କଟକ: କଟକ କମିସନରେଟ୍ ପୁଲିସର ଡବଲ୍ ଏନ୍କାଉଣ୍ଟର୍ ଘଟଣା ଏବେ ପୁଲିସକୁ କାଠଗଡ଼ାରେ ଛିଡ଼ା କରିଛି। ରାତି ଅଧରେ ଚୌଦ୍ବାର ଇନ୍ଦ୍ରାଣୀପାଟଣାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ମୁହାଁମୁହିଁରୁ ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିବା କୁହାଯାଉଛି। କିନ୍ତୁ ସାମନାକୁ ଆସିଥିବା ଫଟୋରୁ ସଂପୂର୍ଣ୍ଣ ଘଟଣା ଉପରେ ପ୍ରଶ୍ନ ଚିହ୍ନ ଲାଗି ଯାଇଛି। ଦୁଇ ଅପରାଧୀ କଟାସ ଓ ଜୁବୁଲା ଯେଉଁ ପୋଷାାକ ପିନ୍ଧି ଅତ୍ୟନ୍ତ ସ୍ବାଭାବିକ ଢଙ୍ଗରେ ଫଟୋ ଉଠାଇଛନ୍ତି, ସେହି ପୋଷାକ ପିନ୍ଧି ସେମାନେ ଗୁଳି ଖାଇ ଆହତ ଅବସ୍ଥାରେ ମେଡିକାଲ୍ ବେଡ୍ରେ ପଡ଼ିଥିବା ଦେଖିବାକୁ ମିଳୁଛି।
ଯେଉଁ ପୋଷାକରେ ସୁସ୍ଥ, ସେହି ପୋଷାକରେ ଗୁରୁତର
ରାତି ଅନ୍ଧାରରେ ବି ପୁଲିସର ଲକ୍ଷ୍ୟ ଅଭେଦ୍ୟ
ଏଥିରେ ଦୁଇଟି ପ୍ରଶ୍ନ ମୁଣ୍ଡ ଟେକୁଛି। ଯଦି ପୁଲିସ ପ୍ରଥମେ କଟାସ ଓ ଜୁବୁଲାଙ୍କୁ କାବୁ କରି ଫଟୋ ଉଠାଇଥିଲା ଏବଂ ସେମାନେ ଅତ୍ୟନ୍ତ ସ୍ବାଭାବିକ ସ୍ଥିତିରେ ଛିଡା ହୋଇଥିଲେ ତେବେ ତାଙ୍କୁ ଗୁଳି ମାଡ଼ କରିବାର ଆବଶ୍ୟକତା କାହିଁକି ପଡ଼ିଲା? ଅନ୍ୟପଟେ ଯଦି ପୁଲିସ ଗୁଳି ମାଡ଼ରେ ଆହତ ହେବା ପରେ ପୁଲିସ ଦୁଇ ଅପରାଧୀଙ୍କ ଫଟୋ ଉଠାଇଛି, ତେବେ ଦୁଇ ଅପରାଧୀ ଗୋଡ଼ରେ ଗୁଳି ଖାଇ ଅତ୍ୟନ୍ତ ସ୍ବାଭାବିକ ଭାବେ ଛିଡା ହେଇଛନ୍ତି କେମିତି? ଏଥିରୁ କେଉଁ ଘଟଣାଟି ସତ ଆଉ କେଉଁଟି ମିଛ, ତାହାକୁ ନେଇ ଏବେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ପୁଲିସ ଦେଉଥିବା ତଥ୍ୟ ଅନୁଯାୟୀ କଟାସ ଓରଫ୍ ସଂଗ୍ରାମ ଓରଫ୍ ସଂଯୋଗ ରାଉତର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଥିବା ବେଳେ ଶୁଭ ଓରଫ୍ ଜୁବୁଲା ଓରଫ୍ ଶୁଭ୍ରାଂଶୁ ପରିଡ଼ାର ବାମ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ଅଲଗା ଅଲଗା ଗୋଡ଼ ହୋଇଥିଲେ ବି ଆଣ୍ଠୁର ଠିକ ତଳକୁ ଏକପ୍ରକାର ସମାନ ଜାଗାରେ ଗୁଳି ବାଜିଛି। ରାତି ଅନ୍ଧାରରେ ପୁଲିସ ସହ ଗୋଡ଼ାଗୋଡ଼ି ବେଳେ ଅପରାଧୀ ଚଳାଇଥିବା ଗୁଳିର ପାଲଟା ଜବାବ ଦେବାକୁ ପୁଲିସ ଗୁଳି ଚଳାଇଲା ବୋଲି କୁହାଯାଉଛି। କିନ୍ତୁ ଅନ୍ଧାର ଭିତରେ ବି କେଉଁ ପୁଲିସ ଅଧିକାରୀ ଏମିତି ଲକ୍ଷ୍ୟ ଭେଦ କରିବାରେ ସଫଳ ହେଲେ? ନିୟମ ଅନୁଯାୟୀ ଯେଉଁ ସ୍ଥାନରେ ଗୁଳି ବାଜିବା କଥା, ସେହି ସ୍ଥାନରେ ଯାଇ ଗୁଳି ବାଜିଲା! ଲକ୍ଷ୍ୟ ଭେଦରେ ଧୁରନ୍ଧର ସଂପୃକ୍ତ ପୁଲିସ ଅଧିକାରୀଙ୍କର ଏଭଳି ପୁରୁଣା ପ୍ରଶଂସନୀୟ ରେକର୍ଡ ଅଛି କି?
ଘଟଣା ସଂପର୍କରେ ଚୌଦ୍ବାର ଥାନା ଆଇଆଇସି ବିଶ୍ବରଞ୍ଜନ ସାହୁଙ୍କ କହିବା ଅନୁଯାୟୀ, କଟାସ ଓ ଜୁବୁଲା କଟକ-ଭୁବନେଶ୍ବରରେ ସକ୍ରିୟ ଥିଲେ। ଉଭୟ ନିକଟରେ ନୂଆପାଟଣାରେ ଦିନ ସମୟରେ ଦମ୍ପତିଙ୍କ ନିକଟରୁ ଲୁଟ୍ କରିଥିଲେ। ୭/୮ ଦିନ ତଳେ କଟକରେ ଲୁଟ୍ ଉଦ୍ୟମ କରିଥିଲେ। ଗଲା ୧୬ ତାରିଖ ରାତିରେ ଚୌଦ୍ବାର ଥାନାର ଜଣେ ଏସ୍ଆଇଙ୍କ ନେତୃତ୍ବରେ ୫/୬ ଜଣିଆ ପୁଲିସ ଟିମ୍ ୫୫ ନମ୍ବର ଜାତୀୟ ରାଜପଥରେ ଗୋଡ଼ାଇବାରୁ ଦୁଇ ଦୁର୍ବୃତ୍ତ ଇନ୍ଦ୍ରାଣୀପାଟଣା ଗାଁ ରାସ୍ତା ନିକଟରେ ଥିବା ଏକ ପରିତ୍ୟକ୍ତ ଅଞ୍ଚଳକୁ ଖସିଯାଇଥିଲେ। ସେଠାରେ ପୁଲିସ ଟିମ୍ ପହଞ୍ଚିବା ପରେ ଉଭୟ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ସେମାନେ ଏକାଧିକ ଗୁଳି ମାଡ଼ କରିଥିଲେ। ପୁଲିସ ପାର୍ଶ୍ବରେ ଗୁଳି ଚାଲିଯାଇଥିଲା। କୌଣସି ପୁଲିସ କର୍ମଚାରୀଙ୍କ ଦେହରେ ଅବଶ୍ୟ ଗୁଳି ବାଜି ନଥିଲା। ଜବାବରେ ପୁଲିସ ପାଲଟା ଗୁଳି ଚାଳନା କରିଥିଲା। ଆହତ କଟାସ ଓ ଜୁବୁଲାଙ୍କୁ ନେଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବୋଲି ଶ୍ରୀ ସାହୁ କହିଛନ୍ତି। ଶ୍ରୀ ସାହୁଙ୍କ ବୟାନ ବି ଅନ୍ଧାର ରାତିରେ ପଡ଼ିଆ ଭିତରେ ପୁଲିସର ଗୁଳି ଚାଳନା ଦକ୍ଷତାକୁ ପ୍ରମାଣିତ କରୁଛି। କିନ୍ତୁ ଏଭଳି ବୟାନ ଏବେ ବାସ୍ତବ ଏନ୍କାଉଣ୍ଟର୍ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି।
Follow Us