ଗଜରାଜ ଲଢ଼େଇ : ଦନ୍ତା ଆକ୍ରମଣରେ ଛୁଆ ହାତୀ ମୃତ

Advertisment
ଗଜରାଜ ଲଢ଼େଇ : ଦନ୍ତା ଆକ୍ରମଣରେ ଛୁଆ ହାତୀ ମୃତ

ଭୁବନ/କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ବମୁଆଁ ଗାଁ ପାଖ ନାଳ ନିକଟରେ ଶନିବାର ବିଳମ୍ବିତ ରାତିରେ ହାତୀ-ହାତୀ ମଧ୍ୟରେ ହୋଇଛି ଘୋମାଘୋଟ ଲଢ଼େଇ। ଯେଉଁ ହାତୀପଲ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇଥିଲେ, ନିକଟରେ ଲୋକଙ୍କ ଘର ଭାଙ୍ଗିବା ସହିତ ମହିଳା ଓ ଗାଈଙ୍କର ଜୀବନ ନେଇଥିଲେ, ସେହି ହାତୀପଲ ପରସ୍ପର ମଧ୍ୟରେ ଲଢ଼େଇ କରି ଗତକାଲି ରାତିରେ ୭/୮ବର୍ଷ ବୟସର ଏକ ଦନ୍ତା ହାତୀର ଜୀବନ ନେଇଛନ୍ତି।

ଭୁବନ ରେଞ୍ଜ୍‌ର ବିଭୂଦାନନ୍ଦ ମିଶ୍ରଙ୍କ କହିବା ଅନୁସାରେ, ରାତି ପ୍ରାୟ ୩ଟା ବେଳେ ଘଟଣା ଘଟିଥିଲା। ହାତୀପଲ ବମୁଆଁ ଗାଁ ଆଡ଼କୁ ମୁହାଁଇଥିବା ବେଳେ ହାତୀ ସ୍କ୍ଵାଡ୍‌ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଥିଲେ। ରାତିରେ ହାତୀପଲଙ୍କ ଭିତରେ ଥିବା ଛୋଟ ଦନ୍ତା(୭/୮ବର୍ଷ) ଓ ବଡ଼ ଦନ୍ତା(ପ୍ରାୟ ୩୦ବର୍ଷ) ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ଛୋଟ ଦନ୍ତା ପେଟକୁ ବଡ଼ ହାତୀଟି ଦାନ୍ତରେ ଭୁଷି ଦେଇଥିଲା। ଘଟଣାସ୍ଥଳରେ ସାନ ଦନ୍ତାର ମୃତ୍ୟୁ ହୋଇଛି। ପେଟରୁ ଅନ୍ତଃବୁଜୁଳା ବାହାରି ପଡ଼ିଛି।

ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳରେ ଗତ କିଛିଦିନ ହେଲା ହାତୀପଲ ଡେରା ପକାଇ ରହିଛନ୍ତି। ଦୁଇଦିନ ତଳେ ଶ୍ରୀରାମପୁର ଗ୍ରାମର ଜଣେ ମହିଳାଙ୍କୁ ହାତୀପଲ ମାରିଦେଇଥିବା ବେଳେ ଗତକାଲି ସୁରପ୍ରତାପପୁରର ଗୋଟିଏ ଗାଈକୁ ମାରି ଦେଇଥିଲେ। ସେହି ରାତିରେ ଅନୁରୂପ ଭାବେ ହାତୀପଲ ଗ୍ରାମର ୨୦ରୁ ଅଧିକ ଘର ଭାଙ୍ଗି ଧାନ ଚାଉଳ ଖାଇଥିଲେ। ହାତୀପଲଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ହାତୀ ଘଉଡ଼ାଇବା ଦିଗରେ ଠୋସ୍‌ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe