କୁକୁର ପାଇଁ ହାତୀ ଆକ୍ରମଣରୁ ବର୍ତ୍ତିଗଲେ

କୁକୁର ପାଇଁ ହାତୀ ଆକ୍ରମଣରୁ ବର୍ତ୍ତିଗଲେ

ଗଁଦିଆ/ ଭୁବନ : ଗଁଦିଆ ବ୍ଲକ୍ ଖଙ୍କିରା ଗାଁର କେତେକ ଗ୍ରାମବାସୀ ଗୁରୁୁବାର ପ୍ରାତଃଭ୍ରମଣରେ ପଡ଼ିଆକୁ ଯାଇଥିବା ବେଳେ ହାତୀପଲଙ୍କ କବଳରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଜଣେ ପ୍ରାତଃଭ୍ରମଣକାରୀଙ୍କ ଏକ ପୋଷା କୁକୁର ହାତୀର ଉପସ୍ଥିତି ସଂପର୍କରେ ସୂଚାଇ ଦେବାରୁ ଗ୍ରାମବାସୀ ସେଠାରୁ ପଳାଇଯାଇ ନିଜନିଜର ଜୀବନ ରକ୍ଷା କରିଛନ୍ତି। ଏହି ଘଟଣା ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମବାସୀଙ୍କ ଜୀବନରକ୍ଷାକାରୀ ଏହି କୁକୁରକୁ ସମସ୍ତେ ବାହାବା ଦେଉଛନ୍ତି।

ପ୍ରକାଶ ଯେ, ଖଙ୍କିରା ବନ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ରହିଛି ବ୍ରାହ୍ମଣୀତଇଲା ଅଞ୍ଚଳ। ସେଠାରେ ହାତୀମାନଙ୍କ ଯାତାୟାତ ପାଇଁ ବିଭାଗ ପକ୍ଷରୁ ଏକ ଚଲାବାଟ କରାଯାଇଛି। ଏହି ରାସ୍ତା ଦେଇ ହାତୀମାନେ ନିୟମିତ ଚଳାଚଳ କରିଥାନ୍ତି। ଗୁରୁବାର ଭୋର୍‌ରେ ଏକ ହାତୀପଲ ଏହି ଚଲାପଥ ଦେଇ ମାଡ଼ି ଆସୁଥିଲା ବେଳେ ପ୍ରାତଃଭ୍ରମଣକାରୀ ଦଳ ସେମାନଙ୍କ ପାଖାପାଖି ହୋଇଯାଇଥିଲେ। ଅନ୍ଧାରିଆ ଗଛପତ୍ର ଭିତରେ ହାତୀପଲ ରହିଥିବାରୁ ସେମାନଙ୍କ ଉପସ୍ଥିତି ସଂପର୍କରେ ଏହି ଲୋକମାନେ କୌଣସି ଟେର୍‌ ପାଇନଥିଲେ। ତେବେ ସେମାନଙ୍କ ଦଳରେ ଥିବା ଏକ ପୋଷା କୁକୁର ‘ରକ୍ସି ’ ପଡ଼ିଆରେ ପ୍ରବେଶ କରିବା ବେଳେ ହଠାତ୍‌ ଅସ୍ଥିର ହୋଇଉଠିଥିଲା। ହାତୀପଲ ଥିବା ଜଙ୍ଗଲ ଆଡ଼କୁ ଚାହିଁ ବାରମ୍ବାର ଭୁକିବା ସହ ଇତଃସ୍ତତଃ ଦୌଡ଼ିବାରେ ଲାଗିଥିଲା। ରକ୍ସିର ଏଭଳି ଆଚରଣ କୌଣସି ସମ୍ଭାବ୍ୟ ବିପଦ ଆଡ଼କୁ ଇଙ୍ଗିତ କରୁଛି ବୋଲି ମନୋଜ ବୁଝିପାରିଥିଲେ। କୁକୁରଟି ଇଙ୍ଗିତ କରୁଥିବା ଅଂଚଳ ଆଡ଼କୁ ନିରିଖେଇ ଦେଖିଲା ବେଳକୁ ୫/୬ଟିକିଆ ହାତୀପଲ ପଡ଼ିଆଆଡ଼କୁ ମାଡ଼ିଆସୁଥିବା ସେ ଦେଖି ଜୀବନ ବିକଳରେ ଗାଁ ଭିତରକୁ ଦୌଡ଼ିଥିଲେ। ପଡ଼ିଆରେ ଥିବା ଅନ୍ୟ ପ୍ରାତଃଭ୍ରମଣକାରୀମାନେ ମନୋଜଙ୍କ ପାଟିଶୁଣି ତାଙ୍କ ପଛେପଛେ ଜୀବନବିକଳରେ ଗାଁ ଆଡ଼କୁ ଛତ୍ରଭଂଗ ଦେଇଥିଲେ। ଫଳରେ ହାତୀ ଆକ୍ରମଣରୁ ସେମାନେ ବର୍ତ୍ତି ଯାଇଥିଲେ। ଏପରି ଭାବେ ଏକ ପୋଷା କୁକୁର ଯୋଗୁଁ ବଞ୍ଚିଗଲା ଅନେକ ଜୀବନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe