ଦୁଇ ହାତୀର ମୃତଦେହ ଉଦ୍ଧାର ଘଟଣା: ଫରେଷ୍ଟ ଗାର୍ଡ, ୩ ଟ୍ରାକର୍‌ଙ୍କ ସମେତ ୬ ଗିରଫ

Advertisment
ଦୁଇ ହାତୀର ମୃତଦେହ ଉଦ୍ଧାର ଘଟଣା: ଫରେଷ୍ଟ ଗାର୍ଡ, ୩ ଟ୍ରାକର୍‌ଙ୍କ ସମେତ ୬ ଗିରଫ

୨ ନିଲମ୍ବିତ ଫରେଷ୍ଟଗାର୍ଡ ଫେରାର
୧୦ରୁ ଅଧିକଙ୍କୁ ଖୋଜୁଛି ବନବିଭାଗ
ଅନ୍ୟ ଏକ ଘଟଣାରେ ଖୁଣ୍ଟୁଣୀ ରେଞ୍ଜର ନିଲମ୍ବିତ

କଟକ/ଆଠଗଡ଼ : ବଡ଼ମ୍ବା ଚନ୍ଦ୍ରଗିରି ଜଙ୍ଗଲରୁ ଦୁଇଟି ହାତୀର ମୃତଦେହ ଉଦ୍ଧାର ଘଟଣାରେ ବନବିଭାଗ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଠଗଡ଼ ବନଖଣ୍ଡ ପକ୍ଷରୁ ଜଣେ ଫରେଷ୍ଟର ଗାର୍ଡ, ୩ ଜଣ ଏଲିଫାଣ୍ଟ ଟ୍ରାକର୍‌ଙ୍କ ସମେତ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ଆହୁରି ୧୦ରୁ ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଏସିଏଫ୍‌ ହରେକୃଷ୍ଣ ମଲ୍ଲିକ ସୂଚନା ଦେଇଛନ୍ତି। ସେହିଭଳି, ଅନ୍ୟ ଏକ ଘଟଣାରେ ଖୁଣ୍ଟୁଣୀ ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ; ଫରେଷ୍ଟଗାର୍ଡ ନରେନ୍ଦ୍ର ଦେହୁରୀ, ୩ଜଣ ଟ୍ରାକର୍‌ ଅଶୋକ ବେ‌ହେରା, ବିରଞ୍ଚି ବେହେରା, ବ୍ରଜ ବେହେରା, ଜଣେ ମାଲିକ ମହତାବନ୍ଧ ଗ୍ରାମର ଆକୁଳ ବେହେରା ଓ ଅନ୍ୟ ଜଣେ ଗ୍ରାମବାସୀ ଅର୍ଜୁନ ବେହେରା। ତେବେ, ଫେରାର ଥିବା ୨ ନିଲମ୍ବିତ ଫରେଷ୍ଟର ହେଲେ ସେହିସମୟରେ ବଡ଼ମ୍ବା ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର ମନୋଜ ଦାସ ଓ ଗୋପପୁର ସେକ୍ସନ ଫରେଷ୍ଟର ପ୍ରଦୀପ ପରିଡ଼ା ବୋଲି ଏସ୍‌ସିଏଫ୍‌ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ରେଞ୍ଜରେ ଦୁଇଟି ହାତୀକୁ ମାରି ମାଟି ତଳେ ପୋତି ଦିଆଯାଇଥିବା ନେଇ ଏସ୍‌ଟିଏଫ୍‌ କ୍ରାଇବ୍ରାଞ୍ଚ ଶାଖା ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ଗତ ୨ ଓ ୩ ତାରିଖ ଦୁଇ ଦିନ ଧରି ଏସ୍‌ଟିଏଫ୍‌ ଟିମ୍‌ ଚଢଉ କରି ବଡ଼ମ୍ବା ଚନ୍ଦ୍ରଗିରି ଜଙ୍ଗଲର ପାହାଡ ତଳୁ ପ୍ରଥମଦିନ ଏକ ଦନ୍ତାହାତୀର ଗଳିତ ମୃତଦେହ ଜେସିବି ସାହାଯ୍ୟରେ ଖୋ‌ଳି ଉଦ୍ଧାର କରିଥିଲା। ତା’ ପରଦିନ ପୁଣି ଏକ ମାଈହାତୀର ଗଳିତ ମୃତଦେହକୁ ଚନ୍ଦ୍ରଗିରି ଜଙ୍ଗଲର ବିପରୀତ ଦିଗରେ ଥିବା ଏକ ବିଲକୁ ଖୋଳାଯାଇ ବାହାର କରାଯାଇଥିଲା। ଅର୍ଥାତ୍‌ ପ୍ରଥମଦିନ ଯେଉଁ ସ୍ଥାନରୁ ହାତୀର ମୃତଦେହ ମିଳିଥିଲା ତାଠାରୁ ୭/୮ କିଲୋମିଟର ଦୂରରୁ ପୁଣି ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣ‌ାରେ ଏସ୍‌ଟିଏଫ୍‌ ମାମଲା ରଜୁ କରି ତଦନ୍ତ ଜାରି ରଖିଛି। ତେବେ, ଏହି ଘଟଣାରେ ବନବିଭାଗର ସଂପୃକ୍ତି ରହିଥିବାରୁ ବିଭାଗ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ, ଖୁଣ୍ଟୁଣୀ ରେଞ୍ଜର ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଆଠଗଡ଼ ରେଞ୍ଜର ଥିବା ଆୟାଶା ଅଖ୍‌ତରୀ ନିଶା ହାତୀ ଦାନ୍ତ ରଖିବା ଅଭିଯୋଗରେ ପୂର୍ବରୁ ନିଲମ୍ବିତ ହୋଇଥିଲେ। ସେହି ସମୟରେ ଖୁଣ୍ଟୁଣୀ ସହ ଆଠଗଡ଼ ରେଞ୍ଜ ଦାୟିତ୍ବରେ ଥିଲେ ଶ୍ରୀ ସିଂହ। ତାଙ୍କ ବିରୋଧରେ ଫାୟାର ଟ୍ରାକ୍‌ ନିର୍ମାଣ କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଅନିୟମିତତା ଓ ବନୀକରଣରେ ଅନିୟମିତତା‌ ଅଭିଯୋଗ ଆସିଥିଲା। ଏହିଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଏସ୍‌ସିଏଫ୍‌ ହରେକୃଷ୍ଣ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe