ଚମ୍ପୁଆ: କିଛିଦିନ ଅନ୍ତରରେ ଚମ୍ପୁଆରେ ପୁଣି ହାତୀଙ୍କ ଉତ୍ପାତ ବୃଦ୍ଧି ପାଇଛି। କେଉଁଦିନ ବିଲରେ ଧାନ ଫସଲକୁ ନଷ୍ଟ କରୁଛନ୍ତି ତ କେତେବେଳେ ଆଉ କେଉଁ ଦିନ ବାଡ଼ି ବଗିଚାରେ ପଶି ପନିପରିବା ଚାଷ ନଷ୍ଟ କରୁଛନ୍ତି। ଘରର କାନ୍ଥ ଭାଙ୍ଗି ଘରେ ଧାନ ଚାଉଳ ଖାଉଛନ୍ତି। ମାତ୍ର କିଛି ଦିନ ତଳେ କାଟୁଲି କନା ଗ୍ରାମରେ ବହୁ ପରିମାଣରେ ଧାନ ଫସଲ ନଷ୍ଟ କରିଥିବା ବେଳେ ପୁଣି ହାତୀ ପଲଙ୍କ ଆବିର୍ଭାବ ଦେଖିବାକୁ ମିଳିଛି।
ଗତକାଲି ହାତୀ ପଲ ମୟୂରଭଞ୍ଜ ଜିଲ୍ଲାରୁ ବୈତରଣୀ ନଦୀ ପାର ହୋଇ ରେଙ୍ଗାଳ ଗୋଡ଼ା ଗ୍ରାମରେ ପଶି ଥିଲେ। ହାତୀପଲ ଗ୍ରାମର ମାଣିକ ମହାନ୍ତଙ୍କ ଘରର କାନ୍ଥ ଭାଙ୍ଗି ଘର ଭିତରେ ଥିବା ଏକ ବୁରାରେ ଥିବା ୧୦ କ୍ଵିଣ୍ଟାଲରୁ ଅଧିକ ଧାନ ଖାଇ ଦେଇଥିବା ଅଭିଯୋଗ ହୋଇଛି। ହାତୀ ମାଣିକଙ୍କ ଘରେ ଧାନ ଖାଇ ଦେଉଥିବା ଦେଖି ପଡ଼ିଶା ଲୋକେ ଘଉଡାଇ ବାରୁ ହାତୀଟି ଚାଲି ଯାଇଥିଲା। ହାତୀ ପଲ ରୂପା କୁଣ୍ଡ ମନ୍ଦିର ଦେଇ ବୈତରଣୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲାକୁ ଚାଲିଯାଇ ଥିବା ବେଳେ ପୁଣି କେମୁଣ୍ଡିଆ ଓ ରେଙ୍ଗାଲ ଗୋଡ଼ା ଗ୍ରାମକୁ ଫେରିବାର ସମ୍ଭାବନା ରହିଛି। ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ପହଞ୍ଚି ହାତୀଙ୍କ ଉପରେ ନଜର ରଖିଥିବା ଜଣାପଡ଼ିଛି। ଏଣୁ ମାଣିକକୁ ବନ ବିଭାଗ ତରଫରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।
  
 Follow Us