ଦାନ୍ତ ପାଇଁ ଦନ୍ତା ହତ୍ୟା ଘଟଣା : ଜଙ୍ଗଲରୁ ଦାନ୍ତ ଉଦ୍ଧାର, ପୁଣି ୨ ଗିରଫ

ଦାନ୍ତ ପାଇଁ ଦନ୍ତା ହତ୍ୟା ଘଟଣା : ଜଙ୍ଗଲରୁ ଦାନ୍ତ ଉଦ୍ଧାର, ପୁଣି ୨ ଗିରଫ

ପାଳଲହଡ଼ା : ଦୀର୍ଘ ୯ ଦିନ ପରେ ବନ ବିଭାଗକୁ ମିଳିଛି ସଫଳତା। ପାଳଲହଡ଼ା ରେଞ୍ଜ ତପ୍ତଝରଣ ସଂରକ୍ଷିତ ଜଙ୍ଗଲରେ ଦୁର୍ବୃତ୍ତମାନେ ଦନ୍ତାହାତୀକୁ ମାରି ଦାନ୍ତ କାଟିନେବା ଘଟଣାର ବିଭାଗ ପର୍ଦ୍ଦାଫାସ୍‌ କରିଛି। ଉକ୍ତ ଜଙ୍ଗଲରୁ ହାତୀର ଦାନ୍ତ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଣି ୨ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଂଚିଛି। ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ଆଉ ଜଣେ ସନ୍ଦେହ ଘେରରେ ରହିଛି। ଦେବଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ପାଳଲହଡ଼ା ଟାଉନ ବନ ବିଭାଗ ନର୍ସରି ଡାକ ବଙ୍ଗଳାରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଗତମାସ ୩୦ ତାରିଖରେ ପାଳଲହଡା ରେଞ୍ଜ କନ୍ତଳା ସେକ୍ସନ୍ ଜମରା ବିଟ ହାଉସ୍‌ଠାରୁ ଦୁଇ କି.ମି. ଦୂର ତପ୍ତଝରଣ ସଂରକ୍ଷିତ ଜଙ୍ଗଲରେ ଏକ ମୃତ ଦନ୍ତାହାତୀ ଠାବ କରାଯାଇଥିଲା। ଦୁର୍ବୃତ୍ତମାନେ ତାହାର ଦାନ୍ତ ଓ ଶୁଣ୍ଢ କାଟିନେଇଥିବା ଦେଖାଯାଇଥିଲା। ଏହି ଘଟଣାରେ ଗତ ସୋମବାର ଦଶରା ନାୟକ, କାଳିଆ ନାୟକ, ବୈଶାଖୁ ନାୟକ ଓ ଗତକାଲି କୁନା ମହାନ୍ତ, ମୁରଲୀ ମହାନ୍ତ ଓ ଜିତେନ୍ଦ୍ର ମହାନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରୁ ଜିତେନ୍ଦ୍ରଙ୍କ ଘର ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଗୋପପୁରରେ। ଅନ୍ୟମାନଙ୍କ ଘର ତପ୍ତଝରଣ ଗାଁରେ। ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ସେମାନଙ୍କ ନାମ ଗୋପନ ରଖାଯାଇଛି। ତାଙ୍କ ମଧ୍ୟରୁ ଜଣେ ହେଉଛି ମାଷ୍ଟରମାଇଣ୍ତ। ଅଭିଯୁକ୍ତମାନଙ୍କ ସୂଚନା କ୍ରମେ ‌ଯେଉଁଠାରୁ ମୃତହାତୀ ଠାବ କରାଯାଇଥିଲା, ସେହି ଜଙ୍ଗଲରୁ ବନ ବିଭାଗ ଆଜି ସକାଳେ ଦୁଇଟି ଦାନ୍ତ ଜବତ କରିଛି। ଏହାର ଓଜନ ପାଖାପାଖି ୧୦ କେଜି। ଆଜି ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ।

ସାମ୍ବାଦିକ ସମ୍ମିଳନୀରେ ଏସିଏଫ୍‌ ପିଟର ଟିଗା, ପାଳଲହଡ଼ା ରେଞ୍ଜର ଦୁର୍ଯ୍ୟୋଧନ ଗେରାଇ, ବାରକୋଟର ଜୟଶ୍ରୀ ମୁର୍ମୁ, ଖମାରର କାଜଲ୍‌ ନାଏକ, ବନପାଳ ଭାରତୀ କପରଦାର, ଭୀମସେନ ଶତପଥୀ, ମନ୍ମଥ ବେହେରା, ବାବୁଲି କିଷାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe