ବାଲେଶ୍ବର/ ନୀଳଗିରି: ହାତୀହତ୍ୟାରୁ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଧାୟକ ସନ୍ତୋଷ ଖଟୁଆଙ୍କ କଳି ପ୍ରସଙ୍ଗକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଘଟଣା ଉପରେ କ’ଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି-ତା’ଉପରେ ଏବେ ସମସ୍ତଙ୍କ ନଜର ରହିଥିବା ବେଳେ ଆଜି ବିଜେପି ସାଂସଦ ବଡ଼ ବୟାନ ଦେଇଛନ୍ତି। ଏହି ପ୍ରସଙ୍ଗକୁ ବିଜେପି ଆଦୌ ସମର୍ଥନ କରିବ ନାହିଁ ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି।
କୁଲଡ଼ିହା ବିଟ୍-୨ ଅନ୍ତର୍ଗତ ପୁଟିବନ୍ଧ ନିକଟରେ ଏକ ଦନ୍ତାହାତୀର ମୃତଦେହ ମିଳିବା ଏବଂ ହାତୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବାପରେ ବିଜେଡି-ବିଜେପି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଗତ ୨୮ ତାରିଖଦିନ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବିଧାୟକ ସନ୍ତୋଷଙ୍କ ଭୋଳଡାଙ୍ଗସ୍ଥିତ ଫାର୍ମ ହାଉସ୍ରୁ ଗିରଫ କରାଯାଇଥିବା ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ଏକ ରାସ୍ତାରୁ ଗିରଫ କରାଯାଇଥିଲେ ମଧ୍ୟ ବିଜେଡି ଏହାକୁ ଗ୍ରହଣ କରିନଥିଲା। ଫଳରେ, ଜୁଲାଇ ୨ ତାରିଖରେ ଭୁବନେଶ୍ୱରସ୍ଥିତ ବିଜେଡି କାର୍ଯ୍ୟାଳୟ (ଶଙ୍ଖ ଭବନରେ) ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କ ସହିତ ବିଜେଡି ମୁଖପାତ୍ର ଲେଖାଶ୍ରୀ, ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁଣିଥରେ ସମାନ ଅଭିଯୋଗ ଆଣିଥିଲେ। ଲେଖାଶ୍ରୀ ଦନ୍ତାହାତୀର ହତ୍ୟା ଓ ହାତୀଦାନ୍ତ ଲୁଟ୍ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣି ବିଧାୟକ ସନ୍ତୋଷଙ୍କ ଉଦ୍ଦେଶ୍ୟରେ କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାପରେ ବିଧାୟକ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ଶ୍ରୀମତୀ ସାମନ୍ତସିଂହାରଙ୍କ ପ୍ରତି ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ଥାନାର ଦ୍ବାରସ୍ଥ ହେଲେ ବିଜେଡି-ବିଜେପି
ସମର୍ଥନ କରିବନି ବିଜେପି: ପ୍ରତାପ
‘ଶୃଙ୍ଖଳା କମିଟି ବସିଲେ ବିଚାର କରାଯିବ’
ଏ ନେଇ ଲେଖାଶ୍ରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ସହିତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୋସିଆଲ୍ ମିଡିଆରେ ଅଭିଯୋଗ ଜଣାଇଛନ୍ତି। ବିଜେଡି ତରଫରୁ ବାଲେଶ୍ବରର ବିଭିନ୍ନ ଥାନାରେ ସନ୍ତୋଷ ଖଟୁଆଙ୍କ ନାମରେ ଅଭିଯୋଗ କରାଯାଇଥିବା ବେଳେ ନୀଳଗିରି ବିଜେପି ତରଫରୁ ଲେଖାଶ୍ରୀଙ୍କ ନାମରେ ବାଲେଶ୍ବର ଏସ୍ପିଙ୍କୁ ଅଭିଯୋଗ କରାଯାଇଛି। ଲେଖାଶ୍ରୀ ବିନା ତଥ୍ୟ ପ୍ରମାଣରେ ବିଧାୟକ ଶ୍ରୀ ଖଟୁଆଙ୍କ ନାମରେ ଜଙ୍ଗଲ ଜମି ହଡ଼ପ, ମାନହାନି ହେଲାଭଳି ନାନା ଶବ୍ଦ ପ୍ରୟୋଗ କରିଥିବା ବିଜେପି ଅଭିଯୋଗ କରିଛି। ଉଭୟଙ୍କ ତରଫରୁ ଗିରଫ ପ୍ରସଙ୍ଗ ଜୋରଦାର ଧରିଛି ଏବଂ ବାଲେଶ୍ବର ଜିଲ୍ଲା ରାଜନୀତି ଉଷ୍ମ ହୋଇଛି। ଏ ସମ୍ପର୍କରେ ମତାମତ ପ୍ରଦାନକରି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ‘ରାଜନୀତିରେ ଅଶାଳୀନ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ପ୍ରଥମେ ଲେଖାଶ୍ରୀ ଏଭଳି କହି ଭୁଲ୍ କଲେ, ପରେ ସନ୍ତୋଷଙ୍କ ପ୍ରତ୍ୟୁତ୍ତର ମଧ୍ୟ ଆପତ୍ତିଜନକ। ରାଜନେତାମାନେ ମର୍ଯ୍ୟାଦା ରକ୍ଷାକରିବା ଦରକାର, ବାଣୀରେ ସଂଯମ ରଖିବା ଦରକାର। ବିଜେପି ଏଭଳି ମନ୍ତବ୍ୟକୁ ଆଦୌ ସମର୍ଥନ କରିବନାହିଁ। କାରଣ, ଦଳରେ ସର୍ବଦା ମାତୃଶକ୍ତିକୁ ସମ୍ମାନ କରାଯାଏ। ଶୃଙ୍ଖଳା କମିଟି ବସିନି। ବସିଲେ ଏହାର ବିଚାର କରାଯିବ ବୋଲି ସେ କହିଛନ୍ତି।’
ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ଆଉ କୌଣସି ମତାମତ ଦେବାକୁ ବିଧାୟକ ସନ୍ତୋଷ ମନା କରିଦେଇଛନ୍ତି। ଲେଖାଶ୍ରୀ କହିଛନ୍ତି, ‘ଆମେ ସମସ୍ତ ତଥ୍ୟ ପ୍ରମାଣ ସହିତ ସାମ୍ବାଦିକ ସମ୍ମିଳନୀ କରିଥିଲୁ। ବିଧାୟକ ଭୁଲ୍ ଲୁଚାଇବାକୁ ଯାଇ ବ୍ୟସ୍ତ ବିବ୍ରତ ହୋଇ ଯେଉଁଭଳି ଅଶୋଭନୀୟ, ଅକଥନୀୟ, ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ତାହା ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ।’ ଦଳର ବରିଷ୍ଠ ନେତାମାନେ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁକାନ୍ତ ନାୟକ।
Follow Us