କଟକ/ନରସିଂହପୁର : ନରସିଂହପୁରରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ବନବିଭାଗ ତତ୍ପରତା ଦେଖାଇଛି। ବନବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ଆଜି ୪ଜଣଙ୍କୁ ଅଟକ ରଖି ଜେରା ଚଳାଇଛି।
ଜେରା ସମୟରେ ଦନ୍ତାହାତୀକୁ ଶିକାର ଉଦ୍ଦେଶ୍ୟରେ ଗୁଳି କରାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଦାନ୍ତ ନେବାପାଇଁ ଦେଶୀ ବନ୍ଧୁକ(ଛଡ୍ରା) ରେ ଗୁଳି କରାଯାଇଛି ଜଣାପଡ଼ିଛି। ଦନ୍ତାକୁ ମାରିବା ଉଦ୍ଦେଶ୍ୟରେ ଶିକାରୀ ଛଡ଼୍ରା ସାହାଯ୍ୟରେ ୫ଟି ସ୍ଥାନକୁ ଗୁଳି କରିଥିବା ସ୍ପଷ୍ଟ ହୋଇଛି।
ଅନ୍ୟପଟେ ନୂଆଭୂଇଁ ଜଙ୍ଗଳରେ ଉକ୍ତ ଦନ୍ତାହାତୀ କାଜୁ ବଗିଚାରେ ଥିବାବେଳେ ଏଭଳି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ତେବେ ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଲା ହାତୀକୁ କେଉଁ ଅଞ୍ଚଳରେ ଗୁଳିମାଡ଼ କରାଯାଇଛି, ତାକୁ ନେଇ ବନବିଭାଗ ନିଜ ଭିତରେ କାଦୁଅଫିଙ୍ଗା ଆରମ୍ଭ କରିଦେଇଛି। ହାତୀ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ଚିକିତ୍ସିତ ହେଉଥିବା ବେଳେ ତାର ମୃତ୍ୟୁ ହୋଇଥିଲା। କିନ୍ତୁ କେଉଁ ରେଞ୍ଜ୍ରେ ଏହି ଗୁଳିମାଡ଼ ହୋଇଥିଲା ତାକୁ ନେଇ ଇଷ୍ଟ ରେଞ୍ଜ ୱେଷ୍ଟ୍ ରେଞ୍ଜକୁ ଏବଂ ୱେଷ୍ଟ୍ ରେଞ୍ଜ ଇଷ୍ଟ ରେଞ୍ଜକୁ ଦାୟୀ କରୁଛି।
ତେବେ, ଏହି ଘଟଣାରେ ଆହୁରି ଅନେକ ଲୋକ ସମ୍ପୃକ୍ତି ଥିବା ସନ୍ଦେହରେ ସେମାନଙ୍କୁ ବନବିଭାଗ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀସୂଚନା ଦେଇଛନ୍ତି।
ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଭୁବନେଶ୍ବର : ଆଠଗଡ଼ ହାତୀ ମୃତ୍ୟୁ ଘଟଣାକୁ ନେଇ ତିନି ଦିନ ହେଲା ନିରବ ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ମୁହଁ ଖୋଲିଛନ୍ତି।
ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀ ଅମାତ କହିଛନ୍ତି ଯେ ହାତୀକୁ ଗୁଳିମାଡ଼ ଏବଂ କଙ୍କାଳ ମିଳିବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ତିନିଜଣିଆ କମିଟି ଏହାର ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ଘଟଣାରେ ଯେ କେହି ବି ଦୋଷୀ ହୋଇଥା’ନ୍ତୁ ନା କାହିଁକି, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ହାତୀଙ୍କ ପ୍ରତି ଆମେ ସମ୍ବେଦନଶୀଳ ରହିଛୁ।
ସେପଟେ ଜଙ୍ଗଲ ବିଭାଗ ପକ୍ଷରୁ ଏସ୍ଆଇଟି ଗଠନ ନିଷ୍ପତ୍ତିକୁ ଓଡ଼ିଶା ବନ୍ୟପ୍ରାଣୀ ସମିତି ପକ୍ଷରୁ ସ୍ବାଗତ କରାଯାଇଥିଲେ ମଧ୍ୟ କମିଟିରେ ଜଣେ ବି ହେଲେ ସ୍ବେଚ୍ଛାସେବୀ ସଙ୍ଗଠନ କିମ୍ବା ବିଶେଷଜ୍ଞଙ୍କୁ ଏଥିରେ ସାମିଲ କରାଯାଇନଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତଦନ୍ତରେ ସ୍ବଚ୍ଛତା ଲାଗି ଆବଶ୍ୟକ ପଡ଼ିଲେ କିଛି ବିଶେଷଜ୍ଞଙ୍କ ନାଁ ପ୍ରସ୍ତାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ ପିସିସିଏଫ୍ଙ୍କୁ ଲେଖିଥିବା ଚିଠିରେ ସମିତି ସମ୍ପାଦକ ବିଶ୍ବଜିତ୍ ମହାନ୍ତି ଉଲ୍ଲେଖ କରିଛନ୍ତି।
Follow Us