The New Indian Express
ଭୁବନେଶ୍ବର : ପଞ୍ଚାୟତ ଭୋଟ୍ ଦାୟିତ୍ବରେ ଥିବା ଅଧିକାରୀଙ୍କ ପାଇଁ ମତଦାନ ବ୍ୟବସ୍ଥା ନଥିବାବେଳେ ପୌର ଭୋଟ୍ରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ମତଦାନ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ପୌର ନିର୍ବାଚନରେ ଡ୍ୟୁଟି କରିବେ ସେମାନେ ଇଡିସି ବାଲଟ୍ ପେପରରେ ଭୋଟ୍ ଦେବେ। ହେଲେ ସେମାନଙ୍କର ପୌରାଞ୍ଚଳର ଭୋଟର ହୋଇଥିବା ଦରକାର ଏବଂ ତାଙ୍କର ନାମ ଭୋଟର ତାଲିକାରେ ଥିବା ଦରକାର।
ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁମାନେ ଭୋଟ୍ ଦେବାକୁ ଆଗ୍ରହୀ ଥିବେ ସେମାନେ ନିର୍ବାଚନ ଡୁ୍ୟଟିରେ ଯିବାର ଚାରି ଦିନ ପୂର୍ବରୁ ସେମାନଙ୍କ ନିର୍ବାଚନ ଡ୍ୟୁଟି ନେଇ ଜାରି ହୋଇଥିବା ନିଯୁକ୍ତି ପତ୍ରର ନକଲ ଏବଂ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ହୋଇଥିବା ଫର୍ମକୁ ପୂରଣ କରି ଆବେଦନ କରିବାକୁ ପଡ଼ିବ। ଏହାକୁ ସ୍ଥାନୀୟ ନିର୍ବାଚନ ଅଧିକାରୀ ଯାଞ୍ଚ କରିବେ। ଏହାପରେ ତାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀ ବାହାରେ ଭୋଟ୍ ଦେବାକୁ ଅନୁମତି ମିଳିବ। ସେମାନଙ୍କୁ ଦୁଇଟି ବାଲଟ୍ ପେପର ଦିଆଯିବ। ଗୋଟିଏ ମେୟର/ପୌରାଧ୍ୟକ୍ଷ ଏବଂ ଅନ୍ୟଟି କର୍ପୋରେଟର/କାଉନସିଲର ପଦବି ପାଇଁ ଦେବେ। ବାଲଟ୍ ପେପରରେ ପୌରସଂସ୍ଥା ନାମ, ୱାର୍ଡ, ବୁଥ୍ ନାମ ଲେଖି ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏହାକୁ ଭୋଟ୍ ଗଣତି ସମୟରେ କାଉଣ୍ଟିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଖୋଲା ଯାଇ ଗଣାଯିବ।
Follow Us