ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ: ଆମ୍ବୁଲାନ୍ସ ମିଳିଲାନି, ରୋଗୀଙ୍କ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ପରିଣାମ ଭୋଗିଛନ୍ତି ଜଣେ ଗୁରୁତର ରୋଗୀ। ବାରିପଦାରୁ କଟକ ରେଫର୍‌ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ପରେ ଆମ୍ବୁଲାନ୍ସ ଯୋଗାଡ଼ ହୋଇ ନ ପାରିବାରୁ ଶେଷରେ ଚାଲିଯାଇଛି ଯୁବକଙ୍କ ଜୀବନ।

ambulance

Photograph: (Tata Motors Buses)

ବାରିପଦା/ଶାମାଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ପରିଣାମ ଭୋଗିଛନ୍ତି ଜଣେ ଗୁରୁତର ରୋଗୀ। ବାରିପଦାରୁ କଟକ ରେଫର୍‌ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ପରେ ଆମ୍ବୁଲାନ୍ସ ଯୋଗାଡ଼ ହୋଇ ନ ପାରିବାରୁ ଶେଷରେ ଚାଲିଯାଇଛି ଯୁବକଙ୍କ ଜୀବନ। ମୃତକ ହେଲେ ଶାମାଖୁଣ୍ଟା ବ୍ଲକ୍ ଶରତଚନ୍ଦ୍ରପୁର ଗ୍ରାମର କାନ୍ଦ୍ରା ସିଂ (୩୨)।
ଗତକାଲି ବିଳମ୍ବିତ ରାତିରେ ଉଚ୍ଚ ରକ୍ତଚାପ ଯୋଗୁ କାନ୍ଦ୍ରାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ରାତିରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସିଟିସ୍କାନ୍‌ ପରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଆଜି ସକାଳେ ଜଣାପଡ଼ିଥିଲା। ତେଣୁ ତାଙ୍କୁ ତୁରନ୍ତ କଟକ ବଡ଼ମେଡିକାଲ୍‌କୁ ରେଫର୍‌ କରିଥିଲେ ଡାକ୍ତର। ହେଲେ ଏପଟେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କେହି ବି କାନ୍ଦ୍ରାଙ୍କୁ କଟକ ନେବାକୁ ରାଜି ହୋଇନଥିଲେ। ଅନ୍ୟ ଉପାୟ ନ ପାଇ ପରିବାର ଲୋକେ ବାଲେଶ୍ୱରରୁ ଏକ ଆମ୍ବୁଲାନ୍ସ ମଗାଇଥିଲେ। ହେଲେ ଉକ୍ତ ଆମ୍ବୁଲାନ୍ସ ବାରିପଦାରେ ପହଞ୍ଚିବା ପୂର୍ବରୁ ଆଖି ବୁଜି ଦେଇଥିଲେ କାନ୍ଦ୍ରା।

ବିନା ସୂଚନାରେ ଆନ୍ଦୋଳନ ଧର୍ତ୍ତବ୍ୟ ଅପରାଧ: ଏଡିଏମ୍‌ଓ

ଏହି ଅଘଟଣ ପାଇଁ ଡାକ୍ତରଖାନାର ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ବୁଧରାମ ସିଂହ ଓ ୨୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଦଶରଥ ସିଂ। ବିନା କୌଣସି ପୂର୍ବ ସୂଚନାରେ ହଠାତ୍‌ ସେବା ଯୋଗାଇବାକୁ ମନା କରିଥିବା ଡ୍ରାଇଭରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। କାନ୍ଦ୍ରାଙ୍କ ପରିବାର ଲୋକଙ୍କ ବ୍ୟତୀତ ଏହି ଆନ୍ଦୋଳନ ପାଇଁ ହଇରାଣ ହୋଇଥିବା ଅନ୍ୟ ରୋଗୀମାନଙ୍କ ସମ୍ପର୍କୀୟ ବି ସମାନ ଦାବି କରିଛନ୍ତି। ଏ ନେଇ ଏଡିଏମ୍‌ଓ ଡାକ୍ତର ବିଜୟ କୁମାର ଦାଶ କହିଛନ୍ତି ଯେ ପୂର୍ବରୁ କୌଣସି ସୂଚନା ନ ଦେଇ ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ସେବା ବନ୍ଦ କରିବା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ‘ଏମ୍ରଗୀନ ହେଲ୍‌ଥ’ ସଂସ୍ଥା ଏବଂ ଗାଡ଼ି ଚଳାଇବାକୁ ମନା କରିଥିବା ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପକ୍ଷରେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନରୁ ହଟିବନି ବୋଲି କହିଛି ଆମ୍ବୁଲାନ୍ସ ଚାଳକ ସଂଘ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe