ପଶ୍ଚିମବଙ୍ଗ ଫେରିଗଲେ ହାତୀପଲ

Advertisment
ପଶ୍ଚିମବଙ୍ଗ ଫେରିଗଲେ ହାତୀପଲ

ଶୁଳିଆପଦା: ୧୫ ଦିନ ଧରି ବ୍ୟାପକ କ୍ଷୟକ୍ଷତି କରିବା ପରେ ଶୁଳିଆପଦା ଛାଡ଼ିଛନ୍ତି ହାତୀପଲ। ଗତକାଲି ଅପରାହ୍ନରେ ଶୁଳିଆପଦା ବ୍ଲକ୍ ପାକଟିଆ ପଞ୍ଚାୟତ ଅଧୀନ କେଉଟୁଣିମାରି ଅଞ୍ଚଳରେ ହାତୀପଲ ଥିବାବେଳେ ସେମାନଙ୍କୁ ପଶ୍ଚିମବଙ୍ଗ ଘଉଡ଼ାଇବା ପାଇଁ ଅପରେସନ୍‌ ଆରମ୍ଭ କରିଥିଲା ବନ ବିଭାଗ।

କେଉଟୁଣିମାରିରୁ ଲଙ୍କାଡିହା, କୁସୁମି, ଶୁଳିଆପଦା ଦେଇ ରାତି ପ୍ରାୟ ୮ ଟା ସମୟରେ ହାତୀପଲ ଶୁଳିଆପଦା-ଦେଉଳି ମୁଖ୍ୟ ରାସ୍ତା ପାର୍‌ ହୋଇଥିଲେ। ଏହାପରେ କରତନଳା, ଧାନଶୋଳା, ଲଧାକୁଣ୍ଡିଆ ହୋଇ ମହାବିଲା ପଞ୍ଚାୟତ ଅଧୀନ ପାଲଠାରେ ପଶ୍ଚିମବଙ୍ଗ ସୀମାକୁ ପ୍ରବେଶ କରିବାକୁ ଯାଉଥିଲେ ହାତୀପଲ। ତେବେ ସୀମାନ୍ତରେ ପଶ୍ଚିମବଙ୍ଗର ଶତାଧିକ ଲୋକ ହାତୀଙ୍କ ଗତିପଥ ରୋକିଥିବା ଜାଣି ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ କୌଶଳ କ୍ରମେ କଣ୍ଟିସାହି ପଞ୍ଚାୟତ ଅଧୀନ ଲଧାକୁଣ୍ଡିଆ ଓ ଉଫାଲଗଡିଆ ପଞ୍ଚାୟତ ଅଧୀନ ଘଣଘଣା ମଧ୍ୟସ୍ଥ ପଶ୍ଚିମବଙ୍ଗ ସୀମାନ୍ତକୁ ହାତୀଙ୍କୁ ଘଉଡ଼ାଇ ଦେଇଥିଲେ।

ଏହି ହାତୀପଲ ପୁଣି ଶୁଳିଆପଦା ଅଞ୍ଚଳକୁ ଫେରିବାର ସମ୍ଭାବନା ଥିବାରୁ ସୀମାନ୍ତରେ ବନ କର୍ମଚାରୀ ଜଗି ରହିଥିବା ଦେଉଳି ରେଞ୍ଜର ପ୍ରଶାନ୍ତ କୁମାର ବେହେରା କହିଛନ୍ତି। ବାରିପଦା ଏସିଏଫ୍ ରବି ନାରାୟଣ ମହାନ୍ତି, ରେଞ୍ଜର ପ୍ରଶାନ୍ତ କୁମାର ବେହେରା, ଫରେଷ୍ଟର ଜଗଦୀଶ ଚନ୍ଦ୍ର ସାହୁ, ଅଙ୍କୁର ମାହାଳିକ, ବନରକ୍ଷୀ ବିଜୟ କୁମାର ସେଠୀ, ସସ୍ମିତା ଶତପଥୀ, ଜଗବନ୍ଧୁ ନାଏକଙ୍କ ନେତୃତ୍ବରେ ୪ଟି ଟିମ୍ ଏହି ହାତୀ ଘଉଡ଼ାଇବାରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe