ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଜାଲିଆତି: ଖୁଲଣାଙ୍କ ସାର୍ଟିଫିକେଟ୍‌ ବି ନକଲି

Advertisment
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଜାଲିଆତି: ଖୁଲଣାଙ୍କ ସାର୍ଟିଫିକେଟ୍‌ ବି ନକଲି

District Headquarter Hospital

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ହୋଇଥିବା ଜାଲିଆତିର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ପୂର୍ବରୁ ସଂଜୟ କାରୁଆଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ‘ସମ୍ବାଦରେ ପ୍ରକାଶ ପାଇଥିବା ବେଳେ ଏବେ ଖୁଲଣା ପାତ୍ର ନାମକ ଜଣେ କର୍ମଚାରୀ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ସୂଚନା ମିଳିଛି।

୨୦୦୮ ଓ ୨୦୦୯ ମସିହାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪୪ଜଣଙ୍କୁ ରୋଷେୟା, ପିଅନ, ସହାୟକ ଆଦି ପଦବିରେ ନିଯୁକ୍ତି ଦିଆଯାଇଥିଲା। ଏଥିରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ଆସିଥିଲା। ଏହି ସମୟରେ ଖୁଲଣା ପାତ୍ର ନାମକ ଜଣେ ମହିଳା ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ। ସେ ଦାଖଲ କରିଥିବା ସପ୍ତମ ଶ୍ରେଣୀ ସାର୍ଟିଫିକେଟ୍‌ରେ ବାପାଙ୍କ ନାମ ବାବାଜି ପାତ୍ର, ମାଙ୍କ ନାମ ଜାନକୀ ପାତ୍ର ଓ ଘର କେନ୍ଦୁଝର ସହରର ବୀରବରପୁର ପାଟଣା ବୋଲି ଉଲ୍ଲେଖ ରହିଛି। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ, ଖୁଲଣାଙ୍କ ବାପାଘର ହେଉଛି ଅନୁଗୁଳ ଜିଲ୍ଲା ଖମାର ନିକଟସ୍ଥ କର୍ଣ୍ଣପାଳ ଗ୍ରାମରେ। ତାଙ୍କ ବାପା ହୀନ ନାଏକ ଓ ମା ନାମ ଗେହ୍ଲେଇ ନାଏକ। ସେ ୨୦ ବର୍ଷ ତଳେ କେନ୍ଦୁଝର ସହରରେ ବିବାହ କରିବା ପରେ ତାଙ୍କ ସାଂଗିଆ ନାଏକରୁ ପରିବର୍ତ୍ତନ ହୋଇ ପାତ୍ର ହୋଇଛି। କିନ୍ତୁ ନିଯୁକ୍ତି ସମୟରେ ଯେଉଁ ସପ୍ତମ ଶ୍ରେଣୀ ସାର୍ଟିଫିକେଟ ଦାଖଲ କରିଛନ୍ତି ସେଥିରେ ତାଙ୍କ ନାମ ଖୁଲଣା ପାତ୍ର ବୋଲି ଉଲ୍ଲେଖ ରହିଛି। ବାସ୍ତବରେ ବାବାଜି ପାତ୍ର ଏବଂ ଜାନକୀ ପାତ୍ରଙ୍କ ବୋହୂ ହେଉଛନ୍ତି ଖୁଲଣା ପାତ୍ର। ମାତ୍ର ସାର୍ଟିଫିକେଟ୍‌ରେ ତାଙ୍କର ଝିଅ ବୋଲି ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଅନୁଗୁଳ ଜିଲ୍ଲା ଖମାରରେ ଜନ୍ମିତ ଖୁଲଣାଙ୍କ ସାର୍ଟିଫିକେଟରୁ ଜଣାପଡ଼ିଛି ଯେ, ସେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍‌ ବୁଢ଼ାମରା ମଧ୍ୟଇଂରାଜୀ ବିଦ୍ୟାଳୟର ଛାତ୍ରୀ ଥିଲେ। ରରୁଆଁ ବ୍ଲକ୍‌ ଶିକ୍ଷା ଅଧିକାରୀ ଚିଠି ନମ୍ବର-୨୦୦ରେ ଉଲ୍ଲେଖ କରିଛନ୍ତି ଯେ, ୧୯୯୬ରୁ ୧୯୯୮ ମଧ୍ୟରେ ଖୁଲଣା ପାତ୍ର ନାମରେ କୌଣସି ଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢ଼ୁ ନଥିଲେ। ସେହିପରି ବୁଢ଼ାମରା ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ସୂଚନା ଅଧିକାର ଆଇନରେ ସମାନ ତଥ୍ୟ ଦେଇଛନ୍ତି। ପୂର୍ବରୁ ଅନ୍ୟଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଜୟ କାରୁଆ ମଧ୍ୟ ନକଲି ସପ୍ତମ ଶ୍ରେଣୀ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ‘ସମ୍ବାଦରେ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe