ନୟାଗଡ଼ରୁ ମହିପୁରକୁ ଗଡ଼ିଲା ରେଳ ଇଞ୍ଜିନ୍, ୨୫ରେ ଚୂଡ଼ାନ୍ତ ପରୀକ୍ଷା ପରେ ରେଳ ଚଳାଚଳ

ନୟାଗଡ଼ : ୧୯୪୫ ମସିହାରୁ ପ୍ରସ୍ତାବିତ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧ-ବଲାଙ୍ଗୀର ରେଳପଥ ମଧ୍ୟରେ ଆସୁଥିବା ନୟାଗଡ଼ ଜିଲ୍ଲା‌େର ରେଳ ଚଳାଚଳ ସମ୍ଭାବନା ଆଉ ପାଦେ ଆଗକୁ ଯାଇଛି। ଆଜି ପରୀକ୍ଷାମୂଳକ ଭାବେ ନୟାଗଡ଼ ଟାଉନ ‌ଷ୍ଟେସନରୁ ୧୨ କିମି ବ୍ୟାପୀ ଯାଇଥିବା ମହିପୁର ‌ଷ୍ଟେସନ ପର୍ଯ୍ୟନ୍ତ ଟ୍ରାକ୍‌ର ସ୍ଥିତି ଅନୁଧ୍ୟାନ କରାଯାଇଛି। ଅପରାହ୍ଣ ୧୨ଟା ୧୫ରେ ଟାଉନ ଷ୍ଟେସନରୁ ଏକ ରେଳ ଇଞ୍ଜିନ ବାହାରି ମହିପୁର ଷ୍ଟେସନରେ ପ୍ରାୟ ୧୨ଟା ୪୦ରେ ପହଞ୍ଚିଥିଲା। ଏହି ଇଞ୍ଜିନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ଗତି କରିଥିଲା।

publive-image

ପୂର୍ବତଟ ‌‌ରେଳପଥର ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ନଡ଼ିଆ ଭଙ୍ଗାଯାଇ ଶୁଭ ଦିଆଯିବା ପରେ ଇଞ୍ଜିନ ନୟାଗଡ଼ ଟାଉନ ଷ୍ଟେସନ ଛାଡ଼ିଥିଲା ଏବଂ ୨୫ ମିନିଟ୍‌ରେ ମହିପୁରରେ ପହଞ୍ଚିଥିଲା। ସେହିପରି ମହିପୁରରୁ ୧୦୦ରୁ ୧୧୦ କିମିରେ ବାହାରି ଏହା ନୟାଗଡ଼ ଟାଉନ ଷ୍ଟେସନ୍‌ଠାରେ ୧୫ ମିନିଟ୍‌ରେ ପହଞ୍ଚିଥିଲା। ବିଭାଗୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟ୍ରାକ୍ ବର୍ତ୍ତମାନ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଯାଇଛି। ଆସନ୍ତା ୨୫ ତାରିଖରେ ରେଲୱେ ସେଫ୍ଟି କମିସନର୍‌ ନୟାଗଡ଼ ଗସ୍ତରେ ଆସି ପ୍ରମାଣପତ୍ର ପ୍ରଦାନ କରିବେ। ଉକ୍ତ ଦିନ ପୁନର୍ବାର ଚୂଡ଼ାନ୍ତ ଭାବେ ମହିପୁରକୁ ଇଞ୍ଜିନ ଚଳାଚଳ କରିବ। ଏହା ପରେ ଖୁବ୍ ଶୀଘ୍ର ମହିପୁରକୁ ରେଳ ଚଳାଚଳ କରିବାର ଯୋଜନା ରହିଛି। ତେବେ ରେଳ ଚଳାଚଳ ସମୟରେ ସ୍ଥାନୀୟ ଜନସାଧାରଣ ରେଳ ଲାଇନ ଠାରୁ ଦୂରେଇ ରହିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଗୃହପାଳିତ ପଶୁ କିମ୍ବା ଅନ୍ୟ ପଶୁମାନଙ୍କୁ ରେଳ ଲାଇନ ପାଖକୁ ନଛାଡିବାକୁ ପରାମର୍ଶ ଦିଆଯାଇଅଛି।

ଉଲ୍ଲେଖଯୋଗ୍ୟ ଯେ ୧୯୪୫ ମସିହାର ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅଧୀନ ନୟାଗଡ଼ ଜିଲ୍ଲାକୁ ୨୦୧୭ ଜୁନ୍ ୧୯ ତାରିଖରେ ରେଳ ଚଳାଚଳ ଆରମ୍ଭ କରିଥିଲା। ଉଦ୍‌ଘାଟନୀ ସମାରୋହରେ ଖୋଦ୍‌ କେନ୍ଦ୍ର ରେଳମନ୍ତ୍ରୀ ୨୦୧୮ ଶେଷ ସୁଦ୍ଧା ମହିପୁର ‌ଷ୍ଟେସନକୁ ‌‌ରେଳ ଚଳାଚଳ କରିବ ବୋଲି ଘୋଷଣା କରିଥି‌ଲେ। କିନ୍ତୁ ଏହା ସମ୍ଭବ ହୋଇପାରି ନ ଥିବା ବେଳେ ଧାର୍ଯ୍ୟ ସମୟର ଦୁଇ ବର୍ଷ ପରେ ମହିପୁରକୁ ରେଳ ଚଳାଚଳା କରିବାର ଆଶା ଉଜ୍ଜୀବିତ ହୋଇଛି। ଏହା ଦ୍ବାରା ନୟାଗଡ଼ ପରେ ନୂଆଗାଁ ବ୍ଲକ୍‌କୁ ରେଳସେବା ପହଞ୍ଚିପାରିବ। ତେବେ ମହିପୁର ପରେ ନୂଆଗାଁ, ଦଶପଲ୍ଲା, ବୁଗୁଡ଼ା, ବାଣିଗୋଚ୍ଛା ଆଦି ‌ଷ୍ଟେସନ ରହିଛି। ଆଉ ଚାରିଟି ‌ଷ୍ଟେସନ ପରେ ନୟାଗଡ଼ ଜିଲ୍ଲାକୁ ସଂପୂର୍ଣ୍ଣ ରେଳସେବା ସମ୍ଭବ ହୋଇପାରିବ। ଆଜିର ଏହି ପରୀକ୍ଷାମୂଳକ ଇଞ୍ଜିନ ଚଳାଚଳ କାର୍ଯ୍ୟକ୍ରମ‌ରେ ପୂର୍ବତଟ ରେଳପଥର ଡେପୁଟି ଚିଫ୍ ଇଞ୍ଜିନିୟର ତତ୍ତ୍ବଦର୍ଶୀ ସାହୁ, ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର ପି.ଆର୍‌. ପାଣିଗ୍ରାହୀ, ମଣ୍ଡଳ ପରିବହନ ନିରୀକ୍ଷିକ ଏସ୍‌. ମିଶ୍ର, ପି. ଦଣ୍ଡସେନା ଓ ଷ୍ଟେସନ ମ୍ୟାନେଜର୍‌ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe