୨୦୧୧ ମସିହାରେ ଏମାର ମଠରୁ ମିଳିଥିଲା ୯୨ କୋଟିର ରୁପା ଇଟା : ୮ ବର୍ଷ ହେଲା ଦାଖଲ ହୋଇନି ଚାର୍ଜସିଟ୍

Advertisment
୨୦୧୧ ମସିହାରେ ଏମାର ମଠରୁ ମିଳିଥିଲା ୯୨ କୋଟିର ରୁପା ଇଟା : ୮ ବର୍ଷ ହେଲା ଦାଖଲ ହୋଇନି ଚାର୍ଜସିଟ୍

balaramranasingh.blogspot.com

ପୁରୀ : ୨୦୧୧ ମସିହାରେ ଏମାର ମଠରୁ ମିଳିଥିବା ରୁପା ଇଟା ଚର୍ଚ୍ଚା ଏବେ ପୁଣି ଜୀବନ୍ତ ହୋଇଛି। କୋର୍ଟରେ ବିଚାରାଧୀନ ଥିବା ଏମାର ମଠର ରୁପା ଇଟା ମାମଲା ଉପରୁ ଏ ପର୍ଯ୍ୟନ୍ତ ପରଦା ହଟି ପାରୁନାହିଁ। ମଠର ରୁପା ଇଟା କାହାର? ମଠର, ମନ୍ଦିରର ନା ସରକାରଙ୍କର...ତାହା ଏବେ ବି ରହସ୍ୟରେ ରହିଛି। ଗତ ୮ ବର୍ଷ ହେଲା ଏହି ମାମଲାର ଫାଇନାଲ ଚାର୍ଜସିଟ୍ ଦାଖଲ ହୋଇ ପାରିନଥିବା ବେଳେ ଜବତ ରୁପା ଇଟା ବର୍ତ୍ତମାନ ପୁରୀ ରିଜର୍ଭ ପୁଲିସ ଅସ୍ତ୍ରାଗାରରେ ରହିଛି। ସବୁଠୁ ବଡ଼ କଥା ହେଲା, ଏଭଳି ଏକ ସମ୍ବେଦନଶୀଳ ତଥା ସ୍ପର୍ଶକତାର ମାମଲାରେ ପୁଲିସ କେବଳ ପ୍ରାଥମିକ ଚାର୍ଜସିଟ୍‌ରେ ଅଟକି ରହିଛି। ୮ ବର୍ଷ ଭିତରେ ଏହି ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସହିତ ୫ ଜଣ ଏସ୍‌ପି ବଦଳି ସାରିଲେଣି। ମାତ୍ର ମାମଲାଟି ଆଉ ଆଗକୁ ବଢ଼ି ପାରୁନାହିଁ। ଅନ୍ୟପକ୍ଷରେ ଫାଇନାଲ ଚାର୍ଜସିଟ୍‌ ଦାଖଲ ହୋଇ ପାରୁନଥିବାରୁ କୋର୍ଟରେ ମାମଲାର ବିଚାର ମଧ୍ୟ ହୋଇ ପାରୁନାହିଁ।

୨୦୧୧ ମସିହାରେ ଏମାର ମଠ ମରାମତି ଚାଲିଥିବା ସେଠାରେ କାମ କରୁଥିବା ଢେଙ୍କାନାଳର ଦୁଇ ଜଣ ଶ୍ରମିକ ରୁପା ଇଟ‌ା ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲେ। ପଚରାଉଚରା ପରେ ସେମାନେ ଏମାର ମଠରୁ ଏହାକୁ ଚୋରାଇଥିବା କହିଥିଲେ। ପରେ ୨୦୧୧ ‌ଫେବ୍ରୁଆରି ୨୬ ତାରିଖ‌ରେ ପୁଲିସ ଏମାର ମଠରେ ଚଢ଼ଉ କରି ଦୁଇଟି ବନ୍ଦ କୋଠରିରୁ ୫୨୨ ଖଣ୍ଡ ରୁପାଇଟା ଜବତ କରିଥିଲା। ଯାହାର ଓଜନ ଥିଲା ୧୮ ଟନ୍ ୮୭ କେଜି ୭୫୦ ଗ୍ରାମ। ସେ ସମୟରେ ବଜାର ଦର ଅନୁସାରେ ଏହାର ମୂଲ୍ୟ ୯୨ କୋଟି ଆକଳନ କରାଯାଇଥିଲା। ଏ ନେଇ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣ‌ାରେ ଦୁଇ ଶ୍ରମିକଙ୍କୁ ପୁଲିସ ଗିରଫ କରିଥିଲା। ଏହାର ୨୫ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୩ ତାରିଖରେ ପୁଲିସ ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ, ତାଙ୍କ ଚେଲା ସୁଦର୍ଶନ ରାମାନୁଜ ଦାସ ଓ ଜଣେ ସୁନାଦୋକାନୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା। ସେମ‌ାନଙ୍କ ପାଖରୁ ୩ କୁଇଣ୍ଟାଲ ୪୦ କିଲୋ ରୁପା ଇଟା, ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲ। ପରେ ପୁରୀର ଗଣେଶ ଜୁଏଲାରୀ ଉପରେ ଚଢ଼ଉ କରାଯିବା ସହ ଜୁଏଲାରୀ ସହିତ ସଂପୃକ୍ତ ଥିବା କିଛି ଲୋକଙ୍କୁ ଗିରଫ କରିଥିଲା ପୁଲିସ। ଜବତ ରୁପା ଇଟା ଏବେ ପୁଲିସ ସୁରକ୍ଷା ବଳୟ ଭିତରେ ରହିଛି। ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ମଧ୍ୟ ଦିଆଯାଇନାହିଁ। ଏବେ ଏମାର ମଠ ମାଟିରେ ମିଶିଲାଣି। ଅଥଚ ମାମଲାର ଫାଇନାଲ ଚାର୍ଜସିଟ୍ ଦାଖଲ କରି ନପାରିବ‌ା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe