ହାତୀ-ମଣିଷ ଲଢ଼େଇରେ ଅଙ୍କୁଶ ଲାଗିବ: ଗାଁ ମୁହାଁଇଲେ ବାଟ ଓଗାଳିବେ ମହୁମାଛି

Advertisment
ହାତୀ ଆକ୍ରମଣରେ ବୃଦ୍ଧା ମୃତ

Kerala Kaumudi

ଓଡ଼ିଶାର ପାଇଲଟ ପ୍ରାଜେକ୍ଟ, ଆଠମଲ୍ଲିକରୁ ହେବ ଆରମ୍ଭ
ହାତୀଙ୍କ ବାଟରେ ବାକ୍ସ ଖଞ୍ଜାଯିବ
ଉତ୍ତରାଖଣ୍ଡ, କର୍ଣ୍ଣାଟକ ଭଳି ପଦକ୍ଷେପ

ଆଠମଲ୍ଲିକ, (ଶ୍ରୀକାନ୍ତ ମିଶ୍ର): ହାତୀ-ମଣିଷ ଲଢ଼େଇରେ ଲାଗିବ ଅଙ୍କୁଶ। ହାତୀପଲଙ୍କୁ ଚେକ୍‌ ଦେବେ ମହୁମାଛି। ଗାଁକୁ ମୁହାଁଇଲେ ମହୁମାଛି ଦଳ ସେମାନଙ୍କ ବାଟ ଓଗାଳିବେ। ଅନୁଗୁଳ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ବର୍ତ୍ତମାନ ଉଗ୍ରରୂପ ଧାରଣ କରିଥିବାବେଳେ ଏ ସଂକଟକୁ ଏଡ଼ାଇବା ପାଇଁ ପ୍ରଥମଥର ପାଇଁ ଓଡ଼ିଶାରେ ଏହାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ତିନି ଗୋଟି ଗାଁ ଲୋକଙ୍କ ସହିତ ବିଭାଗ ଆଲୋଚନା କରିଛି। ଏ ପ୍ରକଳ୍ପ ହାତୀଙ୍କ ଦାଉରୁ ଲୋକଙ୍କୁ କେବଳ ରକ୍ଷା କରିବ ନାହିଁ, ବରଂ ସ୍ବଳ୍ପ ଖର୍ଚ୍ଚରେ ଗ୍ରାମବାସୀ ଏଥିରୁ ଆର୍ଥିକ ସ୍ବାବଲମ୍ବୀ ହେବେ। ଏହାଦ୍ବାରା ହାତୀଙ୍କର କୌଣସି କ୍ଷତି ମଧ୍ୟ ହେବ ନାହିଁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ହାତୀ-ମଣିଷ ଲଢ଼େଇର ଶାନ୍ତିଦୂତ ହେବାକୁ ଯାଉଥିବା ଏହି ପ୍ରକଳ୍ପର ନାଁ ଦିଆଯାଇଛି ରି-ହ୍ୟାବ୍‌ (ରିଡ୍ୟୁସ୍‌ ଏଲିଫ୍ୟାଣ୍ଟ୍‌-ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ୍‌ ବିଜ୍‌)। ଖଦି ଏବଂ ଗ୍ରାମ୍ୟୋ‌ଦ୍ୟୋଗ ଆୟୋଗ (କେଭିଆଇସି) ଏ ପ୍ରକଳ୍ପର ପୃଷ୍ଠପୋଷକ। ତଥ୍ୟ ମୁତାବକ, ହାତୀ ପ୍ରକୃତିର ଏକ ବଡ଼ ଜନ୍ତୁ ହୋଇଥିଲେ ହେଁ ମହୁମାଛି ଭଳି ଏକ ଛୋଟିଆ ଜୀବକୁ ସେ ଭାରି ଭୟ କରେ। ହାତୀ ମହୁମାଛିଙ୍କୁ ପସନ୍ଦ କରେ ନାହିଁ। ପ୍ରକୃତି ହାତୀ ଏବଂ ମହୁମାଛି ମଧ୍ୟରେ ଏମିତି ସମ୍ପର୍କ ତିଆରି କରିଛି। ଏହି ସମ୍ପର୍କକୁ ହାତୀ-ମଣିଷ ଲଢ଼େଇରେ ଏକ ଅସ୍ତ୍ର ରୂପେ ବ୍ୟବହାର କରିବା ହେଉଛି ଏହି ରି-ହ୍ୟାବ୍‌ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। ହାତୀପଲ ଯେଉଁ ରାସ୍ତା ଦେଇ ଗାଁକୁ ଯାଉଛନ୍ତି ସେହି ପ୍ରବେଶ ପଥରେ ହିଁ ମହୁମାଛି ବାକ୍ସ ଖଞ୍ଜାଯିବ। ମହୁମାଛି ପାଳନ କରାଯିବ। ସେହି ବାଟ ଦେଇ ହାତୀ ଗଲା ବେଳେ ଯଦି ମହୁବାକ୍ସକୁ କୌଣସି ପ୍ରକାରେ ଆଘାତ ଦିଅନ୍ତି, ତେବେ ହାତୀପଲ ମହୁମାଛିଙ୍କ ସହ ସାମ୍ନାସାମ୍ନି ହେବେ। ଯେହେତୁ ହାତୀପଲ ମହୁମାଛିଙ୍କୁ ଭୟ କରନ୍ତି, ତେଣୁ ଗାଁକୁ ପଶିବା ପରିବର୍ତ୍ତେ ହାତୀପଲ ସେଠାରୁ ନିଶ୍ଚିତ ଡିଆଁ ମାରିବେ ବୋଲି ବନ ବିଭାଗ ଆଶା କରୁଛି।

publive-image

ଅତୀତରେ ଉତ୍ତରାଖଣ୍ଡ ଏବଂ କର୍ଣ୍ଣାଟକ ରାଜ୍ୟର ବିଭିନ୍ନ ବ୍ୟାଘ୍ର ପ୍ରକଳ୍ପରେ ଏ ପ୍ରକଳ୍ପରୁ କିଛିଟା ସଫଳତା ମିଳିବା ପରେ ଓଡ଼ିଶାରେ ପ୍ରଥମଥର ପାଇଁ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ କରିବାକୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ତିନୋଟି ଗାଁକୁ ସେଥିରେ ସାମିଲ୍ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଏହି ପ୍ରକଳ୍ପର ବିଶେଷ୍ବତ ହେଉଛି, ଟ୍ରେଞ୍ଚ୍‌ ଏବଂ ହାତୀ ଘଉଡ଼ାଇବା ପାଇଁ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ଉପାୟ ଗୁଡ଼ିକ ଭଳି ଏହା ବ୍ୟୟବହୁଳ ନୁହେଁ ଏବଂ ହାତୀଙ୍କର ଏଥିରେ କୌଣସି କ୍ଷତି ହେବାର ନାହିଁ। ସ୍ବଳ୍ପ ଖର୍ଚ୍ଚରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏ ପ୍ରକଳ୍ପ କେବଳ ହାତୀ-ମଣିଷ ଲଢ଼େଇରେ ଅଙ୍କୁଶ ଲଗାଇବା ସହିତ ଗ୍ରାମାଞ୍ଚଳ ଲୋକଙ୍କ ହାତକୁ ରୋଜଗାର ବି ଯୋଗାଇବ ବୋଲି ଆଠମଲ୍ଲିକ ଡିଏଫ୍‌ଓ ଏସ୍‌. ଆନନ୍ଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe