ଗୁଳିବିଦ୍ଧ ହାତୀର ଚିକିତ୍ସା ଆରମ୍ଭ

ସ୍ଥିତି ଅନୁଧ୍ୟାନ କଲେ ପିସିସିଏଫ୍‌, ବିଧାୟକ, ଘଟଣାର ତଦନ୍ତ ନିର୍ଦ୍ଦେଶ

ଗୁଳିବିଦ୍ଧ ହାତୀର ଚିକିତ୍ସା ଆରମ୍ଭ

ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଜୟପୁର ସଂରକ୍ଷିତ ଜଙ୍ଗଲ ଅଧୀନ ତାମେରା ନାଳ ନିକଟରେ ପଡ଼ିରହିଥିବା ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସା ଆରମ୍ଭ ହୋଇଛି। ସାତକୋଶିଆର ବନ୍ୟପ୍ରାଣୀ ବିଶେଷଜ୍ଞ କିଶୋର ସାହୁ, ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତିଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ୍‌ ପହଞ୍ଚି ହାତୀର ଚିକିତ୍ସା କରିଛନ୍ତି। ହାତୀ ଦେହର ବିଭିନ୍ନ ସ୍ଥାନରେ ୫ଟି ଗୁଳି ବାଜିଛି। ହାତୀର ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡ଼ରେ ଆଘାତ ଲାଗିଛି।

publive-image

ସୂଚନା ଅନୁସାରେ; ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ପିସିସିଏଫ ଶଶୀ ପାଲ, ଆଠଗଡ଼ ଏସିଏଫ ଘନଶ୍ୟାମ ମୁଦୁଲି, ପଶ୍ଚିମାଞ୍ଚଳ ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବନ୍ୟପ୍ରାଣୀ ବିଶେଷଜ୍ଞ ଶ୍ରୀ ସାହୁଙ୍କ ସହିତ ହାତୀର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଶିକାରୀମାନେ ହାତୀଦାନ୍ତ ନେବା ପାଇଁ ଏପରି କାଣ୍ଡ କରିଥିବା ଗ୍ରାମବାସୀମାନେ ପିସିସିଏଫ ଓ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରାଯିବା ସହିତ  ହାତୀ ଶିକାରୀ ମାନଙ୍କୁ ଖୋଜି ବାହାର କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିସିସିଏଫ ଶ୍ରୀପାଲ କହିଥିଲେ, ହାତୀ ସୁସ୍ଥ ହେବା ପର୍ଯ୍ୟନ୍ତ ତାକୁ ସେଠାରେ ରଖି ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିସହିତ, ଏଣିକି ନରସିଂହପୁର ବନାଞ୍ଚଳରେ ହାତୀମାନଙ୍କ ସୁରକ୍ଷା, ବିଶେଷ କରି ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ।

ଅନ୍ୟପଟେ ହାତୀଟି ସାତକୋଶିଆ ପଟରୁ ଆସିଥିବାବେଳେ ଗୁଳିମାଡ କେଉଁଠି ହୋଇଛି ସେ ସଂପର୍କରେ ବନବିଭାଗ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe