Image Courtesy of The New Indian Express
କଟକ : ରାଜ୍ୟର ବିଭିନ୍ନ ଘରୋଇ ଇଞ୍ଜିନିୟରିଂ କଲେଜରେ ଖାଲିପଡ଼ିଥିବା ସିଟ୍ରେ ନାମଲେଖା ପାଇଁ ଦ୍ବିତୀୟ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା (ସେକେଣ୍ଡ ସ୍ପେଶାଲ ଓଜେଇଇ ୨୦୨୧-୨୨) ପ୍ରସଂଗ ନେଇ ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଜେ.ସିଂହ ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ୨୦୨୧, ଅକ୍ଟୋବର ୨୫ର ନିର୍ଦ୍ଦେଶ ସଂକ୍ରାନ୍ତରେ ଏଆଇସିଟିଇ ଓ ଓଜେଇଇସି ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୨୦୨୧, ନଭେମ୍ବର ୩୦ ସୁଦ୍ଧା ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶେଷ କରାଯିବ ବୋଲି ସୁପ୍ରିମକୋର୍ଟ ଅକ୍ଟୋବର ୨୫ରେ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥିତିରେ ଆବେଦନକାରୀ ଏହି ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଥିଲେ। ଏହାପରେ ହାଇକୋର୍ଟ ପ୍ରାଇଭେଟ୍ ଇଂଜିନିୟରିଂ କଲେଜ ଆସୋସିଏସନ୍(ଓପେକା) ଆବେଦନର ଶୁଣାଣିରେ ଅନ୍ତ ଘଟାଇଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଘରୋଇ ଇଂଜିନିୟରିଂ କଲେଜରେ ପ୍ରାୟ ୬୦ ପ୍ରତିଶତ ସିଟ୍ ଖାଲି ପଡିଛି। କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ପ୍ରଥମ ପ୍ରବେଶିକା ପରୀକ୍ଷା ଦେଇ ପାରି ନଥିଲେ। ଫଳରେ ମେଧାବୀମାନେ ନାମଲେଖାରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ବହୁ ଇଂଜିନିୟରିଂ ସିଟ୍ ଷ୍ଟେଟ୍ କୋଟା ଅଧୀନରେ ଖାଲି ପଡିଛି। ଏଭଳି ସ୍ଥିତିରେ ଏହି ସବୁ ସିଟ୍ ପୂରଣ ପାଇଁ ଦ୍ବିତୀୟ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇଁ ଅନୁମତି ଦିଆଯାଉ ବୋଲି ଦର୍ଶାଯାଇ ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଥିଲା।
Follow Us