ଏମାର ମଠ ଭଙ୍ଗାର ଚତୁର୍ଥ ଦିନ : ମଠ ଛାଡ଼ୁନାହାନ୍ତି ମହନ୍ତ; ଜିଦ୍‌ରେ ଅଟଳ

Advertisment

ମହନ୍ତଙ୍କୁ ଜୋରଜବରଦସ୍ତ ହଟାଇବାକୁ ଯୋଜନା

ମହନ୍ତଙ୍କୁ ଜୋରଜବରଦସ୍ତ ହଟାଇବାକୁ ଯୋଜନା

ଏମାର ମଠ ଭଙ୍ଗାର ଚତୁର୍ଥ ଦିନ : ମଠ ଛାଡ଼ୁନାହାନ୍ତି ମହନ୍ତ; ଜିଦ୍‌ରେ ଅଟଳ

ମାଟିରେ ମିଶିଲା ବଣିଆପଟି, ସୁନା ଦୋକାନ
ବଡ଼ଆଖଡ଼ା, ସାନଛତା ମଠ ଉଚ୍ଛେଦ ପାଇଁ ପ୍ରସ୍ତୁତି
ଛୁଟି ପାଇଁ ଦୁଇଦିନ ବନ୍ଦ ରହିବ ଉଚ୍ଛେଦ

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ସର୍ବପୁରାତନ ଏମାର ମଠ ଉଚ୍ଛେଦକୁ ଆଜି ଚାରିଦିନ ବିତିଛି। ଚତୁର୍ଥ ଦିନରେ ମଠ ଜାଗାରେ ଥିବା ବଣିଆପଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ। ଏଠାରେ ଥିବା ୧୦ରୁ ଅଧିକ ସୁନା ଦୋକାନକୁ ଭାଙ୍ଗି ଦିଆଯାଇଛି। କିନ୍ତୁ ଆଜି ବି ମଠର ମୁଖ୍ୟ କୋଠାକୁ ଭାଙ୍ଗି ପାରିନି ଜିଲ୍ଲା ପ୍ରଶାସନ। ମହନ୍ତଙ୍କ ଜିଦ୍‌ ଯୋଗୁଁ ଏହାକୁ ଭାଙ୍ଗିବାରେ ଫେଲ୍ ମାରିଛି ଜିଲ୍ଲା ପ୍ରଶାସନ। ସେପଟେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ। ପ୍ରଶାସନ ତାଙ୍କ ସହ ବାରମ୍ବାର ଆଲୋଚନା କରିଥିଲେ ବି ମଠ ଛାଡ଼ିବାକୁ ସେ ସିଧା ସିଧା ମନା କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଜୋରଜବରଦସ୍ତ ମହନ୍ତଙ୍କୁ ଖାଲି କରି ଏମାର ମଠ ଉଚ୍ଛେଦ କାର୍ଯ୍ୟକୁ ‌ଶେଷ କରିବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ। ସେପଟେ ଆଜି ସନ୍ଧ୍ୟାରେ ବଡ଼ଆଖଡ଼ା ମଠ ମହନ୍ତଙ୍କୁ ଉଚ୍ଛେଦ ନୋଟିସ୍‌ ଧରାଇଛି ପ୍ରଶାସନ।

ଅନ୍ୟପକ୍ଷରେ ଏମାର ମଠ ପରେ ବଡ଼ଆଖଡ଼ା ଓ ସାନଛତା ମଠକୁ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି। ଉଚ୍ଛେଦ ପୂର୍ବରୁ ଆଜି ସଂଧ୍ୟା ସୁଦ୍ଧା ବଡ଼ଆଖଡ଼ା ମଠ ଜାଗାରେ ଥିବା ଲୁଗାପଟି ଓ ଅନ୍ୟ ଦୋକାନ ଘର ଖାଲି ହୋଇଯାଇଛି। ତେବେ ଦୁଇଦିନ ସରକାରୀ ଛୁଟି (ରବିବାର ଓ ଗଣେଶ ପୂଜା) ଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ଆଜି ସକାଳୁ ଏକାଧିକ ମାଜିଷ୍ଟ୍ରେଟ୍‌ ଓ ୨୬ ପ୍ଲାଟୁନ୍ ଫୋର୍ସଙ୍କ ଉପସ୍ଥିତିରେ ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଚ୍ଛେଦ ପୂର୍ବରୁ ଉପଜିଲ୍ଲାପାଳ ଭବତାରଣ ସାହୁ ମହନ୍ତଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ। ଆଲୋଚନା ସାରି ଫେରିବା ପରେ ମଠ ଛାଡ଼ିବାକୁ ମହନ୍ତ ପ୍ରସ୍ତୁତ ଥିବା ଉପଜିଲ୍ଲାପାଳ ଗଣମାଧ୍ୟମ ଆଗରେ କହିଥିଲେ। ହେଲେ କିଛି ସମୟ ପରେ ମହନ୍ତ ମଠ ଛାଡ଼ିବାକୁ ରୋକଠୋକ୍ ମନା କରି ଦେଇଥିଲେ। ପୁନର୍ବାର ମହନ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସବୁ ପ୍ରୟାସ ବିଫଳ ହୋଇଥିଲା। ପ୍ରଶାସନ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେହି ଅନୁସାରେ ଉଚ୍ଛେଦ କରୁନଥିବାରୁ ମହନ୍ତ ଏହାକୁ ବିରୋଧ କରିଥିଲେ। ରଘୁନନ୍ଦନ ପାଠାଗାର ନ ଭାଙ୍ଗିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ବି ଏହାକୁ ଅମାନ୍ୟ କରିଛି ବୋଲି ମହନ୍ତ କହିଛନ୍ତି। ସେହିଭଳି ସେ ରହୁଥିବା ସ୍ଥାନକୁ ପ୍ରଶାସନ ଭାଙ୍ଗିବାକୁ ମନା କରିଥିଲା ବୋଲି ମହନ୍ତ କହିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ସେଭଳି କିଛି ପ୍ରତିଶ୍ରୁତି ଦିଆଯା‌ଇ ନ ଥିଲା ବୋଲି କୁହାଯାଇଛି।

ଏଭଳି ବାଦବିବାଦ ଭିତରେ ଆଜି ମଠର ମୁଖ୍ୟ କୋଠା ଭଙ୍ଗା ଯାଇପାରିନାହିଁ। କିନ୍ତୁ ଏହା ସଂଲଗ୍ନ ବଣିଆପଟିକୁ ଆଜି ଅପରାହ୍ଣରେ ଭାଙ୍ଗି ଦେଇଛି ପ୍ରଶାସନ। ଏହା ପୂର୍ବରୁ ସୁନା ଦୋକାନୀମାନେ ନିଜ ନିଜ ଦୋକାନ ଘର ଖାଲି କରି ଦେଇଥିଲେ। ଭଙ୍ଗା ଆରମ୍ଭର କେଇ ଘଣ୍ଟା ଭିତରେ ଏକାଧିକ ଜେସିବି ୧୦ରୁ ଅଧିକ ଦୋକାନକୁ ମାଟିରେ ମିଶାଇ ଦେଇଥିଲେ। ଆଜି ରାତି ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ବଡ଼ଆଖଡ଼ା ମଠରେ ଥିବା ଦୋକାନ ଘର ସବୁ ଆଜି ଅପରାହ୍ଣ ୫ଟା ସୁଦ୍ଧା ଖାଲି ହୋଇଯାଇଛି। ଏମାର ମଠ ଉଚ୍ଛେଦ ପରେ ବଡ଼ଆଖଡ଼ା ମଠ ଭଙ୍ଗାଯିବ। ଏହା ପରେ ଦୋଳବେଦି କୋଣ ସାନଛତା ମଠ ସହିତ ଅନ୍ୟ ମଠ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏ ସଂପର୍କରେ ଜିଲ୍ଲାପାଳ କହିଛନ୍ତି, ଶ୍ରୀମନ୍ଦିର ପାର୍ଶ୍ବରେ ଥିବା ମଠ ଭିତରେ ବଡ଼ଆଖଡ଼ା ମଠ ଓ ସାନଛତା ମଠ ଅସୁରକ୍ଷିତ ଅବସ୍ଥାରେ ରହିଛି। ସରକାରଙ୍କ ନିଷ୍ପତ୍ତି ମୁତାବକ ଏହାକୁ ଭାଙ୍ଗି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe