ସହଜ ନୁହେଁ ହାତୀ ଜୀବନ : ଜାତୀୟ ହାରଠାରୁ ଓଡ଼ିଶା ଆଗରେ, ପ୍ରତିବର୍ଷ ମରୁଛନ୍ତି ୬୫

Advertisment
ସହଜ ନୁହେଁ ହାତୀ ଜୀବନ : ଜାତୀୟ ହାରଠାରୁ ଓଡ଼ିଶା ଆଗରେ, ପ୍ରତିବର୍ଷ ମରୁଛନ୍ତି ୬୫

ଭୁବନେଶ୍ବର : ବିଶ୍ବରେ ୫ ଲକ୍ଷରୁ ଅଧିକ ହାତୀ ରହିଥିବା ବେଳେ ଏସିଆ ମହାଦେଶରେ ରହିଛନ୍ତି ୫୭ ହଜାର। ସେଥିମଧ୍ୟରୁ କେବଳ ଭାରତରେ ୨୮ ହଜାର ହାତୀ ଅଛନ୍ତି। ଆଉ ଓଡ଼ିଶାରେ ଏହି ସଂଖ୍ୟା ୧୯୭୬। ଗତ ୪୦ ବର୍ଷ ତୁଳନାରେ ଏବେ ‌ଦେଶରେ ହାତୀ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। ଜାତୀୟ ହାତୀ ମୃତ୍ୟୁ ହାରଠାରୁ ଓଡ଼ିଶା ବହୁ ଆଗରେ ରହିଛି। ଢେଙ୍କାନାଳ ଜିଲ୍ଲାରେ ହାତୀ ମୃତ୍ୟୁହାର ଉଦ୍‌ବେଗଜନକ ବୋଲି ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହାତୀ ସଂରକ୍ଷଣ ଶୀର୍ଷକ ଦିନିକିଆ କର୍ମଶାଳାର ଉଦ୍‌ଯାପନୀ ଅଧିବେଶନରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ହାତୀ ପ୍ରକଳ୍ପର ପୂର୍ବତନ ନିର୍ଦେଶକ ଏସ୍‌ ଏସ୍‌ ବିଷ୍ଟ କହିଛନ୍ତି।

କର୍ମଶାଳାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଲେ ତୃଣଭୋଜୀ ପ୍ରାଣୀ ହାତୀକୁ ସୁରକ୍ଷା ଦେବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଟ୍ରେନ୍‌ ଓ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଅଧିକ ହାତୀଙ୍କର ମୃତ୍ୟୁ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଢେଙ୍କାନାଳରେ ବିଦ୍ୟୁତ୍‌ ତାର ଲାଗି ୭ଟି ହାତୀ ମୃତ୍ୟୁ ଘଟଣା ପରେ ହାତୀ ଚଳପ୍ରଚଳ କରୁଥିବା ରାସ୍ତାରେ ଓହଳି ରହିଥିବା ବିଦ୍ୟୁତ୍‌ ତାର ଉଚ୍ଚତା ବୃଦ୍ଧି କରିବାକୁ ଶକ୍ତି ବିଭାଗକୁ କୁହାଯାଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ବିଦ୍ୟୁତ୍‌ ତାରଗୁଡ଼ିକର ଉଚ୍ଚତା ବୃଦ୍ଧି କରାଯିବ।

ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପିସିସିଏଫ୍‌ ଦେବବ୍ରତ ସ୍ବାଇଁ ସମ୍ମାନିତ ଅତିଥି ଭା‌ବେ ଯୋଗଦେଇଥିଲେ। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ କର୍ମଶାଳାକୁ ଉଦ୍‌ଘାଟନ କରି ପୂର୍ବତନ ପିସିସିଏଫ୍‌ ପ୍ରିୟନାଥ ପାଢ଼ୀ କହିଲେ ଗତ ୧୦ ବର୍ଷ ହେଲା ଓଡ଼ିଶାରେ ହାତୀ-ମଣିଷ ଲଢ଼େଇ ଉଦ୍‌ବେଗଜନକ ହୋଇଛି। ଜଙ୍ଗଲରେ ହାତୀଙ୍କ ବାସସ୍ଥଳୀ ନଷ୍ଟ ହେବା ଦ୍ବାରା ସେମାନେ ସହରାଞ୍ଚଳ ତଥା ଜନବସତି ମୁହାଁ ହେଉଛନ୍ତି। ପ୍ରତିବର୍ଷ ହାତୀ ଆକ୍ରମଣରେ ହାରାହାରି ୬୫ ଜଣ ଲୋକ ମରୁଛନ୍ତି। ୮୦୦ ଘର ଭାଙ୍ଗୁଛି। ୧୧ ହଜାର ଏକର ଚାଷ ଜମି ନଷ୍ଟ ହେଉଛି। ସେହିପରି ବିଭିନ୍ନ କାରଣ ଯୋଗୁଁ ପ୍ରତିବର୍ଷ ୬୯ଟି ହାତୀଙ୍କର ମୃତ୍ୟୁ ହେଉଛି। ଏହାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପୂର୍ବାଞ୍ଚଳ ଜୋନ୍‌ର ଅତିରିକ୍ତ ପିସିସିଏଫ୍‌(କେନ୍ଦ୍ର) ରାଜେନ୍ଦ୍ର କୁମାର ଦେ ମୁଖ୍ୟଅତିଥି ଭାବେ ଯୋଗଦେଇ ହାତୀ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ।

ଓଡ଼ିଶା ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟର ଉପଦେଷ୍ଟା ବି କେ ଲିନା, ଟ୍ରଷ୍ଟି ଜିତାଶତ୍ରୁ ମହାନ୍ତି, ରଜନୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଫରେଷ୍ଟ ଡିଭିଜନ୍‌ର ଡିଏଫ୍‌ଓମାନେ ସାମିଲ ହୋଇଥିଲେ।

ଟ୍ରଷ୍ଟର ଉପଦେଷ୍ଟା ଲାଲା ଅଶ୍ବିନୀ କୁମାର ସିଂ ସ୍ବାଗତ ଭାଷଣ ଦେଇଥିବାବେଳେ ଟ୍ରଷ୍ଟି ଇଂ. ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe