ଟ୍ରେନ୍‌ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ ଘଟଣା : ଦୋଷ ଛଡାଇବାକୁ ଉଭୟ ରେଳବାଇ ଓ ବନବିଭାଗର ଚେଷ୍ଟା

Advertisment
ଟ୍ରେନ୍‌ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ ଘଟଣା : ଦୋଷ ଛଡାଇବାକୁ ଉଭୟ ରେଳବାଇ ଓ ବନବିଭାଗର ଚେଷ୍ଟା

ଏଆର୍‌ଏମ୍‌କୁ କାରଣ ଦର୍ଶାଅ ନୋଟିସ୍‌
ଟ୍ରେନ୍‌ ଡ୍ରାଇଭରଙ୍କୁ କାର୍ଯ୍ୟାଳୟରେ ହାଜର ନିର୍ଦ୍ଦେଶ

ରାଉରକେଲା : ଗତକାଲି ପାର୍ସଲ ଟ୍ରେନ୍‌ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁର କାରଣ ଖୋଜା ଚାଲିଛି। କେଉଁ କାରଣରୁ ଏଭଳି ଘଟଣା ଘଟିଲା, ଏଥିପାଇଁ ବନ ବିଭାଗ ନା ରେଳ ବିଭାଗ ଦାୟୀ ସ୍ପଷ୍ଟ ହୋଇ ନାହିଁ। ସେପଟେ କିନ୍ତୁ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଉଭୟ ରେଳ ଓ ବନ ବିଭାଗ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ହାତୀପଲ ଟ୍ରେନ୍‌ ଲାଇନ ପାରିହେବା ପୂର୍ବରୁ ବନ ବିଭାଗ କର୍ମଚାରୀ ରେଳ ବିଭାଗକୁ ସୂଚନା ଦେଇଥିଲେ। ଏହି କଥାକୁ ଚକ୍ରଧରପୁର ମଣ୍ଡଳର ସିନିୟର ଡିସିଏମ୍‌ ମନିଷ କୁମାର ପାଠକ ସ୍ବୀକାର କରିଛନ୍ତି। ମାତ୍ର ସେ କହିଛନ୍ତି, ‘‘ସୂଚନାରେ ଟ୍ରେନ୍‌ର ଗତି ସଂକ୍ରାନ୍ତରେ ସେମିତି କିଛି ସ୍ପଷ୍ଟ ନଥିଲା। ଯାହା ଫଳରେ ପ୍ରତିଦିନ ପରି ଘଟଣା ଦିନ ଟ୍ରେନ୍‌ ସ୍ବାଭାବିକ ଗତିରେ ଯାଉଥିବାରୁ ଏଭଳି ଅଘଟଣ ଘଟିଲା। ତଥାପି ଆମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।’’ ରେଳ ବିଭାଗର ଏଭଳି ଉତ୍ତରକୁ କିନ୍ତୁ ସହଜରେ ଗ୍ରହଣ କରି ପାରିନି ବନ ବିଭାଗ।

publive-image

ରାଉରକେଲା ବନ ଖଣ୍ଡର ଅତିରିକ୍ତ ବନ୍ୟ ସଂରକ୍ଷକ ଦିଲୀପ ସାହୁ କହିଛନ୍ତି, ମହିପାଣି ନିକଟସ୍ଥ ଯକ୍ତି ସଂରକ୍ଷିତ ଜଙ୍ଗଲରେ ୧୫ ଟିକିଆ ହାତୀପଲ ଥିବା ସଂକ୍ରାନ୍ତରେ ରେଳବାଇକୁ ପୂର୍ବରୁ ଜଣାଇଯାଇଥିଲା। ଦୈନନ୍ଦିନ ସେମାନଙ୍କ ଗତିବିଧି ସଂକ୍ରାନ୍ତରେ ରେଳ ବିଭାଗକୁ କଣ୍ଟ୍ରୋଲରୁମ୍‌ରେ ଥିବା କର୍ମଚାରୀ ସୂଚନା ଦେଉଥିଲେ। ଘଟଣା ଦିନ ମଧ୍ୟ ରେଳ ବିଭାଗକୁ କସ୍‌ନ ମେମୋ ଦିଆଯାଇଥିଲା। ଏଥିସହ ହାତୀପଲ ରେଳ ଲାଇନ ପାରି ହେବାର ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ଫୋନ୍‌ ଯୋଗେ ରେଳବାଇର ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ‌ଭାଲୁଲତା- ଜରେଇକେଲା ପ୍ରାୟ ୫ କି.ମି. ଦୂରତା ମଧ୍ୟରେ ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ୨୦ କି.ମି. କରିବାକୁ କୁହାଯାଇଥିଲା। ଏହା ପରେ ମଧ୍ୟ ଚାଳକ ଟ୍ରେନ୍‌କୁ ଘଣ୍ଟା ପ୍ରତି ୮୦ରୁ ୧୦୦ କି.ମି. ବେଗରେ ନେଇଥିଲେ। ଆଜି ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ବାଇଁ ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ। ଦୁର୍ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। କେଉଁ ପରିସ୍ଥିତିରେ ଦୁଇ ମାଈ ହାତୀଙ୍କର ମୃତ୍ୟୁ ହେଲା ତାହା ମଧ୍ୟ ପଚାରି ବୁଝିଥିଲେ। ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ପରେ ଡିଏଫ୍‌ଓ ଶ୍ରୀ ସ୍ବାଇଁ ରେଳବାଇ ଏଆର୍‌ଏମ୍‌ ନିଶାନ୍ତ କୁମାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।‌ ଟ୍ରେନ୍‌ ଡ୍ରାଇଇଭର ପଶ୍ଚିମବଙ୍ଗ ହାୱଡାର କ୍ରିଷ୍ଣା ଗୋପାଳଙ୍କୁ ଦୁଇ ଦିନ ମଧ୍ୟରେ ବନଖଣ୍ଡ କାର୍ଯ୍ୟାଳୟରେ ହାଜର ହେବାକୁ ମଧ୍ୟ ନୋଟିସ୍‌ କରିଛନ୍ତି। ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି।

publive-image

ତେବେ ଦୁଇ ବିଭାଗ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଦୁଇ ମାଈ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଦିଗ କେଉଁ ଆଡେ ଯାଉଛି, ତାକୁ ହିଁ ଅପେକ୍ଷା। ଦୁର୍ଘଟଣା ପରେ ଭୟଭୀତ ହୋଇ ଉକ୍ତ ହାତୀପଲ ମହିପାଣି ଯକ୍ତି ସଂରକ୍ଷିତ ଜଙ୍ଗଲ ଛାଡି ଝାରଖଣ୍ଡ ସରଣ୍ଡା ଜଙ୍ଗଲକୁ ଚାଲିଯାଇଥିବା ବନ ବିଭାଗ ଅନୁମାନ କରୁଛି। ହାତୀପଲଙ୍କୁ ଠାବ କରିବାକୁ ବନ କର୍ମଚାରୀ ପୃଥକ ପୃଥକ ଟିମ୍‌ରେ ପ୍ରୟାସ ଜାରି ରଖିଛନ୍ତି। ଏହି ଅଭାବନୀୟ ଘଟଣା ପରେ ଦୁଇ ବିଭାଗ ପକ୍ଷରୁ ବେଶ୍‌ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୮ରେ ରାଉରକେଲା ବନ ଖଣ୍ଡ କାର୍ଯ୍ୟାଳୟରେ ଉଭୟ ରେଳ ଓ ବନ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଚକ୍ରଧରପୁର ମଣ୍ଡଳ ଅଧିକାରୀ, ଆର୍‌ସିସିଏଫ୍‌, ଡିଏଫ୍‌ଓ, ସିନିୟର ଡିସିଏମ୍‌, ବନ୍ଧମୁଣ୍ଡା ଏଆର୍‌ଏମ୍‌ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ଗତ ବୁଧବାର ରାତି ପ୍ରାୟ ଦେଢ଼ଟାରେ ମହିପାଣି ଷ୍ଟେସନ ନିକଟରେ ପାର୍ସଲ ଟ୍ରେନ୍‌ ଧକ୍କାରେ ଦୁଇ ମାଈ ହାତୀଙ୍କର ମୃତ୍ୟୁ ହୋଇଥିଲା। ଦୁଇ ହାତୀଙ୍କୁ ଧକ୍କା ଦେବାପରେ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍‌ ଡ୍ରାଇଭର କ୍ରିଷ୍ଣା ଗୋପାଳ ନିକଟସ୍ଥ ‌ମନୋହରପୁର ଷ୍ଟେସନକୁ ଯାଇ ଆର୍‌ପିଏଫ୍‌ ଥାନାରେ ଆଶ୍ରୟ ନେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ମନୋହରପୁର ଷ୍ଟେସନର ପହଞ୍ଚିଥିଲେ। ଡ୍ରାଇଭରଙ୍କୁ ଗିରଫ କରି ଆଣିବାକୁ ଉଦ୍ୟମ କରିଥିଲେ। ମାତ୍ର ଆର୍‌ପିଏଫ୍‌ ଅଧିକାରୀ କ୍ରୀଷ୍ଣାଙ୍କୁ ବନ କର୍ମଚାରୀଙ୍କୁ ହସ୍ତାନ୍ତର କରି ନଥିଲେ। ଯାହାକୁ କେନ୍ଦ୍ରକରି ଉଭୟ ଆର୍‌ପିଏଫ୍‌ ଯବାନ ଓ ବନ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ନିରାଶ ହୋଇ ବନକର୍ମଚାରୀ ରାଉରକେଲା ଫେରି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe