ଟ୍ରେନ୍‌ ଧକ୍କାରେ ଆହତ ୩ ହାତୀ ଆଖି ବୁଜିଲେ, ଏବେ ବି ଆଖପାଖରେ ବୁଲୁଛନ୍ତି ୧୯ ହାତୀ

Advertisment

ରେଳବାଇକୁ ମଗାଯିବ କୈଫିୟତ, କୁଆଡ଼େ ଗଲେ ହାତୀ ସ୍କ୍ବାଡ୍‌ ଓ ଗଜସାଥୀ ?

ରେଳବାଇକୁ ମଗାଯିବ କୈଫିୟତ, କୁଆଡ଼େ ଗଲେ ହାତୀ ସ୍କ୍ବାଡ୍‌ ଓ ଗଜସାଥୀ ?

ଟ୍ରେନ୍‌ ଧକ୍କାରେ ଆହତ ୩ ହାତୀ ଆଖି ବୁଜିଲେ, ଏବେ ବି ଆଖପାଖରେ ବୁଲୁଛନ୍ତି ୧୯ ହାତୀ

କେନ୍ଦୁଝର/ଯୋଡ଼ା/ଚମକପୁର : କେବେ ବିଜୁଳି ଆଘାତ ତ କେବେ ଟ୍ରେନ୍‌ ଧକ୍କା ଆଉ କେତେବେଳେ ସଡ଼କ ଦୁର୍ଘଟଣାରେ ଯାଉଛି ଗଜରାଜଙ୍କ ଜୀବନ। ହାତୀ ମୃତ୍ୟୁର ଅମରାବତୀ ପାଲଟିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲା। ଗତକାଲି ଟ୍ରେନ୍‌ ଧକ୍କାରେ ୩ଟି ହାତୀଙ୍କ ମୃତ୍ୟୁ ଘଟିବା ଚିନ୍ତାର ବିଷୟ ପାଲଟିଛି। ହାତୀ ମୃତ୍ୟୁ ପାଇଁ ବନ ବିଭାଗ ରେଳବାଇକୁ ଦାୟୀ କରିଛି। ହାତୀଙ୍କ ପାଇଁ ସବୁଠୁ ସୁରକ୍ଷିତ ଥିବା ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲା ଏବେ ଅସୁରକ୍ଷିତ ହୋଇପଡ଼ିଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବାଂଶପାଣିସ୍ଥିତ ବେହେରାହଟିଂ ଆଖପାଖ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବୁଲୁଥିଲେ। ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ଥିଲା। ହାତୀଙ୍କ ଗିତିବିଧି ଉପରେ ନଜର ରଖୁଥିବା ସ୍କ୍ବାଡ୍‌ ନିକଟରେ ରେଳଧାରଣା ଥିବାରୁ ରେଳବାଇକୁ ମଧ୍ୟ ଖବର ଦେଇଥିଲା। ଏତେସବୁ ସତର୍କତା ସତ୍ତ୍ବେ ରାତି ପ୍ରାୟ ସାଢ଼େ ୭ଟା ସମୟରେ ହାତୀପଲ ବେହେରାହଟିଂ ନିକଟରେ ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ ଧକ୍କା ଦେଇଥିଲା। ଏଥିରେ ଗୋଟିଏ ମାଈହାତୀ ଏବଂ ଦୁଇଟି ଛୁଆହାତୀ ଗୁରୁତର ଆହତ ହୋଇଥିଲେ। ଗତକାଲି ରାତିରେ ଗୋଟିଏ ଛୁଆହାତୀ ପ୍ରାଣ ହରାଇଥିବାବେଳେ ଭୋର୍‌ ସମୟରେ ମାଈହାତୀ ଏବଂ ଆଉ ଏକ ଛୁଆହାତୀର ମୃତ୍ୟୁ ଘଟିଛି।

publive-image

ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଆଜି ମଧ୍ୟାହ୍ନରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶି ପଲ୍‌, ଆର୍‌ସିସିଏଫ୍‌ ଅରୁଣ କୁମାର ମିଶ୍ର, ଡିଏଫ୍ଓ ଏଚ୍‌ଡି ଧନରାଜ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ବନ ବିଭାଗର ରିପୋର୍ଟ ଅନୁସାରେ, ଏହି ଅଞ୍ଚଳରେ ହାତୀପଲ ଥିବାନେଇ ରେଳବା‌ଇକୁ ସତର୍କ କରାଯାଇଥିଲ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ୍‌ର ଗତି ସବୁଠୁ କମ୍‌ କରିବା ସହ ଲମ୍ବା ହର୍ଣ୍ଣ ମାରିବାକୁ କୁହାଯାଇଥିଲା। କିନ୍ତୁ ରେଳବାଇ ଏହି ସତର୍କତାକୁ ମାନି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଘଟଣା ବେଳେ ଟ୍ରେନ୍‌ର ଗତି ଘଣ୍ଟା ପ୍ରତି ୫୯ କିମି ଥିଲା। ସାଧାରଣତଃ ଏହି ଗତି ୩୦ରୁ କମ୍‌ ରହିବା କଥା। ଯେଉଁଥିପାଇଁ ହାତୀକୁ ଦେଖିବା ସତ୍ତ୍ବେ ଟ୍ରେନ୍‌ଟି ଅଟକି ପାରି ନ ଥିଲା। ରେଳବାଇର ଅବହେଳା ପାଇଁ କାରଣଦର୍ଶାଅ ନୋ‌ଟିସ୍‌ ଜାରି କରାଯିବ ବୋଲି ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି।

publive-image

ଏ ସମ୍ପର୍କରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶି ପଲ୍‌ କହିଛନ୍ତି, ହାତୀ ଗତିପଥ ସମ୍ପର୍କରେ ବନ ବିଭାଗ ପକ୍ଷରୁ ରେଳବାଇକୁ ସଠିକ୍‌ ସମୟରେ ସୂଚନା ଦିଆଯାଇଥିଲା। ମାତ୍ର ରେଳବାଇ ଏହି ପରାମର୍ଶକୁ ଅନୁସରଣ କରିନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ରେଳବାଇକୁ ବିସ୍ତୃତ ରିପୋର୍ଟ ମଗାଯାଇଛି। ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ହାତୀ ମୃତ୍ୟୁକୁ ନେଇ ପୂର୍ବ ପରି ଦୋଷ ଠେଲାଠେଲି ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୨୨ ତାରିଖରେ ଘଟଗାଁ ନିକଟସ୍ଥ ବାଲିଯୋଡ଼ିଠାରେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ହାତୀପଲ ଉପରେ ଲୁହାପଥର ବୋଝେଇ ଟ୍ରକ୍‌ ମାଡ଼ିଯିବାରୁ ୩ଟି ହାତୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଗତକାଲି ଟ୍ରେନ୍‌ ଧକ୍କାରେ ପୁଣି ୩ଟି ହାତୀ ଏକକାଳୀନ ପ୍ରାଣ ହରାଇବା ସମସ୍ତଙ୍କୁ ବ୍ୟଥିତ କରିଛି।

ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗର ହାତୀସ୍କ୍ବାଡ୍‌ ରହିଛି। ସେହିପରି ହାତୀ ଉପଦ୍ରବ ଅଞ୍ଚଳରେ ପ୍ରତି ଗାଁରେ ୫ଜଣ ଲେଖାଏଁ ଗଜସାଥୀଙ୍କୁ ନିୟୋଜିତ କରାଯାଇଛି। ଜଣେ ଜଣେ ଗଜସାଥୀଙ୍କୁ ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ଦିଆଯାଉଛି। ଏହାଛଡ଼ା‌ ହାତୀ ସମ୍ପର୍କରେ ସୂଚନା ଦେବା ପାଇଁ ହ୍ବାଟସ୍‌ଆପ୍‌ରେ ଗ୍ରୁ୍ପ୍‌ ଗଠନ କରାଯାଇଛି। ଏତେସବୁ ସତ୍ତ୍ବେ ଦୁର୍ଘଟଣାରେ ଜୀବନ ଯାଉଛି। ହାତୀପଲ ଯେଉଁ ଅଞ୍ଚଳରେ ଥିଲେ ସେଠାରେ ରେଳଧାରଣା ଯାଇଥିବା ବନ ବିଭାଗ ପାଖରେ ଖବର ରହିଛି। ଯାହା ହାତୀ ପାଇଁ ବିପଦ। ଏହି ଦୃଷ୍ଟିରୁ ସେଠାରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା କଥା। ହାତୀସ୍କ୍ବାଡ୍‌ ହାତୀଙ୍କ ପଛେପଛେ ରହିବା କଥା। ହାତୀପଲ ରେଳଧାରଣା ଆଡ଼କୁ ମୁହାଁଇଲେ ସେମାନଙ୍କୁ ଅନ୍ୟତ୍ର ଘଉଡ଼ାଇବା କଥା। ଦୁର୍ଘଟଣାରେ ତିନିତିନିଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ହାତୀ ସ୍କ୍ବାଡ୍‌ ଏବଂ ଗଜସାଥୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe