ବିସ୍ଥାପିତଙ୍କୁ ଏମସିଏଲର ନିଯୁକ୍ତି ଭେଳିକି: ତାଲିକାରେ ୫୨୨, ଅନୁମୋଦନ ପାଇଁ ଗଲା ୨୪୯

Advertisment

ପୁନର୍ବିଚାର ନହେଲେ ଅନଶନ 

ପୁନର୍ବିଚାର ନହେଲେ ଅନଶନ 

ବିସ୍ଥାପିତଙ୍କୁ ଏମସିଏଲର ନିଯୁକ୍ତି ଭେଳିକି: ତାଲିକାରେ ୫୨୨, ଅନୁମୋଦନ ପାଇଁ ଗଲା ୨୪୯

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକସ୍ଥିତ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍ (ଏମସିଏଲ୍) ବିସ୍ଥାପିତ ପରିବାରଗୁଡ଼ିକୁ ଥଇଥାନ ଓ ପୁନର୍ବାସ ନାମରେ ଭଣ୍ଡି ଆସୁଛି। ବିସ୍ଥାପନ ଆଇନ ଅନୁଯାୟୀ ଥଇଥାନ, ପୁନର୍ବାସ ନକରି ଖଣି ଖୋଳି ଚାଲିଥିବା କମ୍ପାନି ଏବେ  ବିସ୍ଥାପିତଙ୍କୁ ନିଯୁକ୍ତି ଦେବା ନାଁରେ ମଧ୍ୟ ଠକିଥିବା ଅଭିଯୋଗ ହୋଇଛି। ଝୁପୁରଙ୍ଗା ଗ୍ରାମବାସୀ ଆଜି ଏପରି ଠକାମି ସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ନିଯୁକ୍ତି ପାଇଁ ଏମସିଏଲର ପ୍ରକଳ୍ପ ପ୍ରଭାବିତ ପରିବାର ତାଲିକାରେ ୫୨୨ ଜଣଙ୍କ ନାମ ଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ପାଇଁ ୨୪୯ ଜଣଙ୍କ ନାମ ପଠାଇ ବହୁ ଲୋକଙ୍କୁ ନିଯୁକ୍ତିରୁ ବାଦ୍ ଦେବାକୁ ମସୁଧା କରାଯାଇଛି। ତେଣୁ ଆସନ୍ତା ୨୦ ତାରିଖ ମଧ୍ୟରେ ଏମସିଏଲ ଏହାର ପୁନଃବିଚାର ବା ସଂଶୋଧନ ନକଲେ ଗ୍ରାମବାସୀ ବସୁନ୍ଧରା ଅଫିସ ଆଗରେ ଅମରଣ ଅନଶନ କରିବେ  ବୋଲି ଚେତାବନୀ ଦେଇଛନ୍ତି।

ଝୁପୁରଙ୍ଗା ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଗାଁଟି ଖଣି ଭିତରେ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଥିବା ବେଳେ ବହୁ ପରିବାର କ୍ଷତିପୂରଣ ରାଶି ପାଇ ସାରିଛନ୍ତି। ଏହା ମଧ୍ୟରେ ନିଯୁକ୍ତି ପାଇଁ ଗାଁର ୫୨୨ ଜଣଙ୍କ ନାମକୁ ପ୍ରକଳ୍ପ ପ୍ରଭାବିତ ତାଲିକାରେ ସ୍ଥାନ ଦେଇଥିଲା କମ୍ପାନି। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇଁ ୨୪୯ ଜଣଙ୍କ ତାଲିକା ପଠାଇ ଏମସିଏଲ୍ ୨୭୩ ଜଣଙ୍କୁ ବାଦ୍ ଦେବାକୁ ଯୋଜନା କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ପରିବାରର ଦୁଇ ଭାଇଙ୍କ ମଧ୍ୟରୁ ଜଣକୁ ନିଯୁକ୍ତି ଦେଇ ଅନ୍ୟକୁ ବାଦ୍ ଦେବା ବିସ୍ଥାପନ ନୀତିର ଖୋଲା ଉଲ୍ଲଂଘନ। ବିଶେଷ କରି  ପରିବାର ମଧ୍ୟରେ ବିବାଦ ସୃଷ୍ଟି କରିବାକୁ କମ୍ପାନି ଏପ୍ରକାର ଷଡ଼ଯନ୍ତ୍ର ରଚିଥିବା ଗାଁ ଲୋକେ ଉଲ୍ଲେଖ କରିବା ସହ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସବୁଦିନ ପାଇଁ ଭିଟାମାଟି ହରାଇଥିବା ପରିବାରଗୁଡ଼ିକୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ଝୁପୁରଙ୍ଗା ଓ ଗୋପାଳପୁରର ଟେକଚାନ୍ଦ ଦାଶ, ଗଣେଶ ସରାଫ, ତୋଷରାମ ପ୍ରଧାନ, ଜୟରାମ ବୋଡ଼ା, ସୁମନ୍ତ ବୋଡ଼ା, ଯୁଧିଷ୍ଠିର ବୋଡ଼ା, ଭେଷଜ ପାଣ୍ଡେ, ଟଙ୍କଧର ପାଣ୍ଡେ, ଭବାନୀ ଦଣ୍ଡସେନା, ସୁଶାନ୍ତ ସମରଥ, ବିଶ୍ବଜିତ ଦଣ୍ଡସେନା ପ୍ରମୁଖ ପ୍ରଭାବିତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe