ସାତକୋଶିଆ ଅଭୟାରଣ୍ୟରୁ ହାତୀ କଙ୍କାଳ ଜବତ ଘଟଣା: ଖସିବା ପାଇଁ ମାଗିଥିଲେ ଭିଆର୍‌ଏସ୍‌

Advertisment
ସାତକୋଶିଆରୁ ହାତୀ କଙ୍କାଳ ଉଦ୍ଧାର

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରୁ ହାତୀ କଙ୍କାଳ ଜବତ ଘଟଣାକୁ ଇତିମଧ୍ୟରେ ୫ଦିନ ବିତିଗଲାଣି। ଫେରାର୍‌ ଜିଲିଣ୍ଡା ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନ କିମ୍ବା ଜିଲିଣ୍ଡା ଫରେଷ୍ଟର ଅନୁପମା ସାହୁଙ୍କର ପତ୍ତା ମିଳୁନି। ଏପରିସ୍ଥଳେ ଖସିବା ପାଇଁ ରେଞ୍ଜର୍‌ ଶ୍ରୀ ପ୍ରଧାନ ଭିଆର୍‌ଏସ୍‌ ମାଗିଥିବାନେଇ ଏକ ଖବର ସାମ୍‌ନାକୁ ଆସିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଫେରାର୍‌ ଜିଲିଣ୍ଡା ରେଞ୍ଜର ଶ୍ରୀ ପ୍ରଧାନ ଚାକିରି କାଳ ଆଉ ମାତ୍ର ୧୦/୧୧ମାସ ଥିଲା। ମେ ମାସ ସୁଦ୍ଧା ସେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ। କିନ୍ତୁ, ଚାକିରି ସରିବା ପୂର୍ବରୁ ହିଁ ଗଲା ୧୫/୨୦ଦିନ ତଳେ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପାଇଁ ଆଗ୍ରହ ଦେଖାଇଥିଲେ।
ଫେରାର୍‌ ରେଞ୍ଜର ଶ୍ରୀ ପ୍ରଧାନଙ୍କ ନୂଆ ସୁଚିନ୍ତିତ ଯୋଜନା ଏବେ ଚର୍ଚ୍ଚାର ବ‌ିଷୟ ପାଲଟିଛି। ଆଠଗଡ଼ ଭଳି ସାତକୋଶିଆରେ ଚଢ଼ଉ ହେଲେ କାଳେ ଧରା ପଡ଼ିଯିବ‌େ, ସେହି ଭୟରେ ଆଗୁଆ ଚାକିରି ଛାଡ଼ି ଦେବାକୁ ସେ ଯୋଜନା କରୁ ନ ଥିଲେ ତ? ଏହିଭଳି ପ୍ରଶ୍ନ ଉଙ୍କି ମାରିଛି।

publive-image

ଅନ୍ୟପଟେ ହାତୀ କଙ୍କାଳ ଜବତ ଘଟଣାକୁ ନେଇ ବହୁ ଅସମାହିତ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ରେଞ୍ଜରଙ୍କ ନିର୍ଦ୍ଦେଶରେ ହାତୀକୁ ପୋତିଥିବା ସ୍କ୍ବାଡ୍‌ର ଠିକା କର୍ମଚାରୀଙ୍କୁ ସାତକୋଶିଆ କର୍ତୃପକ୍ଷ ସିନା ବାନ୍ଧି ଜେଲ୍‌ ପଠାଇଛନ୍ତି, କିନ୍ତୁ ହାତୀ କଙ୍କାଳରୁ ଦୁଇ ଦାନ୍ତ ଗଲା କୁଆଡ଼େ? ହାତୀ ଦାନ୍ତକୁ ଶିକାରୀମାନେ ଲୁଟ୍ କରିଛନ୍ତି ନା ବନ କର୍ମଚାରୀ ଗାଏବ କରିଛନ୍ତି? ହାତୀ ଦାନ୍ତ ସହିତ ହାତୀ ମୃତ୍ୟୁର ସମ୍ପର୍କ ରହିଛି କି? ୧୫/୨୦ବର୍ଷ ବୟସ୍କ ଭେଣ୍ଡା ଦନ୍ତା ହାତୀଟି ମଲା କେମିତି? ତା’ର ସ୍ବାଭାବିକ ମୃତ୍ୟୁ ହୋଇଛି ନା ହତ୍ୟା କରାଯାଇଛି? ଜିଲିଣ୍ଡା ରେଞ୍ଜ୍‌ରୁ ହାତୀ ମୃତଦେହ ମାଟି ତଳୁ ଉଦ୍ଧାର ହେବାପରେ ଏମିତି ପ୍ରଶ୍ନ ଉଙ୍କି ମାରୁଛି। ହେଲେ, ବନ ବିଭାଗ ପାଖରେ କୌଣସିଟିର ଉତ୍ତର ନାହିଁ।

ସାତକୋଶିଆର ଜିଲିଣ୍ଡା ରେଞ୍ଜର ଏବଂ ଆଠଗଡ଼ ବନଖଣ୍ଡ ସୀମା ପାଖାପାଖି। ଜଙ୍ଗଲରେ ପ୍ରମୁଖ ଜନ୍ତୁ ଶିକାର ଏହି ନରସିଂହପୁର ଇଲାକାରେ ଘଟୁଛି। ମହାବଳ ବଂଶବିସ୍ତାର କରିବା ପାଇଁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ସାତକୋଶିଆ ଆସିଥିବା ଅଣ୍ଡିରା ମହାବଳର ମୃତ୍ୟୁ ଏହି ନରସିଂହପୁର ନିକଟବର୍ତ୍ତୀ ଇଲାକାରେ ହିଁ ଘଟିଥିଲା। ଆଠଗଡ଼ ବନଖଣ୍ଡରେ ହାତୀ ପୋତିବାର ସିରିଜ୍‌ ଘଟଣା ଏବେ ଗୋଟି ଗୋଟିକରି ପଦାକୁ ଆସିଲାଣି। ଏବେ ସାତକୋଶିଆରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ସ୍ବତନ୍ତ୍ର ଟିମ୍‌ ଜରିଆରେ ହିଁ ଘଟଣାର ତଦନ୍ତ ହେଲେ ହିଁ ଏ ସବୁ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe