ପୁଣି ଚର୍ଚ୍ଚାରେ ଏମାର ମଠ: ଗୁପ୍ତଧନ ସନ୍ଦେହ, ଯାଞ୍ଚ ଆରମ୍ଭ

ଅଗଣା ସହ ବିଭିନ୍ନ କୋଠରିର ଯାଞ୍ଚ

ପୁଣି ଚର୍ଚ୍ଚାରେ ଏମାର ମଠ: ଗୁପ୍ତଧନ ସନ୍ଦେହ, ଯାଞ୍ଚ ଆରମ୍ଭ

ପୁରୀ : ପୁଣି ଚର୍ଚ୍ଚାରେ ରାଜ୍ୟର ସବୁଠୁ ଧନୀ ‘ଏମାର ମଠ’। ଅତୀତରେ ୫୨୨ ଖଣ୍ଡ ରୁପା ଇଟାକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ମଠ ଏବେ ପୁଣିଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି। ଏମାର ମଠ ପରିଚାଳନା ପାଇଁ ନବଗଠିତ ଟ୍ରଷ୍ଟ ବୋର୍ଡ ମଠର କାନ୍ଥ, ଚଟାଣ ଆଦିରେ ରୁପା, ହୀରା, ନୀଳା, ମାଣିକ ଭଳି ଅନେକ ମୂଲ୍ୟବାନ ଜିନିଷ ରହିଥିବା ସନ୍ଦେହ ପ୍ରକଟ କରିବା ପରେ ଗୁରୁବାରଠାରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ, ଦେବୋତ୍ତର ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଜି ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠ ପରିସର ଟିକିନିଖି ଯାଞ୍ଚ କରାଯାଇଛି।

ନିକଟରେ ଏମାର ମଠର ପରିଚାଳନା ଦାୟିତ୍ବ ମଠ ମହନ୍ତଙ୍କ ହାତରୁ କାଢ଼ି ନିଆଯାଇ ଦେବୋତ୍ତର ବିଭାଗ ପକ୍ଷରୁ ନବଗଠିତ ଟ୍ରଷ୍ଟ ବୋର୍ଡ ହାତରେ ସମର୍ପି ଦିଆଯାଇଛି। ଟ୍ରଷ୍ଟବୋର୍ଡ ମାସେ ତଳେ ମଠ ପରିସରରେ ମାଟି ତଳେ ଆହୁରି ଅନେକ ଗୁପ୍ତଧନ ପୋତା ହୋଇ ରହିଥିବା ସନ୍ଦେହ ପ୍ରକଟ କରି ଦେବୋତ୍ତର ବିଭାଗକୁ ଚିଠି ଲେଖିଥିଲା। ଦେ‌ବୋତ୍ତର ବିଭାଗ ଜିଲ୍ଲା ପ୍ରଶାସନକୁ ମେଟାଲ୍‌ ଡିଟେକ୍ଟର ଜରିଆରେ ମଠ ପରିସର ଯାଞ୍ଚ କରିବାକୁ ଚିଠି ଲେଖିଥିଲା। ଜିଲ୍ଲା ପ୍ରଶାସନ ମେଟାଲ୍‌ ଡିଟେକ୍ଟର ପାଇଁ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି କରିଥିଲା। ଆଜି ଜିଲ୍ଲା ପ୍ରଶାସନ ସହମତିକ୍ରମେ ପୁଲିସ ପ୍ରଶାସନ ମେଟାଲ୍‌ ‌ଡିଟେକ୍ଟର ସହଯୋଗରେ ମଠ ପରିସର ଯାଞ୍ଚ କରିଛି। ମଠ ମହନ୍ତଙ୍କ ମୁଖ୍ୟ ଘର, ପ୍ରବେଶ ପଥ, ତନୟା ଅଗଣା, ପଙ୍ଗତ ବାରଣ୍ଡା ସହ କାନ୍ଥ, ଚଟାଣ ସବୁ ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ଅଧିକାରୀମାନେ ମଠର ପ୍ରବେଶ ପଥ ଚଟାଣ ତଳେ ପ୍ରାୟ ୧୫ ଫୁଟ ଲମ୍ବ ଓ ପ୍ରାୟ ୯ ଫୁଟ ଓସାରର କିଛି ରହିଥିବା ମେଟାଲ୍‌ ଡିଟେକ୍ଟର ସହଯୋଗରେ ଜାଣିବାକୁ ପାଇବା ପରେ ଏହି ଜାଗାକୁ ନାଲି ଗାର ଦେଇ ଚିହ୍ନଟ କରାଯାଇଛି। ସେହଭଳି ମଠ ମନ୍ଦିର ସମ୍ମୁଖ ତଥା ଝୁଲଣ ମଣ୍ଡପ ଅଗଣାରେ ଏକ ପାର୍ଶ୍ବରେ ପ୍ରାୟ ୪ ଫୁଟ ଲମ୍ବର କିଛି ଜିନିଷ ମାଟି ତଳେ ରହିଥିବା ଜାଣିବାକୁ ପାଇଛି। ଏହି ସ୍ଥାନକୁ ବି ଦାଗ ଦେଇ ରଖାଯାଇଛି। ଖୁବଶୀଘ୍ର ଏହାକୁ ଖୋଳି ମାଟି ତଳେ କ’ଣ ରହିଛି, ତାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦେବୋତ୍ତର ବିଭାଗ ଅଧୀକ୍ଷକ ଅନନ୍ତ ଚରଣ ମୁର୍ମୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe