କୁଲଡ଼ିହାରେ ହାତୀ ଦାନ୍ତ କାଟି ନେବା ଘଟଣା: ଶିକାରୀ ଗିରଫ, ମାରଣାସ୍ତ୍ର ଜବତ

Advertisment
କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ନୀଳଗିରି: ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ହାତୀଙ୍କ ଶିକାର ଚାଲିଛି। ଗୋଟିଏ ଶିକାରୀ ଦଳ କିଛିଦିନ ତଳେ ହାତୀ ଶିକାର କରି ଦାନ୍ତ କାଟିନେଇଥିଲେ। ବନ ବିଭାଗ ଏହି ଘଟଣାରେ ତଦନ୍ତ କରୁଥିବା ବେଳେ ଆଜି ଜଣେ ଧରାପଡ଼ିଛନ୍ତି।

ଗତ ୨୩ ତାରିଖ ଦିନ ଅଭୟାରଣ୍ୟର କଳମାଚତୁରି ନିକଟରେ ଏକ ଦନ୍ତାର ମୃତ୍ୟୁ ସଂପର୍କରେ ଜଣାପଡ଼ିଥିଲା। ପାଟ୍ରୋଲିଂରେ ଯାଇଥିବା ବନ ବିଭାଗର କିଛି କର୍ମଚାରୀ ଗୁଳିବିଦ୍ଧ ଦନ୍ତାର ମୃତଦେହ ଠାବ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। କୁଲଡ଼ିହା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା ଓ ବନ କର୍ମଚାରୀଙ୍କ ସହ ବାଲେଶ୍ବର ଡିଏଫ୍‌ଓ ଖୁସବନ୍ତ ସିଂ ଘଟଣାସ୍ଥଳ ପରିଦର୍ଶନ କରି ହାତୀମୃତ୍ୟୁର ତଦନ୍ତ କରିଥିଲେ। ଭୁବନେଶ୍ବର ସ୍ପେସାଲ୍‌ ଟାକ୍ସଫୋର୍ସ ଦ୍ବାରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଡିଏଫ୍‌ଓ କହିଥିଲେ।

ତେବେ ଘଟଣାର ସପ୍ତାହେ ପରେ ବନ ବିଭାଗକୁ ସଫଳତା ମିଳିଛି। ଶିକାରୀ ଦଳରେ ଥିବା ଜଣେ ଦୁର୍ବୃତ୍ତ ଧରାପଡ଼ିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ନୀଳଗିରି ପୁଲିସ ଓ କୁଲଡ଼ିହା ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ସଂପୃକ୍ତ ଶିକାରୀଙ୍କୁ ଗିରଫ କରିଛନ୍ତି। ଏହା ସହିତ ତାଙ୍କଠାରୁ କିଛି ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି। ତେବେ ଗିରଫ ଶିକାରୀଙ୍କ ପରିଚୟ ଏବଂ କେଉଁ କେଉଁ ମାରଣାସ୍ତ୍ର ଜବତ ହୋଇଛି, ସେନେଇ କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ତଥ୍ୟ ଦେବାକୁ ମନା କରିଦେଇଛି।

ଉଲ୍ଲେଖଥାଉକି, ଗୋଟିଏ ବର୍ଷ ଭିତରେ କୁଲଡ଼ିହା ଅଭୟାରଣ୍ୟରେ ୭ଟି ହାତୀଙ୍କ ମୃତ୍ୟୁ ହେଲାଣି। ଯାହାକୁ ନେଇ ରେଞ୍ଜ ଅଧିକାରୀ ଓ ସ୍ଥାନୀୟ ବନ କର୍ମଚାରୀଙ୍କ ଦାୟିତ୍ବ ଉପରେ ପ୍ରଶ୍ନ ଉଠିଛି। ବନପାଳ, ବନରକ୍ଷକ, ଫାୟାର ୱାଚର୍‌, ସବୁଜ ବାହିନୀ, ଗଜସାଥୀ ଭଳି ଅନେକ କର୍ମଚାରୀ ବନ୍ୟପ୍ରାଣୀଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଅଭୟାରଣ୍ୟରେ ଶିକାରୀମାନେ କେମିତି ପଶୁଛନ୍ତି ଏବଂ ହାତୀ ଶିକାର କରୁଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe