାହା ଅନ୍ୟ ହାତୀ ଓ ଜଙ୍ଗଲୀ ପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କାରିପାରେ ବୋଲି ମତପ୍ରକାଶ ପାଇଛି।

ତୁରନ୍ତ ବିଦ୍ୟୁତ୍‌ ଓ ବନ ବଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ କେତେ ତଳେ ବିଦ୍ୟୁତ ତାର ଯାଇଛି ତାହା ସ୍ପଷ୍ଟ କରାଯିବା ଦରକାର ବୋଲି ଦାବି ହୋଇଛି। ସେହିପରି ପରବର୍ତ୍ତୀ ସମୟରେ ବିଦ୍ୟୁତ୍‌ ତାର ଯୋଗୁଁ ଯେପରି ହାତୀମାନଙ୍କ ପ୍ରାଣ ନଯାଏ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଗତବର୍ଷ ଡିସେମ୍ବର ମାସ ୨୧ ତାରିଖରେ ଏହି ରେଞ୍ଜ ଅଧୀନରେ ମାନେଶ୍ବର ଓ ହାତୀବାରି ରେଳ ଷ୍ଟେସନ୍‌ ମଧ୍ୟରେ ପୁରୀ-ଅହମ୍ମଦାବାଦ୍‌ ଏକ୍ସପ୍ରେସ୍‌ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ସେହି ମାସ ୫ ତାରିଖରେ ଗଡ଼ଗଡ଼ବାହାଲ ଓଭରବ୍ରିଜ୍‌ ନିକଟରେ ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍‌ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe