employee: ୬୫ରୁ ଅଧିକ ବର୍ଷର କର୍ମଚାରୀ ମାଳମାଳ: ଏମାନଙ୍କର ଅବସର ନାହିଁ!

Advertisment

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଯେପରି କୌଣସି ବିଭାଗରେ ମନଇଚ୍ଛା ପୁନଃନିଯୁକ୍ତି ଦିଆଯିବନି ସେନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୨, ୨୦୨୪ରେ ଏକ ସଂକଳ୍ପ ଜାରି କରାଯାଇଥିଲା।

Updated On

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଯେପରି କୌଣସି ବିଭାଗରେ ମନଇଚ୍ଛା ପୁନଃନିଯୁକ୍ତି ଦିଆଯିବନି ସେନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୨, ୨୦୨୪ରେ ଏକ ସଂକଳ୍ପ ଜାରି କରାଯାଇଥିଲା।

ଅଦ୍ୟତନ ହୋଇଛି
govt office

Photograph: (NDTV)

ବିଶ୍ବଜିତ ଦାଶ
ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଯେପରି କୌଣସି ବିଭାଗରେ ମନଇଚ୍ଛା ପୁନଃନିଯୁକ୍ତି ଦିଆଯିବନି ସେନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୨, ୨୦୨୪ରେ ଏକ ସଂକଳ୍ପ ଜାରି କରାଯାଇଥିଲା। ଏଥିରେ ନିୟମ ଥିଲା ଯଦି କୌଣସି ଅଧିକାରୀ, କର୍ମଚାରୀଙ୍କୁ କୌଣସି ବିଭାଗ ପୁନଃନିଯୁକ୍ତି ଦେବାକୁ ଚାହୁଥିବ ତେବେ ସେ ସଂକ୍ର‌ାନ୍ତରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏଥିପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ କରାଯିବ। ଏଥିରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥ ସଚିବ ସଦସ୍ୟ ରହିବେ। ଯେଉଁ ବିଭାଗରେ ନିଯୁକ୍ତି ଦିଆଯିବ ସେହି ବିଭାଗର ସଚିବ ଆବାହକ ସଦସ୍ୟ ରହି‌ବେ। ଏପରିକି ସଂପୃକ୍ତ ବିଭାଗର ସଚିବଙ୍କୁ ଏହି ପୁନଃନିଯୁକ୍ତି ନେଇ ବାଧ୍ୟତାମୂଳକ କାରଣ ବିଷୟରେ କମିଟି ଆଗରେ ରଖିବାକୁ ପଡ଼ିବ। ଯଦି କମିଟି ସନ୍ତୁଷ୍ଟ ହେଲା ତେବେ ପୁନଃନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ବିଚାର ଓ ଅନୁ‌େମାଦନ ପାଇଁ ସୁପାରିସ କରିବ।

ହେଲେ କୌଣସି ପରିସ୍ଥିତିରେ ବି ୬୫ ବର୍ଷ ପରେ କାହାକୁ ପୁନଃନିଯୁକ୍ତି ଦିଆଯାଇପାରିବନି। ଯେତେବେଳେ ପୁନଃନିଯୁକ୍ତି ଦିଆଯିବ ସେତେବେଳେ ଏହି ସର୍ତ୍ତ ରହିବା ସହ ଏକସଙ୍ଗେ ୧ ବର୍ଷ ପାଇଁ ନିଯୁକ୍ତି ଦିଆଯିବ। କିନ୍ତୁ ରାଜ୍ୟ ସରକାରଙ୍କ ବହୁ ବିଭାଗ ଏବେ ଏହି ସଂକଳ୍ପକୁ ମାନୁନଥିବା ଦେଖିବାକୁ ମିଳିଛି। ନଗର ଉନ୍ନୟନ ବିଭାଗରୁ ଆରମ୍ଭ କରି ପୂର୍ତ୍ତ, ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ବ ଆଦି ବିଭାଗରେ ଏବେ ମାଳମାଳ କର୍ମଚାରୀଙ୍କୁ ୬୫ ବର୍ଷ ପରେ ଥଇଥାନ କରାଯାଉଛି। ନା ଏଥିପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରାଯାଉଛି ନା ସରକାରଙ୍କ ଅନୁମତି ନିଆଯାଉଛି। ମନଇଚ୍ଛା କାହାକୁ ୬ ମାସ ପାଇଁ ତ କାହାକୁ ଖାଲି ପଦବି ପୂରଣ ହେବା ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଉଛି। 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ସଚିବଙ୍କୁ ଅନ୍ଧାରରେ ରଖି ବିଭାଗୀୟ ସଚିବ ଓ ବିଭାଗୀୟ ମୁଖ୍ୟମାନେ ଏବେ ମନଇଚ୍ଛା ପୁନଃନିଯୁକ୍ତି ଦେଉଛନ୍ତି। ଏପରିକି କେଉଁ ଅଧିକାରୀଙ୍କୁ କେତେ ପାରିଶ୍ରମିକ ମିଳିବ ସେ ନେଇ ଅର୍ଥ ବିଭାଗ ସହ ପରାମର୍ଶ କରି ନିଷ୍ପତ୍ତି ନିଆଯିବା କଥା। କିନ୍ତୁ ତାହା ମଧ୍ୟ ପାଳନ କରାଯାଉନି। ଯିଏ ଖାସ୍ ତାଙ୍କ ପାଇଁ ଅଧିକ ପାରିଶ୍ରମିକ ବ୍ୟବସ୍ଥା କରାଯାଉଛି। କୌଣସି ଦୈନନ୍ଦିନ କାର୍ଯ୍ୟରେ ସେମାନଙ୍କୁ ନିଯୁକ୍ତି ଦେବାର ନିୟମ ନଥିବାବେଳେ କେତେକ କାର୍ଯ୍ୟାଳୟରେ ପୁନଃନିଯୁକ୍ତି ପାଇଥିବା ବାବୁମାନେ ହିଁ ସର୍ବେସର୍ବା ପାଲଟିଯାଇଛନ୍ତି। ଯାହାକୁ ନେଇ ଏବେ ସରକାରୀ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଲାଣି।

ସିଏମ୍‌ଓ, ମୁଖ୍ୟ ସଚିବଙ୍କୁ ଅନ୍ଧାରରେ 
ରଖି ପୁନଃନିଯୁକ୍ତି
ବିଭାଗୀୟ ମୁଖ୍ୟମାନେ ମାନୁନାହାନ୍ତି ସରକାରୀ ନିର୍ଦ୍ଦେଶନାମା
କାହାକୁ ୬ ମାସ ତ କାହାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦିଆଯାଉଛି ନିଯୁକ୍ତି 

ସାଧାରଣ ପ୍ରଶାସନ ବିଭାଗର ନିୟମକୁ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ‘ଓରେରା’ରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ଏଠାରେ ୬୫ବର୍ଷରୁ ଅଧିକ ବୟସ୍କ ଏପରିକ ୬୯ବର୍ଷ ବୟସରେ ବି ବାବୁଙ୍କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ (ଅର୍ଥାତ୍ ଖାଲି ପଦବି ପୂରଣ ହେବା ପର୍ଯ୍ୟନ୍ତ) ନିଯୁକ୍ତି ଦିଆଯାଇଛି। ସେ ହେଲେ କୈଳାସ ଚନ୍ଦ୍ର ଚୌଧୁରୀ। ଓରେରାର ପ୍ରଶାସନିକ ସଦସ୍ୟଙ୍କ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ନିଯୁକ୍ତି ଦେବା ଲାଗି ସବୁ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ୬୫ବର୍ଷ ପରେ ବାରମ୍ବାର ପୁନଃନିଯୁକ୍ତି ଦିଆଯାଇଛି। ନିୟମ ଅନୁଯାୟୀ ଥରକରେ ଏକ ବର୍ଷ ପାଇଁ ନିଯୁକ୍ତି ଦେବାର ନିୟମ ଥିବାବେଳେ ତାଙ୍କୁ ନିୟମ ଉଲ୍ଲଂଘନ କରି ମାର୍ଚ୍ଚ ୨୯ରେ ୬ ମାସ ପାଇଁ ପୁନଃନିଯୁକ୍ତି ଦିଆଯାଇଥିଲା। ଏହାପରେ ନିଯୁକ୍ତି ଅବଧି ସରିବାର ୧୧ ଦିନ ପରେ ଅର୍ଥାତ୍ ଅକ୍ଟୋବର ୯ରେ ପିଛିଲା ଭାବେ ଅକ୍ଟୋବର ୩ରୁ ପୁନଃନିଯୁକ୍ତି ଦିଆଗଲା।  ତାହା ପୁଣି ପଦବି ପୂରଣ ହେବା ପର୍ଯ୍ୟନ୍ତ। ଏଥିରେ କୌଣସି ସମୟସୀମା ରଖାଗଲାନି। ୨୦୧୮ ମସିହାରୁ ଜଣେ ଅଧିକାରୀଙ୍କୁ ବାରମ୍ବାର ପଦବି ଫାଙ୍କା ଥିବା ଦର୍ଶାଇ ପୁନଃନିଯୁକ୍ତି ଦିଆଯାଉଥିବାବେଳେ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ପଦବି ପୂରଣ କରୁନାହାନ୍ତି ନା ଏହି ପଦବିରେ କେହି କାର୍ଯ୍ୟ କରିବାକୁ ଆଗ୍ରହ ଦେଖାଉନାହାନ୍ତି ତାହା ଏବେ ସନ୍ଦେହଘେରରେ। କେବଳ ଶ୍ରୀ ଚୌଧୁରୀ ନୁହନ୍ତି, ଓରେରାରେ ପ୍ରମୋଦ କୁମାର ସାହୁ, ଜ୍ଞାନରଞ୍ଜନ ମହାପାତ୍ର, ଆର୍‌.କେ ପାତ୍ର, ୟୁ.ସି ପାଣି, ଶଶୀଭୂଷଣ ପଟ୍ଟନାୟକ, ବସନ୍ତ କୁମାର ବେହେରା, ବିଶ୍ବରଞ୍ଜନ ରାଉତ, ରଘୁନାଥ ସାହୁ ଆଦିଙ୍କୁ ୬୫ବର୍ଷ ପରେ ପୁନଃନିଯୁକ୍ତି ଦିଆଯାଇଛି।

ଏନେଇ ଓରେରା ଅଧ୍ୟକ୍ଷ ଅସିତ କୁମାର ମହାପାତ୍ର କହିଛନ୍ତି ଯେ ଖାଲି ପଦବି ପୂରଣ ହୋଇନଥିବାରୁ ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ପୂର୍ବରୁ ନିଯୁକ୍ତି ଦିଅାଯାଇଥିଲା। ଏବେ ଆମେ ୭୦ରୁ ୮୦% ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛୁ। ନିଯୁକ୍ତି ପ୍ରକ୍ରିୟା ସରିଲେ ବହୁ ୬୫ବର୍ଷରୁ ଅଧିକ କର୍ମଚାରୀଙ୍କୁ କଢ଼ାଯିବ। ଏହାପରେ ଯେଉଁମାନେ ରହିବେ ସେମାନଙ୍କୁ ଡିସେମ୍ବର ମାସରେ ପୁଣି ନିଯୁକ୍ତି ପ୍ରକ୍ରିୟା ସରିବା ପରେ କଢ଼ାଯିବ। ଏବେ ଯେଉଁମାନେ ଅଛନ୍ତି ସେମାନଙ୍କୁ ହଠାତ୍ କାଢ଼ିଦେଲେ ଓରେରା କାମ ହୋଇପାରିବନି। କେବଳ ଓରେରା ନୁହେଁ, ବହୁ ବିଭାଗରେ ବରିଷ୍ଠ ଓଏଏସ୍‌ମାନଙ୍କୁ ଅବସର ପରେ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ଶିଳ୍ପ ବିଭାଗରେ ସଚିବଙ୍କ ପିଏ ଭାବେ କାମ କରୁଥିବା ସୀତାରାମ ସାହୁଙ୍କୁ ୬୫ ବର୍ଷ ପରେ ପୁନଃନିଯୁକ୍ତି ଦିଆଯାଇଛି। ଯୋଜନା ଓ ସଂଯୋଜନ ବିଭାଗରେ ଡି.ଏନ୍ ଜେନା, ରାଜସ୍ବ ବିଭାଗରେ ଅଭୟ ନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଡି.ଏନ୍ ପାଢ଼ୀଙ୍କୁ ୬୫ବର୍ଷ ପରେ ପୁନଃନିଯୁକ୍ତି ଦିଆଯାଇଛି। ଓକାକ୍‌ରେ ସତ୍ୟନାରାୟଣ ସାହୁ, ବାଣିଜ୍ୟ ଓ ପରିବହନ ବିଭାଗରେ ଗଙ୍ଗାଧର ସାହୁଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାରଙ୍କ ସଂକଳ୍ପ ପ୍ରକାଶକୁ ୧୩ମାସ ପୂରିଥିବା ବେଳେ ଏହି ଅଧିକାରୀମାନଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। ଏଥିପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇନାହିଁ କି ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନିଆଯାଇନାହିଁ। କେବଳ ବିଭାଗୀୟ ସଚିବଙ୍କ ସୁପାରିସ ଆଧାରରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe