ବିଶିଷ୍ଟ ଶିକ୍ଷାବିତ୍‌ ବିଜୟ ସାହୁଙ୍କ ପରଲୋକ

Advertisment

କରୋନାରେ ଗୁରୁତର ହୋଇ ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ

କରୋନାରେ ଗୁରୁତର ହୋଇ ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ

ବିଶିଷ୍ଟ ଶିକ୍ଷାବିତ୍‌ ବିଜୟ ସାହୁଙ୍କ ପରଲୋକ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଥିଲେ

ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା‌ ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ସାହୁ(୫୮)ଙ୍କର ଗୁରୁବାର ପରଲୋକ ହୋଇଯାଇଛି। କରୋନାରେ ଗୁରୁତର ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବି‌ୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ସକାଳେ ତାଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିବ ବୋଲି ପରିବାରବର୍ଗ ସୂଚନା ଦେଇଛନ୍ତି।

ଶ୍ରୀ ସାହୁ ଏପ୍ରିଲ ତୃତୀୟ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର କରୋନା ପରବର୍ତୀ ଜଟିଳତା ଯୋଗୁଁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇ ପଡ଼ିବାରୁ ଉନ୍ନତ ଚିକିତ୍ସା ଲାଗି ଗତ ମେ' ୧୯ ତାରିଖରେ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ରାତିରୁ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଆଜି ଅପରାହ୍ନ ସାଢ଼େ ଗୋଟାଏରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଶିଳ୍ପୀ ସାହୁ, ବଡ଼ ପୁଅ ବିଶାଲ ଆଦିତ୍ୟ, ସାନପୁଅ ବିକ୍ରମ ଆଦିତ୍ୟ, କନ୍ୟା ବିଦିଶା, ଜ୍ବାଇଁ ନୀଲେଶ ପ୍ରମୁଖ ଉପସ୍ଥିତ ଥିଲେ।

୧୯୬୩ ଜୁନ୍‌ ପହିଲାରେ ଭୁବନେଶ୍ବରରେ ଜନ୍ମଗ୍ରହଣ କରିଥିବା ‌ଶ୍ରୀ ସାହୁ ପିଲା ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ଡିଏମ୍‌ ସ୍କୁଲରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ୧୯୮୨ରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ କରି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ବାଣିଜ୍ୟ ବିଭାଗରେ ପିଏଚ୍‌ଡି ଡିଗ୍ରି ହାସଲ କରିବା ସହ ଚାଟାର୍ଡ ଆକାଉଣ୍ଟାନ୍ସି ଓ କଷ୍ଟ ଆକାଉଣ୍ଟାନ୍ସିରେ ବି ଶିକ୍ଷାଗ୍ରହଣ କରିଥିଲେ। କେବଳ ସେତିକି ନୁହେଁ, ଶ୍ରୀ ସାହୁ ଆମେରିକାସ୍ଥିତ ହାର୍ଭାଡ୍‌ ଗ୍ରାଜୁଏଟ୍‌ ସ୍କୁଲ ଅଫ୍‌ ଏଜୁକେସନ, ଇଂଲଣ୍ଡ ନଟିଂହାମ୍‌ସ୍ଥିତ ନ୍ୟାସନାଲ କଲେଜ, ସିଙ୍ଗାପୁରସ୍ଥିତ ଏସିଆନ୍‌ ଇଣ୍ଟରନ୍ୟାସନାଲ କଲେଜ, ଦିଲ୍ଲୀ ଆଇଆଇଟିରେ ଶିକ୍ଷା ଗ୍ରହଣ କରିଥିଲେ। ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରବର୍ତନ ଆଣିଥିବାରୁ ଚଳିତ ବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା। ଏହା ବାଦ୍‌ ସେ କ୍ୟୁସିଆଇ କ୍ବାଲିଟି ଚମ୍ପିଆନ୍‌ ଆୱାର୍ଡ ୨୦୨୦, ଇଟି ନାଓ ବିଜନେସ୍‌ ଲିଡର ଅଫ୍‌ ଦି ଇୟର, ଶିକ୍ଷାକ୍ଷେତ୍ରରେ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ, ପଞ୍ଚମ ବେଦ ସମ୍ମାନ-୨୦୧୪, ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୧୦ ଆଦି ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ। ହିନ୍ଦୁସ୍ଥାନ ସିପ୍‌ୟାର୍ଡ ଲିମିଟେଡ୍‌ର ନିର୍ଦେଶକ, ଆହ୍ଲାବାଦ ବ୍ୟାଙ୍କ ନିର୍ଦେଶକ ରହିବା ସହ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ରହିଥିଲେ। ଏହା ବ୍ୟତୀତ ଶ୍ରୀ ସାହୁ ଭୁବନେଶ୍ବରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ସାଇ ଆଙ୍ଗନ୍‌, ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ୍‌ ସ୍କୁଲ, ସାଇ ଇଣ୍ଟରନ୍ୟାସନାଲ କଲେଜ ଅଫ୍‌ କମର୍ସ ପ୍ରତିଷ୍ଠା କରି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଉଚ୍ଚତାକୁ ନେଇଥିଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର ବିପୁଳ ଅଭିଜ୍ଞତା ଏବଂ ବିଶେଷ ଯୋଗ୍ୟତାକୁ ବିଚାରକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯିବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା। ସିବିଏସ୍‌ଇ ବୋର୍ଡ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଉନ୍ନତ ଫଳାଫଳ କରିବା ପଛରେ ଶ୍ରୀ ସାହୁଙ୍କ ପ୍ରମୁଖ ଅବଦାନ ଅତୁଳନୀୟ ଥିଲା।
ବିଭିନ୍ନ ମହଲରେ ଶୋକ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସ୍ବର୍ଗତ ସାହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ରାଜ୍ୟପାଳ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟ, ବନ୍ଧୁ ଓ ଛାତ୍ରଛାତ୍ରୀଙ୍କୁ ସମ‌ବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ସରକାରୀ ବିଦ୍ୟାଳୟ ଶିକ୍ଷାରେ ରୂପାନ୍ତରଣ ଆଣିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଜୟ କୁମାର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଭଳି ଉଚ୍ଚମାନର ଘରୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନୂଆ ମାର୍ଗ ଦେଖାଇବାରେ ସକ୍ଷମ ହୋଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପ‌ଦେଷ୍ଟା ଭାବେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତନ ଆଣିବାରେ ସ୍ବର୍ଗତ ସାହୁଙ୍କ ଭୂମିକା ଅତୁଳନୀୟ। ଜଣେ ଶିକ୍ଷାବିତ୍‌ ଭାବେ ନିଜ ସ୍ବତନ୍ତ୍ର ଉପସ୍ଥାପନା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେବା ସହ ପ୍ରେରିତ କରୁଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଜୟ ସାହୁଙ୍କ ଦେହାନ୍ତ ମୋତେ ମର୍ମାହତ କରିଛି। ମୋ ପାଇଁ ଏହା ବ୍ୟକ୍ତିଗତ କ୍ଷତି। ସାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଅଧ୍ୟକ୍ଷ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ।

ଶ୍ରୀ ସାହୁଙ୍କ ବିୟୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ସୁଶାନ୍ତ କୁମାର ରାଉତ ଓ ଦେବୀରଂଜନ ତ୍ରିପାଠୀ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe