ଜଗନ୍ନାଥପୁରରେ ହାତୀ ଆତଙ୍କ, ବ୍ୟାପକ ଧାନ ଫସଲ ନଷ୍ଟ

Advertisment
ଜଗନ୍ନାଥପୁରରେ ହାତୀ ଆତଙ୍କ, ବ୍ୟାପକ ଧାନ ଫସଲ ନଷ୍ଟ

ଜହ୍ନାପଙ୍କ/ଲକ୍ଷ୍ମୀପ୍ରସାଦ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଦେଖାଦେଇଛି ବଣୁଆ ହାତୀ ଆତଙ୍କ। ଗତ ରବିବାର ରାତିରେ ୮ଟିକିଆ ଏକ ହାତୀପଲ ସ୍ଥାନୀୟ ଚାଷୀଙ୍କ ଡାଳୁଅ ଧାନ କ୍ଷେତରେ ପଶି ଅମଳ ହେବାକୁ ଥିବା ଧାନ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଜଗନ୍ନାଥପୁର, ଜଗତି, ଡୁମୁରିବେଡ଼ା ଭଳି ଗ୍ରାମର ଚାଷୀମାନେ ଧାର କରଜ କରି ନଦୀ ଉପକୂଳରେ ଡାଳୁଅ ଧାନ ଚାଷ କରିଥିଲେ। ନିୟମିତ ଜଳସେଚନ କରି ଭଲ ଫସଲ ଫଳାଇବାର ଆଶା ବାନ୍ଧିଥିଲେ। ହେଲେ ସୁବଳୟା ସେକ୍ସନ ଦୁରଦୁରା ସଂରକ୍ଷିତ ଜଙ୍ଗଲରୁ ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ୮ଟି ହାତୀ ଆସି ପାଚିବାକୁ ଥିବା ୪ ଏକରରୁ ଅଧିକ ଜମିର ଡାଳୁଅ ଧାନ ଖାଇ ସକାଳ ହେବା ପୂର୍ବରୁ ମହାନଦୀ ଆରପଟକୁ ପଳାଇ ଯାଇଛନ୍ତି।

publive-image

ଫଳରେ ଜଗନ୍ନାଥପୁର ଗ୍ରାମର କୈଳାସ ପ୍ରଧାନ, ଏକାଦଶୀ ପ୍ରଧାନ, ଘାସି ପ୍ରଧାନ, କୁଶ ପ୍ରଧାନ, ଜଗତି ଗ୍ରାମର ସ୍ୱାଧୀନ ପ୍ରଧାନ, ଅନିଲ କଳତା, ଧରଣୀ ମାହାର ଓ ଡ଼ୁମରିବେଡ଼ା ଗ୍ରାମର ବିପ୍ର ପାଣ୍ଡେ, ବୈଶାଖୁ କର୍ଣ୍ଣ ପ୍ରଭୃତି ଚାଷୀଙ୍କର ଧାନଚାଷ ନଷ୍ଟ ହୋଇଛି। ଏଥିପାଇଁ କ୍ଷତିଗ୍ରସ୍ତ ଚାଷୀମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତେଣୁ ଏହି ଚାଷୀମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ବନ ବିଭାଗ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ବନପାଳ ଅଭିମନ୍ୟୁ ମହାନ୍ତି ସୂଚନା ଦେଇଛନ୍ତି। ରାତିରେ ପୁନର୍ବାର ହାତୀପଲ ଆସିବା ଆଶଙ୍କା କରି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe