ମଠଖାଇ ସଂରକ୍ଷିତ ଜଙ୍ଗଲରେ ୧୪ ହାତୀ : ମକା, ଧାନ, ପରିବା ଫସଲ ଉଜାଡ଼ିଲେ, ଚାଷୀ ଭୟଭୀତ

Advertisment
ମଠଖାଇ ସଂରକ୍ଷିତ ଜଙ୍ଗଲରେ ୧୪ ହାତୀ : ମକା, ଧାନ, ପରିବା ଫସଲ ଉଜାଡ଼ିଲେ, ଚାଷୀ ଭୟଭୀତ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଗତ ଶୁକ୍ରବାର ରାତିରେ ଆଠଗାଁ ଫରେଷ୍ଟ ସେକ୍ସନର ରୁଗୁଡ଼ିପାଲି, ବନ୍ଧପାଲି, ଫଟାମୁଣ୍ଡା, ରେଙ୍ଗାଲି, ଉପରଝର ଅଞ୍ଚଳରେ ମକା, ପନିପରିବା, ଧାନ ଫସଲକୁ ହାତୀମାନେ ମାଡ଼ି ଦଳି ନଷ୍ଟ କ‌ରିଦେଇଛନ୍ତି। ଉପରଝର ଗାଁର ଚାଷୀ ରାମଜୀ ବିଶ୍ୱାଳ, ସୁରେଶ ବିଶ୍ୱାଳ, କୁଶଳେଶ୍ୱର ମହାକୁଡ଼ଙ୍କ ଧାନକୁ ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ବଲାଙ୍ଗୀର ବନ ବିଭାଗର ଏସିଏଫ୍‌ ବି. ରାଉଳଙ୍କୁ ପଚାରିବାରୁ ସେ କହିଥିଲେ, ଗତ କିଛି ଦିନ ହେଲା ୧୨ଟି ବଡ଼ ଓ ୨ଟି ଛୁଆ ହାତୀ ଆସି ମଠଖାଇ ଓ ଶୁଲିଆ ଜଙ୍ଗଲ ଭିତରେ ଘୂରି ବୁଲୁଛନ୍ତି। ବନ କର୍ମଚାରୀମାନେ ହାତୀ ପାଇଁ ରାତିରେ ଜଙ୍ଗଲ ଭିତରେ ଉଜାଗର ରହୁଛନ୍ତି। ସେହିପରି ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ ସ୍ଥାନୀୟ ଫରେଷ୍ଟରଙ୍କୁ ଲିଖିତ ଭାବେ ଦେଲେ ଧାନ ଚାଷରେ ଏକର ପ୍ରତି ୧୦ ହଜାର ଓ ପନିପରିବା ଏକର ପ୍ରତି ୧୨ ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ରେଞ୍ଜ ମଠଖାଇ ସଂରକ୍ଷିତ ଜଙ୍ଗଲକୁ ଗତ ୧୫ ଦିନ ତଳେ ୩ଟି ହାତୀ ଆସିଥିବା ଜଣାପଡ଼ିଥିଲା। ଗତବର୍ଷ ଏକ ଦନ୍ତା ହାତୀ ମକା ବାଡ଼ିରେ ଭଙ୍ଗା ରୁଜା କରିବା ପରେ ବିଦ୍ୟୁତ ଖୁଣ୍ଟରେ ଲାଗି ପ୍ରାଣ ହରାଇଥିଲା। ହାତୀକୁ ସୁରକ୍ଷା ଦେବା ସହ ଚାଷ ଓ ଚାଷୀର ସୁରକ୍ଷା ପ୍ରତି ମଧ୍ୟ ଜଙ୍ଗଲ ବିଭାଗ ଗୁରୁତ୍ବ ଦେବା ଉଚିତ ବୋଲି ଚାଷୀ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe