adaderana.lk
ଭୁବନେଶ୍ବର : ହାତୀ ଦାନ୍ତ ଚାଲାଣ କରୁଥିବା ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସେ ହେଲା ଅନୁଗୁଳୁ ଜିଲ୍ଲା ପୁରୁଣାକୋଟ କନ୍ଧାକୋଇଲି ଅଞ୍ଚଳର ଦୁର୍ଯ୍ୟୋଧନ ପ୍ରଧାନ। ତା’ଠାରୁ ସାଢ଼େ ୪ କେଜି ଓଜନର ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି। ଜବତ ଦାନ୍ତର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ଦୁର୍ଯ୍ୟୋଧନ ସ୍ଥାନୀୟ ଅଞ୍ଚଳରେ ଜଣେ କୁଖ୍ୟାତ ଶିକାରୀ ଭାବେ ଜଣାଶୁଣା। ଜଙ୍ଗଲରେ ଶିକାର କରି ସେ ବନ୍ୟଜନ୍ତୁଙ୍କ ଦାନ୍ତ, ନଖ, ଚମଡ଼ା ଓ କାତି ଆଦି ଚାଲାଣ କରୁଥିଲା। ଗତ ୧ ତାରିଖ ଦିନ ସେ ଜଣେ ମାଫିଆଙ୍କୁ ହାତୀଦାନ୍ତ ବିକ୍ରି କରିବା ପାଇଁ ଯୋଗାଯୋଗ କରିଥିଲା। ଖବର ପାଇ ଏସ୍ଟିଏଫ୍ ଟିମ୍ ପୁରୁଣାକୋଟ ଥାନା ଅଞ୍ଚଳରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଏସ୍ଟିଏଫ୍ ଦୁର୍ଯ୍ୟୋଧନକୁ ଅନୁଗୁଳୁ ବନ ବିଭାଗକୁ ହସ୍ତାନ୍ତର କରିଛି। ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡ୍ରାଇଭ୍ ଯୋଗୁଁ ଏପର୍ଯ୍ୟନ୍ତ ୨୯ଟି ବାଘ ଛାଲ, ୨୬ଟି ହାତୀଦାନ୍ତ, ୭ଟି ହରିଣ ଚମଡ଼ା, ୧୪ଟି ଜୀବନ୍ତ ବଜ୍ରକାପ୍ତା, ୩୬କେଜି ବଜ୍ରକାପ୍ତା କାତି, ୨ଟି ଚିତାବାଘ ଦାନ୍ତ, ୨୯ଟି ଚିତାବାଘ ପଞ୍ଝା, ୪୬ ଜୀବନ୍ତ ଶୁଆ ଜବତ କରାଯାଇଛି। ସେହିଭଳି ମୋଟ୍ ୭୩ ଜଣ ଶିକାରୀ ଓ ମାଫିଆଙ୍କୁ ଗିରଫ କରାଯାଇଛି।
Follow Us