ବଦଳିଗଲାଣି ଚଳଣି: ହାତୀ ପାଇଁ ରାତି କଟୁଛି ମଞ୍ଚାରେ, ଅପରାହ୍‌ଣ ୫ଟାରୁ ବିଦ୍ୟୁତ୍ କାଟ

Advertisment

ଅନ୍ଧାରୀ ଜୀବନ କାଟୁଛନ୍ତି ୧୩ ପଞ୍ଚାୟତବାସୀ, ପାଠପଢ଼ା ଠପ୍‌, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର

ଅନ୍ଧାରୀ ଜୀବନ କାଟୁଛନ୍ତି ୧୩ ପଞ୍ଚାୟତବାସୀ, ପାଠପଢ଼ା ଠପ୍‌, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର

ପଥରଗାଡ଼ିଆରେ ରାତିଯାକ ହାତୀ, ସନ୍ଧ୍ୟାରୁ ପଡ଼ିଯାଉଛି ତାଟି

ବିରଞ୍ଚି କୁମାର ବେହେରା
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ବର୍ଷତମାମ ହାତୀ ଉପଦ୍ରବ ଲୋକଙ୍କ ନିଦ ହଜେଇ ଦେଇଛି। ଲୋକେ ଘରକୁ ଜଗିବେ ନା, ଖେତରେ ଫସଲକୁ ସୁରକ୍ଷା ଦେବେ? ଅବସ୍ଥା ଏମିତି ହୋଇଛି ଯେ କେହି ରାତିରେ ଭଲରେ ଶୋଇପାରୁ ନାହାନ୍ତି। ଅନେକ ଚାଷୀ ପାଚିଲା ଧାନ ଫସଲକୁ ସୁରକ୍ଷା ଦେବାପାଇଁ ରାତିସାରା ବିଲହୁଡ଼ାରେ ନିଆଁହୁଳା ଧରି ଜଗି ରହୁଛନ୍ତି। କିଏ ଗଛ ଉପରେ ମଞ୍ଚା ବାନ୍ଧିଛି ତ କିଏ ନିର୍ମାଣାଧୀନ ଛାତ ଉପରେ ପଲା ମାରିଛି। ଏହି ସମୟରେ ବିଜୁଳି କାଟ୍‌, ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ବଣପାହାଡ଼ ଘେରା ଅଞ୍ଚଳରେ ରାତିର ଅନ୍ଧକାର ବି ଭୟଙ୍କର। ହାତୀ ସମସ୍ୟା ଲୋକଙ୍କ ଦୈନନ୍ଦିନ ଚଳଣିକୁ ଗୁରୁତର ପ୍ରଭାବିତ କରିଥିଲେ ହେଁ ଏଥିରୁ ମୁକୁଳିବାର ବାଟ ମିଳୁନାହିଁ। କେନ୍ଦୁଝର ଜିଲ୍ଲାରେ ହାତୀ-ମଣିଷ ଲଢ଼େଇର ଏହା ଏକ ଭିନ୍ନ ଚିତ୍ର। ୨୦୦୭ରୁ ଏପର୍ଯ୍ୟନ୍ତ ହାତୀ ଆକ୍ରମଣରେ ତେଲକୋଇ ବ୍ଲକ୍‌ରେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୧୨ ବର୍ଷରେ ବିଭିନ୍ନ କାରଣରୁ ୧୪ଟି ହାତୀଙ୍କର ମୃତ୍ୟୁ ଘଟିଛି। ହାତୀ ସୁରକ୍ଷା ପାଇଁ ଏଠାରେ ସନ୍ଧ୍ୟା ହେଲେ ବିଦ୍ୟୁତ୍‌ କାଟ୍‌ କରାଯାଉଛି। ହାତୀ ଯେମିତି ଜନବସତିରେ ପଶି ନପାରିବ ସେଥିପାଇଁ ବନ ବିଭାଗ ପକ୍ଷରୁ ଗାଁ ମୁଣ୍ଡରେ ସୋଲାର ତାରବାଡ଼ ଲଗାଯାଇଛି। ଏହା ସତ୍ତ୍ବେ ହାତୀ ଖାଦ୍ୟ ଅନ୍ବେଷଣରେ ଆସି ଘରଦ୍ବାର ଭାଙ୍ଗିବା ସହ ଖେତରେ ପଶି ଫସଲ ଉଜାଡ଼ିବା ନିତିଦିନିଆ ଘଟଣା ହୋଇଛି।

ନିଜ ପରିବାରର ସୁରକ୍ଷା ପାଇଁ ଆକୁଳ ଗ୍ରାମ ନୀଳାପଶି ସାହିର ସ୍ବର୍ଗତ ସୁବେଦାର ହାଁସଦାଙ୍କ ସ୍ତ୍ରୀ ଚମ୍ପା ହାଁସଦା ଦିବ୍ୟାଙ୍ଗ ପୁଅ ଶ୍ୟାମସୁନ୍ଦର (୧୭), ରାମ (୧୬), ଈଶ୍ୱର (୧୨) ଓ ଆକାଶ ହାଁସଦା (୧୦)ଙ୍କୁ ନେଇ ଅର୍ଦ୍ଧନିର୍ମିତ ଘରର ଛାତ ଉପରେ ଛିଣ୍ଡା ଜରିପାଲ ଟାଣି ରାତି କାଟୁଛନ୍ତି। ସକାଳ ହେଲେ ପରିବାରର ଅନ୍ୟ ସଦସ୍ୟମାନେ ତଳକୁ ଓହ୍ଲାଉଥିବା ବେଳେ ଦିବ୍ୟାଙ୍ଗ ପୁଅ ଶ୍ୟାମସୁନ୍ଦରଙ୍କ ଦିନରାତି ସେଇଠି ରହୁଛି। ତାଙ୍କୁ ଏକ ଅଖାରେ ଭର୍ତ୍ତି କରି ଛାତ ଉପରକୁ ଟେକା‌ଯାଉଥିବା ଚମ୍ପା କହିଛନ୍ତି। ଗତ ଶୁକ୍ରବାର ରାତିରେ ତାଙ୍କ ଦୁଇବଖରା ମାଟିଘରକୁ ଦନ୍ତା ଭାଙ୍ଗି ଦେଇଛି। ସମସ୍ତେ ଛାତ ଉପରେ ଆଶ୍ରୟ ନେଇଥିବାରୁ ଜୀବନ ବଞ୍ଚିଗଲା ବୋଲି ସେ କହିଛନ୍ତି।

ସକାଳେ ଦୁଇଜଣ ଧାନ କାଟିବାକୁ ଜମିକୁ ଯାଇଥିଲୁ। ହାତୀ ହାବୁଡରେ ପଡ଼ିଗଲୁ। ଜୀବନ ବିକଳରେ ଦୌଡି ପଳାଇ ଆସିବାରୁ ବର୍ତ୍ତିଗଲୁ ବୋଲିକଲା ମୁଣ୍ଡା କହିଛନ୍ତି। ବର୍ଷଯାକ ଜମିରେ ମଞ୍ଚା ବାନ୍ଧି ଧାନ ଫସଲ ଜଗୁଛୁ। ତଥାପି ହାତୀ ମୁହଁରେ ପାଚିଲା ଧାନ ଯାଉଛି। ବନ କର୍ମଚାରୀ ନାମକୁମାତ୍ର ନିୟୋଜିତ ହୋଇଛନ୍ତି। ଏଠି ହାତୀ କି ମଣିଷ କେହି ବି ସୁରକ୍ଷିତ ନୁହନ୍ତି ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ଚାଷୀ କାର୍ତ୍ତିକ ସେଠୀ।
ଏଣେ ଅପରାହ୍‌ଣ ୫ଟାରୁ ବିଦ୍ୟୁତ୍ କାଟ୍‌ ହେଉଛି। କାଳିଆହତା ଫିଡର ଅଧୀନରେ ଥିବା ୧୩ ଟି ପଞ୍ଚାୟତରେ ଅନ୍ଧାର ଛାଇଯାଉଛି। ରାତି ୨ଟାପରେ ଅନ୍ୟ ୯ଟି ପଞ୍ଚାୟତରେ ମଧ୍ୟ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଉଛି। ଫଳରେ ତେଲକୋଇ ବ୍ଲକ୍‌ ସାରା ଅନ୍ଧାର ବିରାଜୁଛି।

ଫଳରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ୮ରୁ ଊର୍ଦ୍ଧ୍ବ ଆବାସିକ ବିଦ୍ୟାଳୟ, ୨୨ଟି ସ୍ବଳ୍ପ ଖର୍ଚ୍ଚ ବିନିମୟ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ପାଠପଢ଼ି ପାରୁନାହାନ୍ତି। ‘ହାତୀ ପାଇଁ ଭୟରେ ରହୁଛୁ। ବିଦ୍ୟୁତ୍ କାଟ୍‌ ହେଉଥିବାରୁ ହଇରାଣ ହେଉଛୁ ବୋଲି ମକୁରୁ ନାଏକ କହିଛନ୍ତି।
ଏ ସମ୍ପର୍କରେ ଏସିଏଫ୍‌ ଅଜିଜ୍‌ ଖାନ୍‌ଙ୍କୁ ପଚାରିବାରୁ କହିଥିଲେ, ‘ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଫସଲହାନି ଓ ଘର ଭଙ୍ଗିଥିବା ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବାର ବ୍ୟବସ୍ଥା ହେଉଛି। ହାତୀ ଚଳପ୍ରଚଳ ଅଞ୍ଚଳରେ ବିଦ୍ୟୁତ୍ କାଟ ନେଇ ବିଦ୍ୟୁତ୍ ଓ ବନ ବିଭାଗ ମଧ୍ୟରେ ଆଲେଚନା ହୋଇଛି। ଲୋକଙ୍କୁ କେମିତି ଅଧିକ ସମୟ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ‌ସେ ଦିଗରେ ଚିନ୍ତନ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe