ଇଞ୍ଜିନିୟରିଂ ଛାତ୍ରୀଙ୍କ ଫୁଲ ଚାଷ: ଫୁଲ ଚାଷ କରି ସୁନିତା ସ୍ୱାବଲମ୍ବୀ

Advertisment
ଇଞ୍ଜିନିୟରିଂ ଛାତ୍ରୀଙ୍କ ଫୁଲ ଚାଷ: ଫୁଲ ଚାଷ କରି ସୁନିତା ସ୍ୱାବଲମ୍ବୀ

ନାଚୁଣୀ : ସେ ଇଂଜିନିୟରିଂ ପାଠ ପଢୁଛନ୍ତି। ବୟସ ମାତ୍ର ୨୩ ବର୍ଷ। ଏଇ ବୟସରେ ସେ ଯେଉଁ କାର୍ଯ୍ୟ କରି ‌ଦେଖାଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ପାଠ ପଢ଼ିବା ସହ ଫୁଲ ଚାଷ, ଔଷଧୀୟ ବୃକ୍ଷରୋପଣ ଓ ପାଇକ ସମରକଳାର ବିକାଶ ପାଇଁ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ଛାତ୍ରୀ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ୍‌ ଅଧୀନସ୍ଥ ରତ୍ନମାଳା ସାହିର ଗୋଲା ବେହେରା ଓ ଚଞ୍ଚଳା ଦେଈଙ୍କ ସାନ ଝିଅ ସୁନୀତା ବେହେରା। ଫୁଲ ଚାଷ ତାଙ୍କ ପରିବାରକୁ ସ୍ବାବଲମ୍ବୀ କରିଥିବା ବେଳେ ଅନ୍ୟ କ୍ଷେତ୍ରରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି।

publive-image

ରତ୍ନମାଳା ସାହିର ସୁନୀତା ବି.ଟେକ୍ ପାଠ ପଢୁଛନ୍ତି। ନିଜ ପାଠପଢା ପାଇଁ ଆବଶ୍ୟକ ଅର୍ଥ ସଂଗ୍ରହ କରିବାକୁ ସେ ଫୁଲ ଚାଷ ପାଇଁ ମନ ବଳାଇଥିଲେ। ଖୋର୍ଦ୍ଧାସ୍ଥିତ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ସହ ସେ ଯୋଗାଯୋଗ କରିଥିଲେ। ଦୁଇଭାଇଙ୍କ ସହଯୋଗ କ୍ରମେ ସେ ଉଦ୍ୟାନ କୃଷି ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରମୋଦ ସାମନ୍ତସିଂହାରଙ୍କ ପରାମର୍ଶରେ ୭୫୦ ଡେସିମିଲ ଜମିରେ ଫୁଲ ଚାଷ ଆରମ୍ଭ କରିଥିଲେ। ପ୍ରଥମେ ସେ ଚଉଦ ହଜାର ଗେଣ୍ଡୁଫୁଲ ଚାରା ରୋପଣ କରିଥିଲେ। କିଛିଦିନ ପରେ ଅର୍ଦ୍ଧାଧିକ ଚାରା ନଷ୍ଟ ହୋଇଯାଇଥିଲା। ସେ ଭାଙ୍ଗି ନ ପଡ଼ି ଚାଷ ସମ୍ପର୍କରେ ଅଧିକ ଅଭିଜ୍ଞତା ହାସଲ କରିବା ପାଇଁ ଭୁବନେଶ୍ବରରୁ ଏକ ପୁସ୍ତକ କିଣି ପଢିଥିଲେ। ସେହି ପୁସ୍ତକ ଟିପ୍‌ସ ଅନୁସାରେ ସେ ପୁଣି ଗେଣ୍ଡୁ ଚାରାରୋପଣ କରି ଯତ୍ନ ନେଲେ। ଚାରାରୋପଣର ପ୍ରାୟ ୨ ମାସ ମଧ୍ୟରେ ଗେଣ୍ଡୁ ଗଛରେ ଫୁଲ ଫୁଟି ଥିଲା। ତାଙ୍କ ବାଡ଼ିରେ କୂଅର ସୁବିଧା ନ ଥିବାରୁ ସେ ପଡ଼ୋଶୀଙ୍କ କୂଅରୁ ପାଣି ଆଣି ଗଛରେ ଦେଉଛନ୍ତି। ବଗିଚାରେ ଗେଣ୍ଡୁଫୁଲର ସମ୍ଭାର ଦେଖି ତାଙ୍କର ସବୁ କଷ୍ଟ ଲାଘବ ହେଉଥିବା ସେ କହୁଛନ୍ତି। ଫୁଲ ନେବା ପାଇଁ ଦୋକାନୀ ଓ ଡେକୋରେଟର୍‌ଙ୍କ ତାଙ୍କ ଘରେ ଭିଡ ଦେଖିବାକୁ ମିଳୁଛି। ଏଇ ଖରା ଦିନରେ ସୁନିତା ନିଜର ପରିଶ୍ରମରେ ମାସକୁ ପ୍ରାୟ ୨୦ ହଜାର ଟଙ୍କାର ଫୁଲ ବିକ୍ରି କରୁଛନ୍ତି।

publive-image

ଏଥିସହ ସ୍କୁଲ୍‌ରେ ପଢ଼ିବା ବେଳେ ପାଇକ ସମରକଳା ପ୍ରତି ଆକୃଷ୍ଟ ହୋଇ ଓଡ଼ିଶାର ପ୍ରଥମ ବାଳିକା କଳିଙ୍ଗ କନ୍ୟା ପାଇକ ଆଖଡା ଗଠନ କରିଥିଲେ। ଏହି ସଂଗଠନକୁ ସକ୍ରିୟ ରଖି ସେ ସାରା ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଥିପାଇଁ ସେ ରାଜ୍ୟସ୍ତରୀୟ ସମ୍ମାନ ପାଇବା ସହିତ ଉତ୍କଳ ବିକାଶ ପରିଷଦ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି। କଲେଜରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଯୋଗ ଦେଇ ବିଭିନ୍ନ ସମାଜସେବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ସମ୍ମାନ ‘ସରସ୍ଵତୀ ରାୟ ସ୍ବର୍ଣ୍ଣ ପଦକ’ରେ ସମ୍ମାନିତ କରାଯାଇଥିଲା। ତାଙ୍କ ଦ୍ବାରା ପ୍ରତିଷ୍ଠିତ କଳିଙ୍ଗ କନ୍ୟା ପାଇକ ଆଖଡା ଦଳ ବାଳିକାଙ୍କୁ ସମରକଳା ପ୍ରତି ଆଗ୍ରହ ସୃଷ୍ଟି କରାଇଛି। ପାଠପଢିବା ସହିତ ବଳକା ସମୟକୁ ଉପଯୋଗ କରିବା ପାଇଁ ତାଙ୍କ ବାଡ଼ିରେ ୭୨ କିସମର ଔଷଧୀୟ ଚାରା ରୋପଣ କରି ସେ ତା’ର ରକ୍ଷଣାବେକ୍ଷଣ କରୁଛନ୍ତି।

ସବୁଜ ପରିବେଶ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଗ୍ରାମାଞ୍ଚଳରେ ବିଭିନ୍ନ ଚାରା ରୋପଣ କରି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗଠାରୁ ‘ପ୍ରକୃତି ବନ୍ଧୁ’ ସମ୍ମାନ ପାଇଛନ୍ତି। ଏହାଛଡ଼ା ତାଙ୍କ ଗୃହରେ ଚିଲିକା ଖବର କାଗଜ ସଂଗ୍ରହାଳୟ ସ୍ଥାପନ କରି ୨ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ସମ୍ବାଦପତ୍ର ଓ ପତ୍ରପତ୍ରିକା ସଂଗ୍ରହ କରି ରଖିଛନ୍ତି। ଆଗାମୀ ଦିନରେ ପାଣିର ସ୍ଥାୟୀ ସମସ୍ୟା ଦୂର କରିବା ପାଇଁ ସେ ନିଜ ବାଡ଼ିରେ ଏକ କୂଅ ଖୋଳାଇବା ସହ ସମନ୍ବିତ ଚାଷ ପ୍ରଣାଳୀରେ ବିଭିନ୍ନ ଲାଭକାରୀ ଫସଲ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe