କଥାକାର ମନୋଜ ପଣ୍ଡା ଆଉ ନାହାନ୍ତି

Advertisment
କଥାକାର ମନୋଜ ପଣ୍ଡା ଆଉ ନାହାନ୍ତି

ବଲାଙ୍ଗୀର : ଶାରଳା ପୁରସ୍କାର ବିଜେତା ବିଶିଷ୍ଟ କଥାକାର ମନୋଜ କୁମାର ପଣ୍ଡା (୬୬)ଙ୍କ ଗୁରୁବାର ସନ୍ଧ୍ୟାରେ ବଲାଙ୍ଗୀର ସାଗରପଡ଼ାସ୍ଥିତ ବାସଭବନରେ ପରଲୋକ ହୋଇଛି। ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବାରୁ ତୁରନ୍ତ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନିଆଯାଇଥିଲା। ସେଠାରେ ୭ଟା ୩୫ମିନିଟ୍‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ଆକସ୍ମିକ ବିୟୋଗ ସମଗ୍ର ରାଜ୍ୟର ସାହିତ୍ୟିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

ଶ୍ରୀ ପଣ୍ଡା ୧୯୫୪ ଅକ୍ଟୋବର ୪ ତାରିଖ ପିତା ନୀଳମଣି ପଣ୍ଡା ଓ ମାତା ରାଧାରାଣୀ ପଣ୍ଡାଙ୍କ ଓୗରସରୁ ଜନ୍ମଲାଭ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ବୟୋଜ୍ୟେଷ୍ଠ। ବିଏ ପାସ୍ କଲା ପରେ ସେ ବିଇଡି କରି ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ସାମାଜିକ ଗତିବିଧି ହେଉ କି ସାଂପ୍ରତିକ ବ୍ୟବସ୍ଥା, ସବୁକୁ ନିଜର ସ୍ବତନ୍ତ୍ର ସର୍ଜନା ଶୈଳୀରେ ଜୀବନ୍ତ ଭାବରେ ଫୁଟାଇପାରିଥିବା କଥାକାର ମନୋଜ କୁମାର ପଣ୍ଡାଙ୍କ ହାଡ଼ ବଗିଚା, ମାୟା ବଗିଚା,ବର୍ଣ୍ଣ ବଗିଚା, ଶବ୍ଦ ଶସ୍ୟ, ‘ଦ ବୋର୍ଣ୍ଣ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ୍‌’ (ଇଂରାଜୀ ଗଳ୍ପ ସଂକଳନ) ଓ ଶୂନ୍ୟସ୍ଥାନ ପୂରଣ କରିବାର ଖେଳ(ପ୍ରବନ୍ଧ) ଆଦି ପୁସ୍ତକ ରହିଛି। ମାୟା ବଗିଚା ଗଳ୍ପ ସଂକଳନ ପାଇଁ ସେ ୨୦୧୫ ମସିହାରେ ଶାରଳା ପୁରସ୍କାର ପାଇଥିଲେ।

ଗଳ୍ପଧାରାରେ ତାଙ୍କ ପୁସ୍ତକ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା। ୨୦୧୦ ମସିହାରେ ତାଙ୍କର ଇଂରାଜୀ ଅନୁଦିତ ପୁସ୍ତକ ‘ଦି ବୋର୍ଣ୍ଣ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ୍‌’ ଆୟାର୍ଲାଣ୍ଡରେ ଅବସ୍ଥିତ ‘ଫ୍ରେଙ୍କ୍ ଓ କନର ଆନ୍ତାର୍ଜାତୀୟ ଗଳ୍ପ ପୁରସ୍କାର ପାଇଁ ସମଗ୍ର ଏସିଆ ମହାଦେଶରୁ ଦଶ ଜଣ ଗାଳ୍ପିକଙ୍କ ମଧ୍ୟରେ ସ୍ଥାନୀତ ହୋଇଥିଲା। ଏହା ବଲାଙ୍ଗୀର ପାଇଁ ବି ଏକ ଗର୍ବର ବିଷୟ ରହିଥିଲା। ଶ୍ରୀ ପଣ୍ଡା ଶାରଳା ପୁରସ୍କାର ପାଇବା ସହ ଆହୁରି ଅନେକ ସମ୍ମାନ ସେ ପାଇଥିଲେ। ଅଖିଳ ମୋହନ ସାହିତ୍ୟ ସମ୍ମାନ, ଅଶୋକ ଚନ୍ଦନ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବା ସହ ବହୁ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ।

‘ଇଗୁଲୁ’ରୁ ଖୋଜୁଥିଲେ ଗଳ୍ପର ଖୋରାକ୍‌
ଗାଳ୍ପିକ ମନୋଜ ପଣ୍ଡାଙ୍କ ବାସଭବନର ନାଁ ଥିଲା ‘ଇଗୁଲୁ’। ତାଙ୍କୁ ଦେଖା କରିବାକୁ ହେଲେ ଇଗୁଲୁକୁ ସମସ୍ତେ ଯାଉଥିଲେ। ଘର ସମ୍ମୁଖରେ ଥିବା ବାଡ଼ି ବଗିଚାରୁ ସେ ନିଜର ଗଳ୍ପ ପାଇଁ ଖୋରାକ ପାଉଥିଲେ। ଗାଳ୍ପିକଙ୍କ ସହ ହୋଇଥିବା ବାର୍ତ୍ତାଳାପ ଭିତରେ ସେ ଏକ ଚମତ୍କାର ପ୍ରସଙ୍ଗ ଗୋଟିଏ ଥର କହିଥିଲେ। ତାହା ଥିଲା ‘ଫୁଲ ଚୋରି’। ଭଗବାନଙ୍କୁ ସମସ୍ତେ ପୂଜା କରନ୍ତି। ହେଲେ ସକାଳ ପାହାନ୍ତାରୁ ଘର ବଗିଚା ତଥା ଛୋଟ ଫୁଲ ଗଛରୁ ଲାଠି ଧରି ଛୋଟ ଛୋଟ ଛୁଆଙ୍କଠୁ ନେଇ ବୟସ୍କ ଫୁଲ ତୋଳିଥାନ୍ତି। ଗଣେଶ ପୂଜା ଦିନର କଥା କହି ତାଙ୍କ ଘର ଅଗଣାରୁ ଫୁଲ ସବୁ ଗଛରୁ ଗାଏବ ହୋଯାଇଥିବା ପ୍ରସଙ୍ଗ କହିଥିଲେ। ତାକୁ ନେଇ ସେ ଏକ ସ୍ୱତନ୍ତ୍ର ଗଳ୍ପ ବି ଲେଖିଥିଲେ। ବେଶ୍‌ ସୁନ୍ଦର ଶୈଳୀରେ ସେ ନିତିଦିନ ଘଟୁଥିବା ଜୀବନଚର୍ଯ୍ୟାରୁ ଘଟଣାମାନଙ୍କୁ ନେଇ ନିଜ ଲେଖନୀରେ ଜୀବନ୍ତ ରୂପ ଦେଉଥିଲେ। କ୍ଷୁଦ୍ର ଗଳ୍ପମାନ ରଚନା କରି ସମାଜକୁ ଭଲ ବାର୍ତ୍ତା ଦେବାରେ ସେ ପ୍ରମୁଖ ଭୂମିକା ତୁଲାଇ ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe