କଟକ ଦଶହରା ମୂର୍ତ୍ତି ବିବାଦର ଅନ୍ତ : ୪ ଫୁଟ୍‌ରୁ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଥିବା ୯ ମଣ୍ଡପକୁ ମିଳିବ ଅନୁମତି

ବିରାଜିଲେ ଜଗତ୍ ଜନନୀ; ଅନୁଗୁଳ ସହରରେ ୧୧ଟି ପୂଜା ମଣ୍ଡପ

indicative image credit : World Religion News

କଟକ : ଅକ୍ଟୋବର ୨୨ ତାରିଖରୁ କଟକର ବିଭିନ୍ନ ପୂଜା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବାକୁ ଥିବାବେଳେ ହାଇକୋର୍ଟରେ ମୂର୍ତ୍ତି ବିବାଦର ଅନ୍ତ ଘଟିଛି। ଆଜି ଏ ସଂପର୍କିତ ସମସ୍ତ ମାମଲାର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୂର୍ଣ୍ଣାଙ୍ଗ ଶୁଣାଣି ଶେଷ ହୋଇଥିବା ବେଳେ ମଙ୍ଗଳବାର ଦିନ ରାୟ ପ୍ରକାଶ ପାଇବ।

ଆଜି ଶୁଣାଣି ସମୟରେ ୪ ଫୁଟ୍‌ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବା ୯ଟି ପୂଜା କମିଟି ସଂକ୍ରାନ୍ତରେ ସବିଶେଷ ବିବରଣୀ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଦାଖଲ କରିଥିଲେ। ବିନୋଦବିହାରୀ-ବାଲୁବାଜାର, ଉପର ତେଲେଙ୍ଗାବଜାର, ଫିରିଙ୍ଗବଜାର, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, ନୂଆବଜାର, ମଙ୍ଗଳାବାଗ, ଶେଖବଜାର, ଅଲିଶାବଜାର, କାଜିବଜାର ଆଦିପୀଠ, ପୂଜା କମିଟି ମଣ୍ଡପରେ ନିର୍ଦ୍ଧାରିତ ୪ ଫୁଟ୍‌ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇଥିବା କଥା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏଭଳି ରିପୋର୍ଟକୁ ଖଣ୍ଡପୀଠ ଗ୍ରହଣ କରିବା ସହିତ ୪ ଫୁଟ୍‌ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବା କମିଟି ଗୁଡିକୁ ପରମ୍ପରା ଅନୁସାରେ ପୂଜା ପାଇଁ ଅନୁମତି ଦେବା ପାଇଁ କହିଥିଲେ। ଏହି ପୂଜା ମଣ୍ଡପରେ କୋଭିଡ ନିୟମାବଳୀ କଡ଼ାକଡ଼ି ପାଳନ ସହିତ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଥିଲେ। ଏଥିସହିତ ଏହି ସବୁ ମଣ୍ଡପରେ ମୂର୍ତ୍ତି ଅଧିକ ଉଚ୍ଚତାର ନିର୍ମାଣ କରାଯାଇଥିବାରୁ ଭାସାଣି ସଂପୂର୍ଣ୍ଣ ଭାବେ ସରକାରଙ୍କ ନିୟନ୍ତ୍ରଣରେ ଓ ତଦାରଖରେ କରିବା ପାଇଁ ଖଣ୍ଡପୀଠ କହିଥିଲେ। ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ‌କେବଳ ଏହି ୯ଟି ପୂଜା ମଣ୍ଡପକୁ ଅନୁମତି ଦିଆଯିବା କଥା ବିଚାରକୁ ନିଆଯାଉଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଅନ୍ୟ ସମସ୍ତ ପୂଜା ମଣ୍ଡପରେ ସରକାର ଜାରି କରିଥିବା ନିୟମାବଳୀ ଆଧାରରେ ନିର୍ଦ୍ଧାରିତ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇ ପୂଜା କରାଯିବା ଉପରେ ଶୁଣାଣି ସମୟରେ ଗୁରୁତ୍ବାରୋପ କରାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟ ଗତ ୧୬ ତାରିଖ ଦିନ ଏ ସଂପର୍କିତ ମାମଲାର ଶୁଣାଣି କରି ୪ ଫୁଟ୍‌ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବା ୯ଟି ପୂଜା କମିଟି ସଂକ୍ରାନ୍ତରେ ସବିଶେଷ ବିବରଣୀ ଦାଖଲ ପାଇଁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ୯ଟି ପୂଜା କମିଟିର ମଣ୍ଡପରେ ୪ ଫୁଟ୍‌ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଉଥିବା ନେ‌ଇ ପୁଲିସ କମିସନରଙ୍କ ପକ୍ଷରୁ ଗତ ମାସରେ ହାଇକୋର୍ଟରେ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହି ସବୁ ମଣ୍ଡପରେ ମୂର୍ତ୍ତି ନିର୍ମାଣର କ’ଣ ସାନି ସ୍ଥିତି ରହିଛି, ସେ ନେଇ ବିସ୍ତୃତ ତଥ୍ୟ ତଲବ କରିଥିଲେ ହାଇକୋର୍ଟ। ଦଶହରାରେ ମୂର୍ତ୍ତିର ୪ ଫୁଟ୍ ଉଚ୍ଚତା ନିର୍ଦ୍ଧାରଣ ପ୍ରସଂଗ ନେଇ ବାଲୁବଜାର ପୂଜା କମିଟି ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନେରିଆ , ଫିରିଙ୍ଗିବଜାର ପୂଜା କମିଟି ଓ ଉପର ତେଲେଙ୍ଗାବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି, ଅନିରୁଦ୍ଧ ସାଙ୍ଗନାରିଆ, ବିଭୂତି ଭୂଷଣ ଚୌଧୁରୀ, ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe