ଜନତାଙ୍କ ଛୋଟରୁ ଛୋଟ ସମସ୍ୟାର ସମାଧାନକୁ ଗୁରୁତ୍ବ ଦିଆଯିବ: ପ୍ରଣବ

ବିଜେଡିର ଲୋକସମ୍ପର୍କ ଅଭିଯାନ

ଜନତାଙ୍କ ଛୋଟରୁ ଛୋଟ ସମସ୍ୟାର ସମାଧାନକୁ ଗୁରୁତ୍ବ ଦିଆଯିବ: ପ୍ରଣବ

ରେଙ୍ଗାଲି/ଚିପିଲିମା: ସମ୍ବଲପୁର ମାଟି ବୀରମାଟି। ଏହା ମା’ ସମଲେଶ୍ୱରୀଙ୍କ ମାଟି, ବୀର ସୁରେନ୍ଦ୍ର ସାଏଙ୍କ ମାଟି। ଏ ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ମତେ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ସମ୍ବଲପୁରରୁ ପ୍ରାର୍ଥିତ୍ୱ ମିଳିବା ପରେ ଲୋକେ ମତେ ଏଭଳି ସସମ୍ମାନେ ସ୍ୱାଗତ କରିବେ ତାହା ମୁଁ କେବେ ଆଶା କରିନଥିଲି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଓଡ଼ିଶାବାସୀ ଓ ସମ୍ବଲପୁରବାସୀ ସବୁବେଳେ ଆଦରି ନେଇଛନ୍ତି। ମତେ ଲାଗୁଛି ମୁଖ୍ୟମନ୍ତ୍ରୀ ମତେ ସମ୍ବଲପୁରରୁ ପ୍ରାର୍ଥୀ କରିବାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସମ୍ବଲପୁରବାସୀ ଖୁବ ଭଲ ଭାବରେ ଗ୍ରହଣ କରିଛନ୍ତି। ଆଜି ପ୍ରଚାର ସମୟରେ ଲୋକମାନେ ଯେଭଳି ଭାବରେ ସ୍ୱାଗତ କରୁଛନ୍ତି ମତେ ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ବଲପୁରବାସୀ ନିଶ୍ଚିତ ଭାବରେ ସମ୍ମାନ ଜଣାଇବେ ବୋଲି ରେଙ୍ଗାଲି ନିର୍ବାଚନମଣ୍ଡଳୀରେ ପ୍ରଚାର ସମୟରେ ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ଶୁକ୍ରବାର ସକାଳୁ ମାରାଥନ ପ୍ରଚାର କରିଥିଲେ ପ୍ରଣବ ପ୍ରକାଶ ଦାସ। ମା’ ସମଲେଶ୍ୱରୀଙ୍କ ନାମ ନେଇ ଆରମ୍ଭ କରିଥିଲେ ଲୋକସମ୍ପର୍କ ଅଭିଯାନ।

ତାଲବରେ ଲୋକଙ୍କୁ ଭେଟି ସେଠାକାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗ୍ରାମକୁ ଯାଇଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମୁଣ୍ଡିଆ ମାରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ପରିବାର ଲୋକଙ୍କ ସହ ବସି ଜଳଖିଆ କରିବା ସହିତ ଆଲୋଚନା କରିଥିଲେ। ପରେ ରେଙ୍ଗାଲି ସ୍ଥିତ ଦୁର୍ଗାମନ୍ଦିରକୁ ଯାଇ ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ। ରେଙ୍ଗାଲିରେ ନାଗରିକ କମିଟି ଓ ମାରୱାଡ଼ି ସମାଜ ସଦସ୍ୟଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରେଙ୍ଗାଲିରେ ସ୍ଥାନୀୟ ସମସ୍ୟା କ’ଣ ରହିଛି, କେମିତି ତା’ର ସମାଧାନ କରାଯାଇପାରିବ ସେ ବିଷୟରେ ଆଲୋଚନା କରି ଲୋକଙ୍କ ମତାମତ ଲୋଡ଼ିଥିଲେ। ଏହି ଅବସରରେ ବିଜେଡିର ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲ। ବହୁ ସଂଖ୍ୟାରେ ବିଜେପିର ଯୁବ ଓ ବରିଷ୍ଠ କର୍ମୀମାନେ ବିଜେଡିରେ ଯୋଗଦାନ କରିଥିଲେ। ଏହା ପରେ ପ୍ରଣବ ପ୍ରକାଶ ଦାସ ମାନେଶ୍ୱର ଯାଇଥିଲେ। ଠେମରାରେଠାରେ ଆୟୋଜିତ ଏକ ସଭାରେ ଯୋଗଦେଇ ଲୋକଙ୍କ ସହିତ ମିଶିଥିଲେ। ଠେମରା ବାସିନ୍ଦା ଗୋପୀବାବୁଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ଉଲ୍ଲେଖଯୋଗ୍ୟ ଗୋପୀବାବୁଙ୍କ ଘରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ପ୍ରଣବଙ୍କ ବାପା ଅଶୋକ ଦାସ ଭୋଜନ କରିଥିଲେ। ଏହାପରେ ଠେମରା ସ୍ଥିତ ମହିମା ଧର୍ମାବଲମ୍ବୀଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ଚିପିଲିମାଠାରେ ସଭାକରି ମା’ ଘଣ୍ଟେଶ୍ୱରୀଙ୍କ ଦର୍ଶନ କରି ମାରାଥନ ପ୍ରଚାର କାର୍ଯ୍ୟକ୍ରମକୁ ଶେଷ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe