ରାତି ଅଧରେ ଘର ଭାଙ୍ଗିଲେ ହାତୀପଲ

Advertisment
ରାତି ଅଧରେ ଘର ଭାଙ୍ଗିଲେ ହାତୀପଲ

ଘାଗରବେଡ଼ା/ସିଙ୍ଗଡ଼ା/କରଞ୍ଜିଆ ଗୋଲେଇ: କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ। କିଛି ଦିନର ବ୍ୟବଧାନ ପରେ ହାତୀପଲ ଗତ ରାତିରେ ରରୁଆଁ ବ୍ଲକ୍ ବୈଦ୍ୟନାଥ ଓ ପତରପଚା ଗାଁ’ରେ ପଶି ଘରଦ୍ବାର ଭାଙ୍ଗିଛନ୍ତି। ଖାଦ୍ୟ ଖାଇବା ଲୋଭରେ ହାତୀପଲ ପଥରଚଟା ଗାଁର ନରୋତ୍ତମ ନାୟକଙ୍କ ଘରକୁ ଭାଙ୍ଗି ଦେଇଥିବା ବେଳେ ବୈଦ୍ୟନାଥ ଗ୍ରାମର ହୁଇ କାଳନ୍ଦୀ ଓ ବାଲମା ମୁଣ୍ଡାଙ୍କ ଘର ଭାଙ୍ଗିଛନ୍ତି। ହାତୀପଲ ଦିନବେଳା ଝାଡ଼ଖଣ୍ଡ ପଟେ ରହୁଥିବାବେଳେ ସଞ୍ଜ ହେଲେ ଓଡ଼ିଶାରେ ପଶି କ୍ଷୟକ୍ଷତି କରୁଛନ୍ତି। ବନ ବିଭାଗର ବାରମ୍ବାର ପ୍ରୟାସ ସତ୍ତ୍ବେ ହାତୀପଲ ଜନବସତି ଅଞ୍ଚଳ ଛାଡ଼ୁନାହାନ୍ତି। ଯାହାଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ବର୍ଷତମାମ ହାତୀ ଉପଦ୍ରବ ଲାଗି ରହୁଥିବାରୁ ଲୋକଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି। ଏହି ହାତୀପଲରେ ବର୍ତ୍ତମାନ ୧୦ଟି ହାତୀ ଅଛନ୍ତି। ଗତକାଲି ପଥରଚଟା ଗାଁ ନିକଟ ଜମିରେ ହାତୀପଲ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି। ସୂଚନାଥାଉକି, ଗତ ୩ ମାସ ମଧ୍ୟରେ ଏହି ହାତୀପଲ କରଞ୍ଜିଆ ଅଞ୍ଚଳରେ ୩୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ଧାନତଳି, ବୁଣାଧାନ, ପନିପରିବା, ଘରେ ଗଚ୍ଛିତ ଥିବା ଧାନଚାଉଳ ଖାଇବା ସହ ନଷ୍ଟ କରିଛନ୍ତି। ସେମାନଙ୍କ ଉପଦ୍ରବରେ ପ୍ରାୟ ୫୦ଟି ଗାଁ’ର ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି। ଝାଡ଼ଖଣ୍ଡରୁ ପଳାଇ ଆସୁଥିବା ଏହି ହାତୀପଲଙ୍କୁ ନେଇ ଲୋକଙ୍କ ଚିନ୍ତା ବଢ଼ୁଥିବା ବେଳେ ଏହାର ଆଶୁ ପ୍ରତିକାର କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe