ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମଲଣ୍ଡା ଗ୍ରାମର ବାଗୁନମୁଣ୍ଡା ସାହିରେ ଗତକାଲି ରାତିରେ ହାତୀପଲ ପଶି ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ଦେଇଛନ୍ତି। ହାତୀପଲ ସାହିର ଭୂୟାଁ ମୁଣ୍ଡାଙ୍କ ଦୁଇବଖରା ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ସେହିପରି ଆକୁଳ ଲୀଳାପଶି ସାହିର ଟଙ୍କଧର ମୁଣ୍ଡା ଓ ରତ୍ନାକର ମୁଣ୍ଡାଙ୍କ ଘର ଭାଙ୍ଗି ୩ ବସ୍ତା ଧାନଚାଉଳ ଖାଇବା ସହ ଆସବାବପତ୍ର ନଷ୍ଟ କରିଛନ୍ତି।
ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ହାତୀପଲ ଆକୁଳ, ଭୀମକାଣ୍ଡ, ଗୋଳାଗାଡ଼ିଆ, କୋଇଲିସୂତା, ଡିମିରିମୁଣ୍ଡା, ବାଲେଶ୍ଵର, ବନବିହାରୀପୁର, ଦୁଲ୍ଲଭପୁର, ଖୁଣ୍ଟାପଡ଼ା, କୁଲାଡେରା, ମଲଣ୍ଡା, ବନ୍ଧନଝରୀ, ପଡ଼ାଙ୍ଗ, କୃଷ୍ଣପୁର, କରମଙ୍ଗି, ଶିରିଗିଡ଼ା, ବିମଳା, କୁଡ଼ବିଲ ଆଦି ସ୍ଥାନରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ହାତୀ ପାଇଁ ରାତିରେ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଅନ୍ଧାରର ସୁଯୋଗ ନେଇ ହାତୀ ଗାଁ ମୁହାଁ ହୋଇ ଧନଜୀବନ ହାନି କରୁଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସନାତନ ସାହୁ, ଗିରିଧାରୀ ସାହୁ, ଦାଶରଥି ବେହେରା, ଜିତେନ୍ଦ୍ର କୁମାର ପ୍ରଧାନ, ବାସବରାଜ ପ୍ରଧାନ, ସୁରେଶ ଚନ୍ଦ୍ର ସାହୁ, କାହ୍ନୁଚରଣ ପ୍ରଧାନ, ଡମ୍ବରୁଧର ବିଶ୍ବାଳ, କୈଳାସ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ସାହୁ, ଲକ୍ଷ୍ମୀଧର ପଟ୍ଟନାୟକ ପ୍ରମୁଖ ଦାବି କରିଛନ୍ତି।
Follow Us