ସମ୍ବେଦନଶୀଳ ବିଦ୍ୟୁତ ସରବରାହ ସ୍ଥାନଗୁଡ଼ିକୁ ଚିହ୍ନଟ କର: ଶକ୍ତି ମନ୍ତ୍ରୀ

୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ବର : ରାଜ୍ୟରେ ଥିବା ସମ୍ବେଦନଶୀଳ ବିଦ୍ୟୁତ ସରବରାହ ସ୍ଥାନଗୁଡ଼ିକୁ ଚିହ୍ନଟ କର। ଭବିଷ୍ୟତରେ କୌଣସି ଦୁର୍ଘଟଣା ଯେପରି ନ ହୁଏ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଅ। ଆଜି ଲୋକସେବା ଭବନରେ ବିଦ୍ୟୁତ୍‌ ସୁରକ୍ଷା ନେଇ ଭିଡିଓ କନଫରେନସିଂ ଜରିଆରେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଏସ୍‌ପି ଓ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇ କହିଥିଲେ, ବିଭାଗୀୟ ଅଧିକାରୀମାନେ ନିଜ ଅଞ୍ଚଳର ଲୋକ ପ୍ରତିନିଧିମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରି ରାଜ୍ୟର ପ୍ରତ୍ୟେକ କୋଣ-ଅନୁକୋଣରେ ସମ୍ବେଦନଶୀଳ ବିଦ୍ୟୁତ ସରବରାହକୁ ଠିକ୍‌ ରୂପେ ଏବଂ ନିୟମ ଅନୁଯାୟୀ ରହିଛି କି ନାହିଁ ତାର ଏକ ରିପୋର୍ଟ ଦେବେ। ରାସ୍ତାର ୨୨ଫୁଟ ଉଚ୍ଚରେ ୧୧ କେଭି ତାର ରହିବ। ରାସ୍ତ ପାର୍ଶ୍ବରେ ବିଦ୍ୟୁତ ତାର ୧୯ ଫୁଟ ଉଚ୍ଚରେ ରହିବା ଜରୁରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ୧୫ ଫୁଟ ଉଚ୍ଚରେ ରହିବା ଉଚିତ। ଏହି ନିୟମ ଯେଉଁଠି ଅନୁପାଳନ ହୋଇନାହିଁ ତୁରନ୍ତ ସରକାରଙ୍କ ଦୃଷ୍ଟିକୁ ଆଣି ଏ ଦିଗରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ। ଏ ନେଇ ବ୍ୟତିକ୍ରମ ହେଲେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର ତାଗିଦ କରିଛନ୍ତି।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଥିଲେ, ନିକଟରେ ଘଟିଥିବା ଦୁର୍ଘଟଣାକୁ ନେଇ ସମସ୍ତେ ଗୁରୁତ୍ବ ଦେଇଛନ୍ତି। ଓଡ଼ିଶାରେ ମଣିଷ ଜୀବନ ସହିତ ପଶୁ ସମ୍ପଦର ମଧ୍ୟ ବିଦ୍ୟୁତ ଦୁର୍ଘଟଣା ଘଟି ଅନେକ ପ୍ରାଣହାନି ଘଟୁଛି। ଏ ଦିଗରେ ରହିଥିବା ସମସ୍ତ ପ୍ରତିବନ୍ଧକ ଦୂର କରାଯିବ। ଏହି କାର୍ଯ୍ୟକୁ ସମସ୍ତେ ସୀମିତ ସମୟ ମଧ୍ୟରେ ଶେଷ କରିବାକୁ ପଡ଼ିବ ବୋଲି ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ସମ୍ବେଦନଶୀଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ସୂଚନା ପ୍ରଦାନ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଣ କଲେ ଭବିଷ୍ୟତରେ ଏପରି ଦୁର୍ଘଟଣା ଦେଖିବାକୁ ପଡ଼ିବନି ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ଏହି ଅବସରେ ବିଦ୍ୟୁତ ତାର କିପରି କେତେ ଉଚ୍ଚରେ ଓ କିଭଳି ଅବସ୍ଥାରେ ରହିବ ସେ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଅବଗତ କରାଇଥିଲେ। ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରୁଣ ବୋଥ୍ରା ସୂଚନା ଦେଇ କହିଥିଲେ, ଫନି ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ରହିଥିବା ବକେୟା କାର୍ଯ୍ୟ ତୁରନ୍ତ ଶେଷ କରାଯିବ।

ଆଲୋଚନା ପୂର୍ବରୁ ଗଞ୍ଜାମ ମେଣ୍ଡରାଜପୁରର ଡଙ୍ଗଲପାଡ଼ୁ ଗ୍ରାମ ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯିବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା। ଆଗାମୀ କାଲି ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଗ୍ରିଡ୍‌କୋ ସିଏମ୍‌ଡି ସୌରଭ ଗର୍ଗ, ଓପିଟିସିଏଲର ସହକାରୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe