ପଞ୍ଚାୟତ ନିର୍ବାଚନରେ ଇଞ୍ଜିନିୟରିଂ ଛାତ୍ରଙ୍କ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା

Advertisment
ପଞ୍ଚାୟତ ନିର୍ବାଚନରେ ଇଞ୍ଜିନିୟରିଂ ଛାତ୍ରଙ୍କ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା

ଇଞ୍ଜିନିୟରିଂ ପଢ଼ା ପରେ ରାଜନୀତି
କବାଟବନ୍ଧ : ଧର୍ମଶାଳା ବ୍ଲକ ଜେନାପୁର ପଞ୍ଚାୟତ ଷ୍ଟେସନ ବଜାରର ଯୁବଇଂଜିନିୟର ଶିଳ୍ପା ସୁରେଖା ବେହେରା ଶୁକ୍ରବାର ଜେନାପୁର ପଞ୍ଚାୟତର ସମିତି ସଭ୍ୟା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ସିଭିଲ ଇଂଜିନିୟରିଂରେ ଡିଗ୍ରି ହାସଲ ପରେ ରାଜନୀତି ପ୍ରତି ଆକୃଷ୍ଟ ହୋଇଛନ୍ତି। ତାଙ୍କ ବାପା ସ୍ବର୍ଗତ ଶିକ୍ଷକ ଗଣେଶ୍ବର ବେହେରା ଗତବର୍ଷ ଏପ୍ରିଲ ୨୭ ତାରିଖରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଜେନାପୁର ଡାକ୍ତରଖାନାରୁ ଅକ୍ସିଜେନ ନପାଇ ଜୀବନ ହରାଇଥିଲେ। ସେହିଦିନଠାରୁ ସେ ରାଜନୀତିରେ ପ୍ରବେଶ କରି ପଞ୍ଚାୟତର ବିକାଶ କରିବାକୁ ମନସ୍ଥ କରିଥିଲେ। ସେ ଚାହିଁଥିଲେ ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ଚାକିରି କରିପାରିଥାନ୍ତେ ମାତ୍ର ତାଙ୍କ ବାପାଙ୍କ ମୃତ୍ୟୁ ଘଟଣା ଜୀବନର ଗତିପଥକୁ ବଦଳାଇ ଦେଇଛି ବୋଲି ଶିଳ୍ପାସୁରେଖା ପ୍ରକାଶ କରିଛନ୍ତି। ସାଂପ୍ରତିକ ସମୟରେ ଉଚ୍ଚଶିକ୍ଷିତମାନେ ରାଜନୀତିକୁ ଆସିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ହେବା ସହ ଦେଶ ଓ ଜାତିର ଉନ୍ନତି ହେବ। ସେ ସର୍ବଦା ସାଧାରଣ ଲୋକଙ୍କ କାମ କରିବା ପାଇଁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଠାରେ ସମିତି ସଭ୍ୟ ନିମନ୍ତେ ୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

publive-image

ଇଞ୍ଜିନିୟର ଚାକିରି ଛାଡ଼ି ସମାଜସେବା
ଚଣ୍ଡିଖୋଲ : ପିଲାଦିନରୁ ଭଲ ପାଠ ପଢୁଥିଲେ। ମେଧାବୀ ଛାତ୍ର ଭାବେ ତାଙ୍କର ପରିଚୟ ଥିଲା। ବିଟେକ୍‌ ପାଠପଢ଼ା ପରେ ଏକ କମ୍ପାନିରେ ଚାକିରି କରିଥିଲେ। ଚାରିବର୍ଷ ଚାକିରି କରିବା ପରେ ସେ ଗାଁ ମାଟିର ସେବା କରିବା ପାଇଁ ଘରକୁ ଫେରିଲେ। ଏହି ଯୁବଇଞ୍ଜିନିୟର ହେଉଛନ୍ତି ବଡ଼ଚଣା ବ୍ଲକ ଛତିଆ ଗ୍ରାମର ଇଂ ଦୀପକ କୁମାର ସାହୁ। ଚାକିରି ଛାଡ଼ିବା ପରେ ଦୀପକ ଛତିଆ ପଞ୍ଚାୟତର ବିକାଶ ପାଇଁ ସମୟ ଦେଇଥିଲେ। ପୂର୍ବତନ ସରପଞ୍ଚ ସ୍ବର୍ଗତ ସଚ୍ଚିଦାନନ୍ଦ ସାମନ୍ତରାୟଙ୍କ ଆଦର୍ଶରେ ସେ ବେଶ୍‌ ପ୍ରଭାବିତ ହୋଇ ସେବା କାର୍ଯ୍ୟକୁ ଆଦରି ନେଇଥିଲେ। ଦୀପକଙ୍କର ଏହି ଜନସେବା ସମ୍ପର୍କିତ ଖବର ପାଇ ବିଧାୟକ ଅମର ପ୍ରସାଦ ଶତପଥୀ ତାଙ୍କୁ ବିଜେଡି ସୋସିଆଲ ମିଡିଆ ସଂଯୋଜକ ଦାୟିତ୍ୱ ଦେଇଥିଲେ। ଏବେ ପଞ୍ଚାୟତ ନିର୍ବାଚନରେ ସେ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛତିଆ ପଞ୍ଚାୟତରୁ ପ୍ରାର୍ଥୀ ହୋଇଛନ୍ତି।

publive-image

ହୋଟେଲ ମ୍ୟାନେଜମେଣ୍ଟରୁ ରାଜନୀତି
ଚଣ୍ଡିଖୋଲ : ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ଯୁବକ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି। ଏମିତି ଜଣେ ଯୁବକ ହେଉଛନ୍ତି ବଡ଼ଚଣା ବ୍ଲକ ବନ୍ତଳା ପଞ୍ଚାୟତ ବନ୍ତଳା ଗ୍ରାମର ସୌମ୍ୟରଂଜନ ବିଶ୍ୱାଳ। ସେ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ଶେଷ କରିବା ସହିତ ହୋଟେଲ ମ୍ୟାନେଜମେଣ୍ଟ ମଧ୍ୟ କରିଛନ୍ତି। ଏବେ ସୌମ୍ୟରଞ୍ଜନ ଜନସେବା କରିବା ପାଇଁ ଆଗେଇ ଆସିଛନ୍ତି। ସେ ମଧ୍ୟ ଗତ କିଛି ଦିନ ହେବ ନିଜକୁ ସେବାକାର୍ଯ୍ୟରେ ଲଗାଇ ଆସୁଛନ୍ତି। ଚଳିତ ନିର୍ବାଚନରେ ସେ ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ବନ୍ତଳା ପଞ୍ଚାୟତରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe